ବ୍ୟୁରୋ୧୨/୦୭ : ସାପକୁ ମାରିଲେ ଅନ୍ୟ ସାପ ନେବ ପ୍ରତିଶୋଧ ! ଏହି କଥା ଶୁଣି ଆସୁଛନ୍ତି କି ? ସାପ ଓ ପ୍ରତିଶୋଧକୁ ନେଇ ଅନେକ ଲୋକକଥା ରହିଛି। ବିଶେଷକରି ଗାଁ ଅଞ୍ଚଳରେ ଏକ ଧାରଣା ପ୍ରଚଳିତ ଅଛି ଯେ, ଯଦି କେହି ସାପକୁ ମାରିଦିଏ, ତେବେ ଅନ୍ୟ ଏକ ସାପ ଆସି ସେହି ବ୍ୟକ୍ତିଙ୍କୁ ଖୋଜି ପ୍ରତିଶୋଧ ନେବ। କିନ୍ତୁ ଏହାର କୌଣସି ବୈଜ୍ଞାନିକ ଆଧାର ନାହିଁ। ବିଶେଷଜ୍ଞଙ୍କ ଅନୁସାରେ, ସାପମାନଙ୍କର ମଣିଷ ପରି ଭାବନା, ସ୍ମୃତି କିମ୍ବା ପ୍ରତିଶୋଧ ନେବାର କ୍ଷମତା ନଥାଏ। ସେମାନେ କେବଳ ନିଜର ପ୍ରାକୃତିକ ପ୍ରବୃତ୍ତି ଅନୁସାରେ ଚାଲନ୍ତି।
ପ୍ରତିଶୋଧ ନୁହେଁ ଏହା ପ୍ରାକୃତିକ ପ୍ରକ୍ରିୟା
ସାପ ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରଜନନ ଋତୁରେ ସାପମାନେ ପରସ୍ପରକୁ ଚିହ୍ନିବା ପାଇଁ ଗନ୍ଧ ଉପରେ ନିର୍ଭର କରନ୍ତି। ମାଈ ସାପ ଶରୀରରୁ ‘ଫେରୋମୋନ୍’ ନାମକ ଏକ ବିଶେଷ ରାସାୟନିକ ସଙ୍କେତ ଛାଡ଼ିଥାଏ । ପୁରୁଷ ସାପମାନେ ନିଜ ଜିଭ ଏବଂ ଜାକବସନ୍ ଅଙ୍ଗ ମାଧ୍ୟମରେ ଏହି ଗନ୍ଧକୁ ଚିହ୍ନଟ କରନ୍ତି। ଏହା ପ୍ରଜନନ ପାଇଁ ଏକ ସ୍ୱାଭାବିକ ଜୈବିକ ପ୍ରକ୍ରିୟା।
ମୃତ ସାପ ପରେ କାହିଁକି ଆସେ ଅନ୍ୟ ସାପ?
ଅନେକ ସମୟରେ ଦେଖାଯାଏ ଯେ, ସାପ ମରିବା ପରେ ସେହି ସ୍ଥାନରେ ଆଉ ଏକ ସାପ ଆସିଥାଏ। ଏହାକୁ ଲୋକମାନେ ପ୍ରତିଶୋଧ ବୋଲି ଭାବନ୍ତି । କିନ୍ତୁ ମଣିଷକୁ ନୁହେଁ, ଗନ୍ଧକୁ ଅନୁସରଣ କରେ ସାପ । ବିଶେଷଜ୍ଞଙ୍କ ମତରେ ମୃତ ସାପ ନିକଟରେ ଥିବା ଫେରୋମୋନ୍ କିମ୍ବା ଅନ୍ୟ ଗନ୍ଧ ସଙ୍କେତ ଯୋଗୁଁ ଅନ୍ୟ ସାପ ସେହି ସ୍ଥାନକୁ ଆକର୍ଷିତ ହୋଇପାରେ । ଏହା କୌଣସି ବ୍ୟକ୍ତିକୁ ଚିହ୍ନିବା କିମ୍ବା ତା’କୁ ଆକ୍ରମଣ କରିବାର ଉଦ୍ଦେଶ୍ୟ ନୁହେଁ।
ଚାଉଁରପୁର ପୋଲରୁ ଡେଇଁ ନାବାଳିକା ନିଖୋଜ ଘଟଣା: ଅଗ୍ନିଶମ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ, ଜଣେ ନାବାଳକ ଅଟକ
ସାପମାନେ କେମିତି ଚିହ୍ନନ୍ତି ପରସ୍ପରକୁ?
ସାପମାନଙ୍କର ଘ୍ରାଣ ଶକ୍ତି ଅତ୍ୟନ୍ତ ତୀବ୍ର। ସେମାନେ ନିଜ ଜିଭ ଦ୍ୱାରା ପରିବେଶର ରାସାୟନିକ ସଙ୍କେତ ସଂଗ୍ରହ କରି ଜାକବସନ୍ ଅଙ୍ଗ ମାଧ୍ୟମରେ ତାହାକୁ ବୁଝନ୍ତି । ଏହି କ୍ଷମତା ଯୋଗୁଁ ସେମାନେ ଖାଦ୍ୟ, ସାଥୀ ଏବଂ ନିଜ ପରିବେଶ ବିଷୟରେ ସୂଚନା ପାଆନ୍ତି ।
ସାପ ଦେଖିଲେ କ’ଣ କରିବେ?
ସାପ ପରିବେଶର ଏକ ଗୁରୁତ୍ୱପୂର୍ଣ୍ଣ ଜୀବ। ସେମାନେ ମୂଷା ଓ ଅନ୍ୟ କ୍ଷତିକାରକ ପ୍ରାଣୀଙ୍କ ସଂଖ୍ୟା କମାଇବାରେ ସହାୟତା କରନ୍ତି । ଯଦି ଘର କିମ୍ବା କ୍ଷେତରେ ସାପ ଦେଖାଯାଏ, ତେବେ ତାକୁ ମାରିବା ପରିବର୍ତ୍ତେ ସୁରକ୍ଷିତ ଦୂରତା ରଖନ୍ତୁ। ବନ ବିଭାଗ କିମ୍ବା ସାପ ଉଦ୍ଧାରକାରୀଙ୍କୁ ଖବର ଦିଅନ୍ତୁ । ସାପ ପ୍ରତିଶୋଧ ନେବା ଏକ ଲୋକକଥା ମାତ୍ର। ବୈଜ୍ଞାନିକ ଭାବେ ସାପମାନେ କେବଳ ନିଜର ପ୍ରାକୃତିକ ଜୈବିକ ପ୍ରକ୍ରିୟା ଓ ରାସାୟନିକ ସଙ୍କେତକୁ ଅନୁସରଣ କରନ୍ତି । ଅନ୍ଧବିଶ୍ୱାସ ନୁହେଁ ବିଜ୍ଞାନକୁ ବୁଝିବା ଆବଶ୍ୟକ।