ଭୁବନେଶ୍ୱର,୨୬/୬ : ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟଠାରୁ ବି ଭୟଙ୍କର ସାପ କାମୁଡ଼ା । ପ୍ରତିବର୍ଷ ରାଜ୍ୟରେ ପ୍ରାୟ ୧ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ନେଉଛି ସାପ । ବର୍ଷାଦିନ ଆସିବା ମାତ୍ରେ ସାପ କାମୁଡ଼ା ହାର ବଢ଼ୁଛି । ଗତ ଦୁଇଦିନ ଭିତରେ ୯ଜଣଙ୍କ ଜୀବନ ଗଲାଣି ରାଜ୍ୟର ବିଭିନ୍ନ ସ୍ଥାନରେ । ରାଜ୍ୟରେ ଯେତିକି ବିପର୍ଯ୍ୟୟଜନିତ ମୃତ୍ୟୁ ଘଟୁଛି, ସେଥିରୁ ୯୦% ମୃତ୍ୟୁର କାରଣ ପାଣିରେ ବୁଡ଼ିବା ଓ ସାପ କାମୁଡ଼ା।
ସରକାରୀ ତଥ୍ୟ କହୁଛି, ବଜ୍ରପାତ ଓ କାଳବୈଶାଖୀଜନିତ ମୃତ୍ୟୁ ପୂର୍ବାପେକ୍ଷା କମିଥିବାବେଳେ ସାପ କାମୁଡ଼ାଜନିତ ମୃତ୍ୟୁ ସଂଖ୍ୟା ବଢ଼ିଛି । ସାପ କାମୁଡ଼ାରେ ୨୦୧୬ରେ ୩୦୫ଜଣ ଲୋକଙ୍କ ଜୀବନ ଯାଇଥିଲା । ୨୦୧୯ରେ ଏହା ୮୨୩ ଥିବାବେଳେ ୨୦୨୩ରେ ୧୦୦୧ଜଣ ପ୍ରାଣ ହରାଇଥିଲେ । ଗତ ମାର୍ଚ୍ଚରେ ବିଧାନସଭାରେ ସରକାର ରଖିଥିବା ତଥ୍ୟ ମୁତାବକ, ୨୦୨୩- ୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୧୮୫୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ସାପ କାମୁଡ଼ାରେ । ସେଥିରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ ଜଣ ପ୍ରାଣ ହରାଇଥିଲେ । ମୋଟାମୋଟି କହିବାକୁ ଗଲେ, ପ୍ରତିବର୍ଷ ୧ ହଜାରରୁ ଅଧିକ ଜୀବନ ଯାଉଛି ବିଷଧର ସାପ ଚୋଟରେ । ସାପ କାମୁଡ଼ାଜନିତ ମୃତ୍ୟୁ ସଂଖ୍ୟା କମାଇବାକୁ ରାଜ୍ୟ ସରକାର ଏକ ନୂଆ ଯୋଜନା କରିଛନ୍ତି । ଜିଆଇଏସ୍ ସଂଯୋଗରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ସ୍ନେକ ରେସ୍କ୍ୟୁ ପ୍ରୋଟେକସନ ଆପ୍ (ସର୍ପ) । ନିକଟସ୍ଥ କେଉଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟି ଭେନମ ସେରମ (ସାପ କାମୁଡ଼ା ଇଞ୍ଜେକସନ) ଉପଲବ୍ଧ ଅଛି, ସେ ବାବଦରେ ଏହି ଆପ୍ ସହାୟତାରେ ସୂଚନା ମିଳିପାରିବ । ତେଣୁ ସାପ କାମୁଡ଼ା ପୀଡ଼ିତଙ୍କୁ ଧରି ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଚକ୍କର କାଟିବାକୁ ପଡ଼ିବ ନାହିଁ ।
ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି, ସାପ ବିଷରୁ ବର୍ତ୍ତିବା ପାଇଁ ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟି ଭେନମ ସେରମ ଇଞ୍ଜେକସନ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି । ପ୍ରତି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଡାକ୍ତରଖାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା ଉପଲବ୍ଧ ରହିଛି । ଦୁର୍ଗମ ଅଞ୍ଚଳର ଅଙ୍ଗନବାଡ଼ି କେନ୍ଦ୍ର ଓ ଆଶା କର୍ମୀଙ୍କ ପାଖରେ ବି ଏହି ଇଞ୍ଜେକସନ ରହିଛି । ତେଣୁ ସାପ କାମୁଡ଼ିବା ପରେ ବିଳମ୍ବ ନକରି ଶୀଘ୍ର ହସ୍ପିଟାଲକୁ ଆଣନ୍ତୁ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ବର୍ତ୍ତମାନ ସାପ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଥାଏ । ଗୋଟିଏ ପଟେ ମେ’ ମାସରୁ ସାପ ଅଣ୍ଡା ଫୁଟି ବହୁଳ ସଂଖ୍ୟାରେ ସାପ ଛୁଆ ଜନ୍ମ ନେଇଥାଆନ୍ତି ।
ଅନ୍ୟପଟେ ବର୍ଷାରେ ସାପ ଗାତରେ ପାଣି ପଶିଯିବାରୁ ସେମାନେ ସୁରକ୍ଷିତ ଆଶ୍ରୟ ସ୍ଥଳ ଖୋଜିଥାଆନ୍ତି । ବହୁ ସମୟରେ ସାପମାନେ ଘରକୁ ବି ପଶି ଆସନ୍ତି । ତେବେ ସାପ କାମୁଡ଼ିବା ପରେ ଅନେକ ଲୋକେ ହସ୍ପିଟାଲ ଚକ୍କର କାଟି କାଟି ଅଧିକ ସମୟ ନେଇଥାଆନ୍ତି । ଏହି ବିଳମ୍ବ ଭିତରେ ସାପ କାମୁଡ଼ିଥିବା ଲୋକଙ୍କ ଶରୀରରେ ବିଷ ପ୍ରବାହ ବଢ଼ିବାରୁ ତାଙ୍କର ମୃତ୍ୟୁ ହୋଇଥାଏ । ଅନେକ ସମୟରେ ସାପ କାମୁଡ଼ିଥିବା ଲୋକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁ ଆବଶ୍ୟକ ପଡ଼େ । ନିକଟସ୍ଥ ସରକାରୀ ହସ୍ପିଟାଲରେ ଆଇସିୟୁ ନଥିଲେ ଲୋକେ ରୋଗୀଙ୍କୁ ଦୂର ସରକାରୀ ହସ୍ପିଟାଲକୁ ନେଉଛନ୍ତି । ଏଥିରେ ଅଧିକ ସମୟ ଯାଉଥିବାରୁ ସାପ କାମୁଡ଼ିଥିବା ଲୋକଙ୍କ ପ୍ରାଣହାନି ଆଶଙ୍କା ବଢୁଛି । ସଡ଼କ ଦୁର୍ଘଟଣାରେ ଯେଉଁଭଳି ପ୍ରଥମ ୪୮ ଘଣ୍ଟା ସବୁ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ମିଳୁଛି, ସେଭଳି ସୁବିଧା ସାପ କାମୁଡ଼ା ରୋଗୀଙ୍କ ପାଇଁ ବି ଘୋଷଣା କରାଯାଉ । ଏହାଦ୍ୱାରା ଲୋକେ ଆଉ ସାପ କାମୁଡ଼ା ରୋଗୀଙ୍କୁ ଧରି ଦୂର ସରକାରୀ ହସ୍ପିଟାଲ ଯାଇ ସମୟ ନଷ୍ଟ କରିବେନି । ହାତୀ, ବାଘ, କୁମ୍ଭୀର ଆଦି ବନ୍ୟପ୍ରାଣୀ ଆକ୍ରମଣରେ ମଣିଷର ମୃତ୍ୟୁ ହେଲେ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଦେବାକୁ ସରକାର ଘୋଷଣା କରିଛନ୍ତି । ସାପ କାମୁଡ଼ା ମୃତ୍ୟୁରେ କାହିଁକି ୪ ଲକ୍ଷ ଟଙ୍କା ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି ।