ନୂଆଦିଲ୍ଲୀ,୩୦/୧୧; ଷ୍ଟାର ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଳାଶ ମୁଛଲ ନଭେମ୍ବର ୨୩, ୨୦୨୫ ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିଲେ। କିନ୍ତୁ ଭାଗ୍ୟର କିଛି ଅନ୍ୟ ଯୋଜନା ଥିଲା। ଏହି ହାଇ-ପ୍ରୋଫାଇଲ୍ ବିବାହ ଏବେ ସସପେନ୍ସ ଏବଂ ଗୁଜବର ବିଷୟ ପାଲଟିଛି । ଯେଉଁଦିନ ବାହାଘର ଥିଲା ସେଦିନ ହଠାତ୍ ସ୍ମୃତିଙ୍କ ବାପା ଶ୍ରୀନିବାସଙ୍କର ଦେହ ଖରାପ ହୋଇଥିଲା । ଫଳରେ ବାହାଘର ଅନିଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚି ଯାଇଛି । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ପରଦିନ ପଳାଶଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଗଲା । ତାଙ୍କୁ ସାଙ୍ଗଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଧୁମଧାମରେ ବାହାଘର ପ୍ରସ୍ତୁତି ଚାଲିଥିବାବେଳେ ହଠାତ୍ ଏପରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବିଭିନ୍ନ ଗୁଜବ ଆରମ୍ଭ ହୋଇଛି । ଯାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ଦୁହିଁଙ୍କ ଯୋଡିରେ, ଖୁସିରେ ଯେମିତି କାହାର ନଜର ଲାଗି ଯାଇଛି । ଏପରି ସ୍ଥିତିରେ ସ୍ମୃତି ଏବଂ ପଳାଶ ସେମାନଙ୍କ ଇନ୍ଷ୍ଟା ବୟୋ 'ନଜର'ଇମୋଜି ସହ ଅପଡେଟ୍ କରିଛନ୍ତି ଯାହା ସସ୍ପେନ୍ସ ବଢାଇଛି ।
ଏବେ ବିବାଦ ମଧ୍ୟରେ, ସ୍ମୃତି ମନ୍ଧାନାଙ୍କ ମ୍ୟାନେଜର କହିଛନ୍ତି ଯେ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ବିବାହକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି । ମନ୍ଧାନାଙ୍କ ମ୍ୟାନେଜରଙ୍କ ବୟାନ ବ୍ୟତୀତ, ସୋସିଆଲ ମିଡିଆରେ ଗୁଜବ ଘୁରି ବୁଲୁଛି, ବିବାହ ସ୍ଥଗିତ ରଖିବା ସମ୍ପର୍କରେ ବିଭିନ୍ନ ଦାବି କରାଯାଉଛି। ସ୍ମୃତି ତାଙ୍କ ହଳଦୀ ଏବଂ ମେହେନ୍ଦିର ଅନେକ ଫଟୋ ଡିଲିଟ୍ କରିଦେବା ପରେ ଏହି ଗୁଜବଗୁଡ଼ିକୁ ଜୋରଦାର କରାଯାଇଥିଲା। ଏବେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ସ୍ମୃତି ଏବଂ ପଳାଶ ଇନଷ୍ଟାଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଦୁହେଁ ଏକ ନୀଳ 'ନଜର' ଇମୋଜି ବ୍ୟବହାର କରିଛନ୍ତି, ଯାହା ପ୍ରାୟତଃ ଖରାପ ନଜରରୁ ରକ୍ଷା ପାଇବା ପାଇଁ ବ୍ୟବହାର କରାଯାଏ ।
ଗୁଜବ ମଧ୍ୟରେ, ପଳାଶଙ୍କ ମାଆ ଅମିତା ମୁଛଲ ଏକ ବିବୃତ୍ତି ଜାରି କରିଛନ୍ତି । ସେ କହିଛନ୍ତି ଯେ, ସବୁକିଛି ଯୋଜନା ଅନୁଯାୟୀ ହେବ । ପଳାଶ ଏବଂ ସ୍ମୃତିଙ୍କ ବାପା ବହୁତ ନିକଟତର । ତାଙ୍କର ହଠାତ୍ ଅସୁସ୍ଥତା ଯୋଗୁଁ, ବିବାହ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।