ପୁରୀ୦୭/୦୬: ସ୍ନାନ ପୂର୍ଣ୍ଣମୀ ପୂର୍ବରୁ ରଥରେ ଉଠିବ  ଚାରିନାହାକା । ଏଣୁ ବେଶ୍‌ ତତ୍ପର ଅଛନ୍ତି ନିର୍ମାଣକାରୀ ।  ଶୁକ୍ରବାର ରଥ ୫ ଦଣ୍ଡାରେ ଦୁଇଟି ଗରାଗରା  ରଖି କଣ୍ଟା ପିଟାଗଲା । ଆଗ ଓ ପଛ ନିରାଡ଼ି  ଉପରେ ୨ଟି ଲେଖାଏଁ ପୋଲ (ବଡ଼) ଗୟଳ  ଲାଗିଛି । ଦଣ୍ଡା ଓ ପୋଲ ଗୟଳ ମଝିରେ ଅଂଶୁଆରୀ ଓ  ଟାଣ ଦିଆଯାଇଛି । ଗରଗରା କାଠରେ ଉଠିବ ଚାରିନାହାକା ।  ପରେ ରଥର ଉପରି ଅଂଶ କାମ ଆରମ୍ଭ ହୋଇଯିବ ।  

ଶନିବାର ରଥରେ ଚାରି ନାହାକା ଉଠିବାକୁ ପ୍ରସ୍ତୁତି ଚାଲିଛି ।  ଶୁକ୍ରବାର ଖଳାରେ ଅଂଳା କାମ ଆରମ୍ଭ ହୋଇଛି ।  ଦୁଆରଘଡ଼ାର ଉପରିଭାଗ ହେଉଛି ଅଂଳା ।  ସେପଟେ ରୂପକାର ସେବକମାନେ ବେଦି ସିଂହାସନ ମୁହାଁଟି ଓ ନାଟଗୋଡ଼ରେ  ରାହୁରୂପ ତଥା ଗନ୍ଧର୍ବ ରୂପ ଖୋଦେଇରେ ଲାଗିଛନ୍ତି । ଦୋଳବେଦି ପରିସରରେ କମାର ସେବକ ଗୋଡ଼ିଛାଲ କଣ୍ଟା ଓ ଗୟଳ ପାଇଁ ତାଗ କଣ୍ଟା ତିଆରି କରୁଛନ୍ତି ।