ପାଟଣାଗଡ, ୧୩|୭(ଆପ୍ର) ପାଟଣାଗଡ଼ ବ୍ଳକ ଦାବକାନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଶ୍ରେଣୀ ଗୃହରେ ୬ଟି ଶ୍ରେଣୀର ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଏନେଇ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନେ ବାରମ୍ବାର ଶିକ୍ଷା ବିଭାଗ ଓ ବ୍ଳକ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରି ନିରାଶ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ପ୍ରାଥମିକ ବିଦ୍ୟାଳୟଟି ଅଞ୍ଚଳର ଏକ ପୁରୁଣା ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଏଠାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ିବା ପାଇଁ ସୁବିଧା ରହିଛି। ଚଳିତ ଶିକ୍ଷାବର୍ଷ ରେ ରାଜ୍ୟ ସରକାର ନୂତନ ଭାବେରେ ଶିଶୁ ବାଟିକାକୁ ସଂଯୋଗ ଅଧ୍ୟୟନ କରିଛନ୍ତି। ତେବେ ସ୍କୁଲରେ ମାତ୍ର ଦୁଇଟି ଶ୍ରେଣୀ ଗୃହ ଥିବାରୁ ପୂର୍ବରୁ ମଧ୍ୟ ପାଠପଢ଼ାରେ ବ୍ୟାଘାତ ହେଉଥିଲା। ଗୋଟିଏ ଶ୍ରେଣୀ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ବର୍ତ୍ତମାନ ତାହା ବର୍ଷା ଯୋଗୁ ଭୁଶୁଡି ପଡ଼ିଛି। ବର୍ତ୍ତମାନ ସ୍କୁଲ ପରିସରରେ ଥିବା ଗୋଟିଏ ଶ୍ରେଣୀ ଗୃହରେ ୬ ଗୋଟି ଶ୍ରେଣୀ ର ଛାତ୍ରଛାତ୍ରୀ ମାନେ ଏକାଠି ବସି ପାଠ ପଢୁଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଏକ ଛୋଟ କୋଠରୀ ଭିତରେ ୬ ଟି ଶ୍ରେଣୀ ର ୩୮ ଜଣ ଛାତ୍ରଛାତ୍ରୀ ଏକାଠି ବସି ପାଠ ପଢୁଥିବା ବେଳେ ପାଠପଢାରେ ସମ୍ପୂର୍ଣ୍ଣ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଶିକ୍ଷକମାନେ ଅଭିଯୋଗ ଆଣିଛନ୍ତି। ତେଣୁ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଅଧିକାରୀ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟମାନେ ଅନୁରୋଧ କରିଛନ୍ତି।