- ନୂଆବର୍ଷ ଆରମ୍ଭରୁ ତାଉ ଦେଖାଇଛି ଆମେରିକା ।
- ଅଶାନ୍ତିର ବାତାବରଣରେ ସଢ଼ୁଛି ସାରା ବିଶ୍ୱ ।
- ଇତିହାସ କହେ, ବର୍ଷ ବର୍ଷ ଧରି ସାମ, ଦାମ, ଦଣ୍ଡ, ଭେଦ ପରେ ବିଶ୍ୱଯୁଦ୍ଧର ତାଣ୍ଡବ ଦେଖିଥିଲା ପୃଥିବୀ ।
- ଏବେ ଲାଗି ରହିଥିବା ଛୋଟ ଛୋଟ ଯୁଦ୍ଧ ଓ ଅଶାନ୍ତିରୁ ପୁଣି ହେବ କି ବିଶ୍ୱଯୁଦ୍ଧ ?
ଆଗ ବୟାନବାଜି । ତା’ପରେ ନାଲିଆଖି ଦେଖାଇ ଧମକ ଚମକ । ସାମରିକ ଅଭ୍ୟାସ, ଶେଷରେ ଆକ୍ରମଣ । ଏବେ ଏମିତି ଫର୍ମୁଲାରେ ବିଶ୍ୱରେ ଅଶାନ୍ତିର ନିଆଁ । ବିଶ୍ୱ ଦେଖିଲା ବର୍ବରତା । ‘ବିଗ୍ ବ୍ରଦର୍’ ଆମେରିକାର ଦାଦାଗରି । ଅନ୍ତର୍ଜାତୀୟ ଆଇନର ବେକକୁ ମୋଡ଼ି ମକଚି ପାଦରେ ଦଳିଦେଲେ ଟ୍ରମ୍ପ । ଭେନେଜୁଏଲା ଭିତରେ ପଶି ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଅପରାଧୀ ଭଳି ଉଠାଇ ଆଣିଲା ଯୁକ୍ତରାଷ୍ଟ୍ର । ମନ ଶାନ୍ତ ହେଲାନି । ଜେଲରେ ପୂରାଇବା ପରେ ଏବେ ଆହୁରି କିଛି ଦେଶକୁ ଧମକ ଚମକ ଦେଉଛନ୍ତି । ଆକ୍ରମଣର ନାଲିଆଖି ଦେଖାଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହାକୁ କ’ଣ କହିବା ପାଗଳାମୀ ନା ବର୍ବରତା? ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ନିରାଶ ଟ୍ରମ୍ପଙ୍କ ପାଇଁ ଏବେ ବିଶ୍ୱରେ ଅଶାନ୍ତି ଓ ଆତଙ୍କର ଘନଘଟା । ଶୁଭିଲାଣି ମହାବିନାଶର ପଦଧ୍ୱନି । ନିଜ ସ୍ୱାର୍ଥ ପାଇଁ ଆମେରିକା ଯେ କେଉଁ ସ୍ତରକୁ ଯାଇପାରେ ତାହାକୁ ନେଇ
ସବୁଠି ଚର୍ଚ୍ଚା । ‘ଟାରିଫ ପ୍ରହାର’ ଜରିଆରେ ବିଶ୍ୱ ଅର୍ଥନୀତିକୁ ମାଟି କାମୁଡ଼େଇଥିବା ୱାଶିଂଟନ୍ ଏବେ ଅଶାନ୍ତି ଓ ଯୁଦ୍ଧର ମଞ୍ଜି ପୋତୁଛି । ମିଳିତ ଜାତିସଂଘ ଏବେ ନିଦାବିଷ୍ଣୁ । ଚୀନ୍, ରୁଷ ଭଳି ମହାଶକ୍ତି କିନ୍ତୁ ମେଳି ବାନ୍ଧିଲେଣି । ଉତ୍ତର କୋରିଆ ରାଷ୍ଟ୍ରପତି ଆମେରିକାକୁ ଖୋଲା ଧମକ ଦେଲେଣି । ବାହୁବଳୀ ଆମେରିକା ପାଇଁ ପୃଥିବୀ ଦେଖିବ କି ‘ତୃତୀୟ ବିଶ୍ୱଯୁଦ୍ଧ’? ଉତ୍ତର କେବଳ ସମୟ ହିଁ ଦେବ ।
ୱାଶିଂଟନ୍ର ଦାଦାଗିରି
କେହି କିଛି ବୁଝିବା ପୂର୍ବରୁ ଆମେରିକାର କମାଣ୍ଡୋ କଲା ଏୟାର ଷ୍ଟ୍ରାଇକ୍ । ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କ ପତ୍ନୀ ସିଲିୟା ଫ୍ଲୋରେସଙ୍କୁ କାରାକାସର ଏକ ସାମରିକ ଘାଟି ଭିତରେ ଥିବା ଶୋଇବା ଘରୁ ଉଠାଇ ନେଲେ । ଜଣେ ଦେଶର ରାଷ୍ଟ୍ରପତିଙ୍କୁ ଜଣେ ଅପରାଧୀ ପରି ଗିରଫ କରାଯିବା ନେଇ ସମଗ୍ର ବିଶ୍ୱରେ ବିରୋଧ ପ୍ରକାଶ ପାଇଛି । ଭେନେଜୁଏଲାରେ ଆମେରିକାର ସାମରିକ ଅପରେସନ୍ ଅତ୍ୟନ୍ତ ଦୟନୀୟ ଓ ଅମାନବୀୟ ଥିଲା । ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ନିର୍ଦ୍ଦେଶରେ ଆମେରିକୀୟ ସେନା ବିମାନରେ ଯାଇ ଭୟଙ୍କର ଆକ୍ରମଣ କରି ନିକୋଲାସ ଓ ପତ୍ନୀଙ୍କୁ ଘୋଷାଡ଼ି ଆଣିଥିଲେ । ଫ୍ଲୋରେସଙ୍କ ଆଖିରେ ଆଘାତ ଲାଗିଛି । ପଞ୍ଜରା ହାଡ଼ ଭାଙ୍ଗିଯାଇଛି । ମାଦୁରୋ ଓ ଫ୍ଲୋରେସଙ୍କୁ ଗିରଫ ପରେ ହାତକଡ଼ି ପିନ୍ଧାଇ ନ୍ୟୁୟର୍କ ଭେନେଜୁଏଲାରେ ଆନୁମାନିକ ୩୦୩ ବିଲିୟନ ବ୍ୟାରେଲ ତୈଳ ଭଣ୍ଡାର ଅଛି, ଯାହା ସାଉଦି ଆରବଠାରୁ ପ୍ରାୟ ୨୦% ଅଧିକ । ଆମେରିକା ଭେନେଜୁଏଲାର ତୈଳ ଭଣ୍ଡାରକୁ ଦଖଲ ପରେ ଦୀର୍ଘମିଆଦି ଭିତ୍ତିରେ ତୈଳ ଉତ୍ପାଦନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ଟ୍ରମ୍ପଙ୍କ ଏଭଳି ବାଚାଳାମିକୁ ଖୋଦ ଆମେରିକାବାସୀ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି । ସମୟକ୍ରମେ ସାରା ବିଶ୍ୱରେ ଯୁକ୍ତରାଷ୍ଟ୍ରର ସମ୍ମାନ ତଳକୁ ତଳକୁ ଖସୁଛି । ଟ୍ରମ୍ପଙ୍କ ଦ୍ୱିତୀୟ ପାଳିରେ ଏହା ଅଧିକ ଅନୁଭୂତ ହେଉଛି ।
ମିଳିତ ଜାତିସଂଘ-ନିଦାବିଷ୍ଣୁ
ବିଶ୍ୱ ଶାନ୍ତି ଓ ସହାବସ୍ଥାନ ହେଉଛି ମିଳିତ ଜାତିସଂଘର ମୂଳ କାମ । ହେଲେ ସମୟକ୍ରମେ ଏହି ଅନୁଷ୍ଠାନ ସତ୍ତା ହରାଇଲା ଭଳି ଲାଗୁଛି । ଆମେରିକା, ଚୀନ୍ ଭଳି ଦବ୍ଦବା ଥିବା ରାଷ୍ଟ୍ରର ଚାପରେ ଜାତିସଂଘ ଆଜି ଚେପା । ଗତ କିଛି ବର୍ଷ ମଧ୍ୟରେ ପୃଥିବୀ ଆକାଶରେ ବହୁ ଯୁଦ୍ଧର କଳାବାଦଲ । ହେଲେ ବିବୃତି ଜାରି କରିବା ଛଡ଼ା କିଛି ଆଖିଦୃଶିଆ ପଦକ୍ଷେପ ନେଇପାରିନି ଜାତିସଂଘ । ୧୯୪୫ରେ ମିଳିତ ଜାତିସଂଘର ଘୋଷଣାପତ୍ରରେ ଆମେରିକା ଦସ୍ତଖତ କରିଛି । ସେଇ ସନନ୍ଦରେ ଉଲ୍ଲେଖ ଅଛି ଯେ ସ୍ୱାକ୍ଷରକାରୀ ରାଷ୍ଟ୍ରମାନେ ପରସ୍ପରର ସାର୍ବଭୌମତ୍ୱକୁ ସର୍ବଦା ସମ୍ମାନ ଜଣାଇବେ । କୌଣସି ଦେଶ ଅନ୍ୟ ଦେଶ ବିରୋଧରେ ସାମରିକ ଶକ୍ତି ପ୍ରୟୋଗ କରିବ ନାହିଁ ।
ହେଲେ ଏବେ ଖୋଦ ଆମେରିକା ନୀତି ନିୟମ କିଛି ମାନିବାକୁ ପ୍ରସ୍ତୁତ ନାହିଁ । ଅତୀତରେ ସଦ୍ଦାମ ହୁସେନ ଏବଂ କର୍ଣ୍ଣେଲ ଗଦ୍ଦାଫିଙ୍କୁ ମଧ୍ୟ ଏମିତି ଷଡ଼ଯନ୍ତ୍ର କରି ଯମାଳୟ ପହଞ୍ଚାଇଥିଲା ଯୁକ୍ତରାଷ୍ଟ୍ର । ନିଃସନ୍ଦେହ ଉଭୟ ଏକଛତ୍ରବାଦୀ ଥିଲେ । କିନ୍ତୁ ଆମେରିକା ଏବେ ସାରା ବିଶ୍ୱରେ ଯେଉଁଭଳି ବାତାବରଣ ତିଆରି କରିଛି ତାହା ଅଧିକ ଏକଛତ୍ରବାଦୀ ବୋଲି କୁହାଯାଉଛି । ଜାତିସଂଘ ନିରାପତ୍ତା ପରିଷଦର ଏକ ଜରୁରୀକାଳୀନ ବୈଠକ ବସିଲା । ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବାକୁ ଚର୍ଚ୍ଚା ହେଲା । ଆମେରିକାର ଆକ୍ରମଣ ଭେନେଜୁଏଲାର ସାର୍ବଭୌମତ୍ୱ ଏବଂ ଲାଟିନ୍ ଆମେରିକାର ସୁରକ୍ଷା ବିରୋଧରେ ବୋଲି କୁହାଗଲା । ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ଜାତିସଂଘ ନୀତି ବିରୋଧୀ ବୋଲି ଦର୍ଶାଗଲା । ହେଲେ ଟ୍ରମ୍ପଙ୍କୁ ଅଟକାଇବ କିଏ? ବିଲେଇ ବେକରେ କିଏ ଘଣ୍ଟି ବାନ୍ଧିବ?
ମୁଁ ସର୍ବଶକ୍ତିମାନ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୁଅନ୍ତୁ ଅବା ଭ୍ଳାଦିମିର ପୁଟିନ୍, ଜିନପିଙ୍ଗ୍ କି ମଧ୍ୟପ୍ରାଚ୍ୟର ନେତା, କେହି କାହାକୁ କମ୍ ନୁହନ୍ତି । ଗ୍ଲୋବାଲ ପଲିଟିକ୍ସରେ ଶକ୍ତିଶାଳୀ ଏ ନେତାମାନଙ୍କର ଭାଷା ଏକାପରି । ଧରାକୁ ସରା ମଣୁଛନ୍ତି । ନିଜକୁ ସର୍ବଶକ୍ତିମାନ ଦେଖାଇବାକୁ ସାରା ପୃଥିବୀକୁ ଏବେ ଯୁଦ୍ଧର ଚକ୍ରବ୍ୟୂହକୁ ଠେଲି ଦେଇଛନ୍ତି । ‘ଧୀର ପାଣି ପଥର କାଟେ’ ଭଳି ଧୀରେ ଧୀରେ ପୃଥିବୀ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଇଛି । ଭେନେଜୁଏଲା, ତାଇୱାନ୍, ୟୁକ୍ରେନ୍, ମଧ୍ୟପ୍ରାଚ୍ୟକୁ ଦେଖିଲେ ଲାଗୁଛି ଯୁଦ୍ଧ ଏବେ ସାଧାରଣ ହୋଇଗଲାଣି । ଯୁଦ୍ଧ ଏବେ ପୃଥିବୀ ପାଇଁ ‘ନିଉ ନର୍ମାଲ’ ପାଲଟିଛି । ଆମେରିକା ସୀମାରେଖା ମାନୁନନି କି ଆନ୍ତର୍ଜାତିକ ଆଇନ । ‘ପଶ୍ଚିମ ଗୋଲାର୍ଦ୍ଧ ଆମର’-ଆସ୍ପର୍ଦ୍ଧାର ସହ ଏମିତି ଖୋଲାଖୋଲି କହୁଛି ୱାଶିଂଟନ୍ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ଠିକ୍ ଏଇ ଭାଷା କହୁଥିଲା ଜର୍ମାନୀ । ଆମେରିକା ପ୍ରତିରକ୍ଷା ବିଭାଗକୁ ଏବେ ଯୁଦ୍ଧ ବିଭାଗ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମ କହୁଛି ।
ନିଜ ଦେଶର ସୁରକ୍ଷା ଅପେକ୍ଷା ଆମେରିକା ସେନା ଅନ୍ୟ ଦେଶ ଉପରେ ଆକ୍ରମଣ ସହ ଦଖଲ ଉପରେ ଅଧିକ ଗୁରୁତ୍ୱ ଦେଉଛି । ଡ୍ରାଗନ୍ ଚୀନ୍ ବି କମ୍ ନୁହଁ । ତାଇୱାନକୁ ଦଖଲ କରିବାକୁ କଳ, ବଳ କୌଶଳ ବିନିଯୋଗ କରୁଛନ୍ତି ଜିନ୍ ପିଙ୍ଗ । ସାମରିକ ଅଭ୍ୟାସ ଆଳରେ ତାଇୱାନକୁ ଜବରଦଖଲ ବେଜିଂର ଏକମାତ୍ର ଏଜେଣ୍ଡା । ଭାରତ ପ୍ରତି ମଧ୍ୟ ଚୀନର ତୁ ତୁ ମେ ମେ ମନୋଭାବ ବଦଳୁନି । ଅରୁଣାଚଳପ୍ରଦେଶରେ ଧସେଇ ପଶିବାକୁ ଡ୍ରାଗନ୍ ସବୁବେଳେ ଚେଷ୍ଟିତ । ପାକିସ୍ତାନ, ଶ୍ରୀଲଙ୍କା, ମାଳଦ୍ୱୀପ ଓ ବାଂଲାଦେଶ ଜରିଆରେ ଭାରତକୁ ଅସ୍ତବ୍ୟସ୍ତ କରି ରଖିବା ହେଉଛି ଜିନ୍ ପିଙ୍ଗଙ୍କ ଊର୍ବର ମସ୍ତିଷ୍କର କୌଶଳ । ଭାରତ କେବଳ ଧୈର୍ଯ୍ୟ ଓ ସଂଯମତାର ସହ ଯୁଦ୍ଧ ଭଳି ପରିସ୍ଥିତିକୁ ଟାଳି ଆସିଛି । ନହେଲେ ଟ୍ରମ୍ପ-ପିଙ୍ଗ୍ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ । ଲକ୍ଷ୍ୟ କେବଳ କ୍ଷମତାବିସ୍ତାର ଏବଂ ମୁଁ ସର୍ବଶକ୍ତିମାନ । ବିଶ୍ୱ ସମ୍ରାଟ ହେବାକୁ ଚାଇନା-ଆମେରିକାଙ୍କ ଛକି-ଶୂନ ଖେଳ ସରୁନି । ୪ ବର୍ଷ ହେବ ସରୁନି ରୁଷିଆ-ୟୁକ୍ରେନ ଯୁଦ୍ଧ । ପୋଲାଣ୍ଡ ଓ ଫିନଲାଣ୍ଡ ଭଳି ଦେଶକୁ ମଧ୍ୟ ସବୁବେଳେ ରୁଷ ଆଡ଼ୁ ବିପଦ ରହିଛି ।
ସାରା ୟୁରୋପ ପୁଟିନଙ୍କୁ ‘ରାକ୍ଷସ’ ଦୃଷ୍ଟିରେ ଦେଖୁଛି । ମଧ୍ୟପ୍ରାଚ୍ୟରେ ଇସ୍ରାଏଲରେ ୩ ବର୍ଷ ପୂର୍ବେ ହମାସ ଏମିତି ବାରୁଦ ଗଦାରେ ନିଆଁ ଲଗାଇଛି ଯେ ନିଆଁ ଲିଭିବାର ନାଁ ଧରୁନି । ମଧ୍ୟପ୍ରାଚ୍ୟରେ ଜଳୁଛି ନିଆଁ । ଗାଜା ଧ୍ୱସ୍ତବିଧ୍ୱସ୍ତ । ଲେବାନନ ପ୍ରଭାବିତ ହୋଇଛି । ଇସ୍ରାଏଲ ନମ୍ବର ୱାନ ଦୁଶମନ ଇରାନ ଉପରେ ରକ୍ତ ଚାଉଳ ଚୋବାଉଛି । ଇରନରେ ଏବେ ଚାଲିଥିବା ହିଂସାକୁ ତେଜୁଛନ୍ତି ଆମେରିକା ଓ ଇସ୍ରାଏଲ । ୟେମେନରେ ୧୦ ବର୍ଷ ହେବ ଚାଲିଛି ବେସାମରିକ ଯୁଦ୍ଧ । ସାଉଦି ଆରବ ୟେମେନର ତୈଳ ସମୃଦ୍ଧ ଅଞ୍ଚଳ ଅକ୍ତିଆର କରିବାକୁ ଟାକି ରହିଛି । ଇତିହାସ ସାକ୍ଷୀ, ବିଶ୍ୱଯୁଦ୍ଧ ହଠାତ୍ ହୋଇନଥିଲା । ବର୍ଷ ବର୍ଷ ଧରି ସାମ, ଦାମ, ଦଣ୍ଡ ଭେଦ ପରେ ବିଶ୍ୱଯୁଦ୍ଧର ତାଣ୍ଡବ ଦେଖିଥିଲା ପୃଥିବୀ । ଏବେ ଲାଗି ରହିଥିବା ଛୋଟ ଛୋଟ ଯୁଦ୍ଧରୁ ହେବ କି ବିଶ୍ୱଯୁଦ୍ଧ? ପୁଣି ପୃଥିବୀ ଦେଖିବ କି ବିନାଶର ସଂହାରଲୀଳା? ଈଶ୍ୱର କରନ୍ତୁ ଏମିତି ଅବସ୍ଥା ନ ଆସୁ ।