ପୁରୀ୦୭/୦୬: ସ୍ନାନ ପୂର୍ଣ୍ଣମୀ ପୂର୍ବରୁ ରଥରେ ଉଠିବ ଚାରିନାହାକା । ଏଣୁ ବେଶ୍ ତତ୍ପର ଅଛନ୍ତି ନିର୍ମାଣକାରୀ । ଶୁକ୍ରବାର ରଥ ୫ ଦଣ୍ଡାରେ ଦୁଇଟି ଗରାଗରା ରଖି କଣ୍ଟା ପିଟାଗଲା । ଆଗ ଓ ପଛ ନିରାଡ଼ି ଉପରେ ୨ଟି ଲେଖାଏଁ ପୋଲ (ବଡ଼) ଗୟଳ ଲାଗିଛି । ଦଣ୍ଡା ଓ ପୋଲ ଗୟଳ ମଝିରେ ଅଂଶୁଆରୀ ଓ ଟାଣ ଦିଆଯାଇଛି । ଗରଗରା କାଠରେ ଉଠିବ ଚାରିନାହାକା । ପରେ ରଥର ଉପରି ଅଂଶ କାମ ଆରମ୍ଭ ହୋଇଯିବ ।
ଶନିବାର ରଥରେ ଚାରି ନାହାକା ଉଠିବାକୁ ପ୍ରସ୍ତୁତି ଚାଲିଛି । ଶୁକ୍ରବାର ଖଳାରେ ଅଂଳା କାମ ଆରମ୍ଭ ହୋଇଛି । ଦୁଆରଘଡ଼ାର ଉପରିଭାଗ ହେଉଛି ଅଂଳା । ସେପଟେ ରୂପକାର ସେବକମାନେ ବେଦି ସିଂହାସନ ମୁହାଁଟି ଓ ନାଟଗୋଡ଼ରେ ରାହୁରୂପ ତଥା ଗନ୍ଧର୍ବ ରୂପ ଖୋଦେଇରେ ଲାଗିଛନ୍ତି । ଦୋଳବେଦି ପରିସରରେ କମାର ସେବକ ଗୋଡ଼ିଛାଲ କଣ୍ଟା ଓ ଗୟଳ ପାଇଁ ତାଗ କଣ୍ଟା ତିଆରି କରୁଛନ୍ତି ।