ନୂଆଦିଲ୍ଲୀ : ଭାରତରେ ଆଜି ଫ୍ୟାଟି ଲିଭର୍ (Fatty Liver) ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ' ପବମେଡ୍'ର ତଥ୍ୟ ଅନୁସାରେ, ଦେଶରେ ପ୍ରାୟ ୩୮ ରୁ ୩୯ ପ୍ରତିଶତ ବୟସ୍କ ବ୍ୟକ୍ତିଙ୍କ ଠାରେ ଫ୍ୟାଟି ଲିଭର୍ ହେବାର ଆଶଙ୍କା ରହିଛି। ଏହି ତଥ୍ୟ ଭାରତର ବିଭିନ୍ନ ରାଜ୍ୟର ପ୍ରାୟ ୫୦ଟି ରିସର୍ଚ୍ଚ ଉପରେ ଆଧାରିତ। ଏହି ହିସାବରେ ଯଦି ଦେଶର ଜନସଂଖ୍ୟା ୧.୪୬ ବିଲିୟନ ହୁଏ, ତ ପ୍ରାୟ ୪୦ କୋଟି ଲୋକ କୌଣସି ନା କୌଣସି ସ୍ତରର ଫ୍ୟାଟି ଲିଭର୍ ଦ୍ୱାରା ପ୍ରଭାବିତ। ଏହି ସ୍ୱାସ୍ଥ୍ୟ ସମସ୍ୟାର ତିନୋଟି ଷ୍ଟେଜ୍ ଥାଏ ଏବଂ ଏହା ପରେ ପରିସ୍ଥିତି ଲିଭର୍ ସିରୋସିସରେ ପହଞ୍ଚି ଯାଏ।

ବିଶେଷଜ୍ଞଙ୍କ କହିବାନୁସାରେ, ଗ୍ରେଡ୍-୧ ଫ୍ୟାଟି ଲିଭର୍ ସମସ୍ୟା ସାଧାରଣତଃ ଅଧିକାଂଶ ବୟସ୍କଙ୍କ ଠାରେ ଦେଖାଯାଏ। କିନ୍ତୁ ସ୍ଥିତି ସେତେବେଳେ ବିଗିଡ଼ି ଯାଏ, ଯେତେବେଳେ ଏହା ସିରୋସିସ୍ ପର୍ଯ୍ୟାୟରେ ପହଞ୍ଚି ଥାଏ। ଲିଭରକୁ ସୁସ୍ଥ ରଖିବା ଏବଂ ଏହାର ଚିକିତ୍ସା ପାଇଁ ଲୋକମାନେ ଅନେକ ଉପାୟ ଆପଣାନ୍ତି। ସେଥି ମଧ୍ୟରୁ ଗୋଟିଏ ହେଉଛି ରାତିର ଖାଦ୍ୟ ନଖାଇବା। ଲୋକଙ୍କର ଧାରଣା ଯେ, ରାତିରେ ନଖାଇଲେ ଲିଭର୍ ଉପରେ ଅଧିକ ଚାପ ପଡ଼ି ନଥାଏ। ଆସନ୍ତୁ ବିଶେଷଜ୍ଞଙ୍କ ଠାରୁ ଜାଣିବା ଏହା ଏକ ଭ୍ରାନ୍ତ ଧାରଣା ନା ସତ।

ଡିନର ଛାଡ଼ି ଦେଲେ ଫ୍ୟାଟି ଲିଭର୍ ଠିକ୍ ହୋଇଯାଏ କି ?

ନୂଆଦିଲ୍ଲୀ ସ୍ଥିତ ସର୍ ଗଙ୍ଗାରାମ ହସ୍ପିଟାଲର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର୍, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ପ୍ୟାନକ୍ରିଆଟୋବିଲିଆରୀ ସାଇନ୍ସର ଅଧ୍ୟକ୍ଷ (ଚେୟାରମ୍ୟାନ୍) ଡକ୍ଟର (ପ୍ରଫେସର) ଅନିଲ ଅରୋଡ଼ାଙ୍କ ସହ 'ଟିଭି -୯' ଏହି ବିଷୟରେ ଆଲୋଚନା କରି ଥିଲା। ବିଶେଷଜ୍ଞ କହିଥିଲେ ଯେ, ରାତିରେ ନଖାଇବା ଦ୍ୱାରା ଫ୍ୟାଟି ଲିଭର୍ ଠିକ୍ ହୋଇଯାଏ,ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଖାଦ୍ୟକୁ ଅଳ୍ପ ଅଳ୍ପ କରି ଅନେକ ଥର ଖାଇବା ଉଚିତ୍। ସବୁଠାରୁ ଭଲ ହେବ ଯଦି ରାତିର ଖାଦ୍ୟ ଯଥାସମ୍ଭବ ଶୀଘ୍ର ଖାଇ ଦେବା।

ବିଶେଷଜ୍ଞଙ୍କ ମତରେ, ଆମେ ଯେତେ ବିଳମ୍ବରେ ଖାଇବା, ସେତେ ଅଧିକ ଭୋକ ଲାଗିବ। ଏହି ଭୋକ ବୃଦ୍ଧି କାରଣରୁ ଫ୍ୟାଟି ଲିଭର୍ ସମସ୍ୟାକୁ ଦୂର କରିବା ଆହୁରି କଷ୍ଟକର ହୋଇ ପଡ଼ିଥାଏ। ତେଣୁ ଖାଦ୍ୟ ସମ୍ପୂର୍ଣ୍ଣ ବନ୍ଦ କରିବା ପରିବର୍ତ୍ତେ ତାହାକୁ ଅଳ୍ପ ଅଳ୍ପ ପରିମାଣରେ ଖାଇବା ଭଲ ।

ଏହିସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ -

 ୧- ଓଜନ ନିୟନ୍ତ୍ରଣ : ଯଦି ଆପଣଙ୍କ ଓଜନ ସାଧାରଣ ଠାରୁ ଅଧିକ, ତେବେ ଏହାକୁ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ। ଶରୀରର ମୋଟ ଓଜନର ୭ ରୁ ୧୦ ପ୍ରତିଶତ କମାଇବା ଦ୍ୱାରା ଲିଭରରେ ଜମା ହୋଇ ଥିବା ଚର୍ବି, ଫୁଲା  ଏବଂ ପ୍ରାରମ୍ଭିକ ଫାଇବ୍ରୋସିସରେ ସୁଧାର ଆସି ପାରେ।

 ୨- ଫିଜିକାଲି ଆକ୍ଟିଭ ରୁହନ୍ତୁ : ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପ୍ରତି ସପ୍ତାହରେ ଅନ୍ତତଃ ୧୫୦ ରୁ ୩୦୦ ମିନିଟ୍ ଫିଜିକାଲ ଆକ୍ଟିଭିଟି କରିବା ଉଚିତ୍। ଯଦି ଆପଣ ଷ୍ଟ୍ରେନ୍ଥ ଟ୍ରେନିଂ କରି ପାରୁଛନ୍ତି, ତ ତାହା ସବୁଠାରୁ ଭଲ।

୩-ମିଠା ଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ : ଫ୍ୟାଟି ଲିଭର୍‌କୁ ରିଭର୍ସ କରିବା ପାଇଁ ସବୁଠାରୁ ଜରୁରୀ ହେଉଛି ଡାଏଟିରୁ ମିଠା ଜିନିଷ ଗୁଡ଼ିକୁ ବାଦ୍ ଦେବା। କୋଲ୍ଡ ଡ୍ରିଙ୍କସ୍, ପ୍ୟାକେଟ୍ ଫୁଡ୍, ମିଠା ଏବଂ ହାଇ-ଫ୍ରୁକ୍ଟୋଜ୍ ଜାତୀୟ ଖାଦ୍ୟ ଲିଭରରେ ଚର୍ବି ବୃଦ୍ଧି କରି ଥାଏ। ଏଗୁଡ଼ିକୁ ସୀମିତ ପରିମାଣରେ ଖାଆନ୍ତୁ।

୪-ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ : ପ୍ରତି ଭୋଜନରେ ଡାଲି, ପନିର, କମ୍ ଚର୍ବିଯୁକ୍ତ କ୍ଷୀର ଜାତୀୟ ଦ୍ରବ୍ୟ, ଅଣ୍ଡା, ମାଛ କିମ୍ବା ସୋୟାବିନ୍ ଭଳି ଭଲ ପ୍ରୋଟିନ୍ ଉତ୍ସ ସାମିଲ କରାନ୍ତୁ। ଏହା ଓଜନ କମାଇବାରେ ଏବଂ ମାଂସପେଶୀକୁ ମଜବୁତ୍ ରଖିବାରେ ସାହାଯ୍ୟ କରିଥାଏ।

​​​​​​​ଆହୁରି ମଧ୍ୟ ପଢନ୍ତୁ - Rising weight in children : ଛୋଟ ପିଲାଙ୍କ ବଢୁଥିବା ଓଜନ ହୋଇପାରେ ଘାତକ , ଆପଣାନ୍ତୁ ଏହି ସ୍ବାସ୍ଥ୍ୟକର ଟିପ୍ସ ..