ପାଟନା,୧୩।୫: ବିହାରର ସୀତାମଢି ଜିଲ୍ଲାରେ ଲଜ୍ଜା। ଜଣେ ନାବାଳିକାକୁ ଦୁଷ୍କର୍ମ ଘଟଣା ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି ଲଜ୍ଜାଜନକ ଘଟଣା ପରେ ଜିଲ୍ଳାରେ ପୋଲିସ-ପ୍ରଶାସନ ବିରୋଧରେ ଲୋକଙ୍କ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। ଉତ୍ୟକ୍ତ ଲୋକେ ବହୁ ସ୍ଥାନରେ ଏବଂ ରାସ୍ତା ଉପରେ ଉଗ୍ର ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଟାୟାର ଜଳାଇଛନ୍ତି, ସେଭଳି କିଛି ସ୍ଥାନରେ ପରିବା ଏବଂ ଫଳ ଠେଲାରେ ନିଆଁ ଲଗାଇ ଦେଇଛନ୍ତି। ଯାହାଫଳରେ ପ୍ରାୟ ୪ ଘଣ୍ଟା କାଳ ସହରରେ ଅରାଜକତା ଦେଖିବାକୁ ମିଳିଥିଲା।
ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ନାବାଳିକା ଜଣକ ନିଜର ମାମୁଁ ଘରକୁ ଯାଉଥିଲା। ଏହି ସମୟରେ ନିଶାସକ୍ତ ଜଣେ ଯୁବକ ତାକୁ ଅଟକାଇବା ସହ ଦୁଷ୍କର୍ମ କରିଥିଲା। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୀଡିତାର ଚିତ୍କାର ଶୁଣି ଆଖପାଖର ଲୋକେ ସେଠାରେ ପହଁଞ୍ଚିଥିଲେ, କିନ୍ତୁ ସେତେବେଳେ ମୁଖ୍ୟ ଅଭିଯୁକ୍ତ ଖସି ଚାଲିଯାଇଥିଲା।
ଘଟଣା ସମ୍ପର୍କରେ ଖବର ଆସିବା ପରେ ପୁରା ଅଞ୍ଚଳରେ ଅସନ୍ତୋଷ ଖେଳି ଯାଇଥିଲା। ସକାଳ ହେବାମାତ୍ରେ ବହୁ ସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇଥିଲେ ଓ ମୁଖ୍ୟ ସଡକ ମାର୍ଗକୁ ଜାମ୍ କରିଦେଇଥିଲେ। ପ୍ରଦର୍ଶନ ବେଳେ ବହୁ ସ୍ଥାନରେ ଟାୟାର ଜାଳି ରାସ୍ତାରେ ଯିବାକୁ ଆସିବା ପ୍ରଭାବିତ କରିଥିଲେ। ଉତ୍ୟକ୍ତ ଲୋକେ କିଛି ପରିବା ଏବଂ ଫଳଠେଲାରେ ବି ନିଆଁ ଲଗାଇ ଦେଇଥିଲେ, ଯାହାଫଳରେ ସ୍ଥିତି ଉତ୍ତେଜନାମୂଳକ ହୋଇଯାଇଥିଲା।
ସ୍ଥିତିର ଗମ୍ଭୀରତାକୁ ଦେଖି ବହୁ ସଂଖ୍ୟାରେ ପୋଲିସକର୍ମୀଙ୍କୁ ଘଟଣାସ୍ତଳରେ ମୁତୟନ କରାଯାଇଥିଲା। ପୋଲିସ ଅଧିକାରୀ ଲୋକଙ୍କୁ ବୁଝାଇବା ସହିତ ସ୍ଥିତି ନିୟନ୍ତ୍ରଣ କରିବାର ଚେଷ୍ଟା କରିଥିଲେ। ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ପୋଲିସ ପୀଡିତାକୁ ତୁରନ୍ତ ହସ୍ପିଟାଲ ପଠାଇ ଚିକିତ୍ସା ଜାରି ରଖିଛି। ଏହା ସହିତ ଏକ ମାମଲା ମଧ୍ୟ ରୁଜୁ କରିଛି। ଅଭିଯୁକ୍ତକୁ ଗିରଫ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଚଢାଉ କରାଯାଉଛି। ଘଟଣା ପରେ ଅଭିଯୁକ୍ତ ଘର ଛାଡି ଫେରାର ହୋଇଯାଇଛି।