ୱାଶିଂଟନ୍ ଡିସି,୨୮/୦୧: ଆମେରିକାରେ ରବିବାରଠାରୁ ବରଫ ଝଡ଼ ଜାରି ରହିଛି । ଏଥିଯୋଗୁ ନ୍ୟୁୟର୍କ ସମେତ ସାରା ଦେଶରେ ୩୦ ଜଣ ପ୍ରାଣ ହରାଇଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦ଟି ରାଜ୍ୟ ଏବଂ ରାଜଧାନୀ ୱାଶିଂଟନ୍ ଡିସିରେ ଜରୁରି ସ୍ଥିତି ଘୋଷଣା କରିଛନ୍ତି । ଅତି ଆବଶ୍ୟକ ନଥିଲେ ଲୋକଙ୍କୁ ବାହାରକୁ ନ ବାହାରିବା ଏବଂ ଗାଡି଼ର ସୀମିତ ବ୍ୟବହାର ଲାଗି ନିର୍ଦ୍ଦେଶ ଦିଆଯାଇଛି । ନ୍ୟାସନାଲ ୱେଦର ସର୍ଭିସ୍ ମୁତାବକ, ବରଫ ଝଡ଼ ପ୍ରାୟ ୩,୨୨୦ କିମି ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ପ୍ରାୟ ୨୧ କୋଟି ଅର୍ଥାତ୍ ଦୁଇ ତୃତୀୟାଂଶ ଆମେରିକୀୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।
ଅନେକ ଅଞ୍ଚଳରେ ୧୨ ଇଞ୍ଚରୁ ୨୦ ଇଞ୍ଚ ଯାଏ ବରଫ ପଡି଼ଛି । ସେଥିଯୋଗୁ ରାଜପଥ ବନ୍ଦ ହୋଇଯାଇଥିବାବେଳେ ସ୍କୁଲ ଛୁଟି କରାଯାଇଛି । ବରଫଝଡ଼ ଏବଂ ବର୍ଷା ଯୋଗୁ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି । ୭ ଲକ୍ଷ ଘରେ ବିଜୁଳି ନାହିଁ । ଟେନେସି ପ୍ରଦେଶ ଝଡ଼ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି । ସେଠାରେ ୩.୩୭ ଲକ୍ଷ ଲୋକଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ବିଜୁଳି ନାହିଁ । ଲୁଇସିଆନା, ମିସିସିପି, କେଣ୍ଟକି, ଜର୍ଜିଆ, ଆଲବାମା ଏବଂ ୱେଷ୍ଟ ଭର୍ଜିନିଆରେ ମଧ୍ୟ ହଜାର ହଜାର ଲୋକ ବିନା ବିଜୁଳିରେ ଅଛନ୍ତି । କ୍ଷୟକ୍ଷତି ଅଧିକ ହୋଇଥିବାରୁ ବିଦ୍ୟୁତ୍ ଯୋଗାଣ ଲାଗି କେଇ ସପ୍ତାହ ଲାଗିପାରେ ।
ଇତି ମଧ୍ୟରେ ବରଫଝଡ଼ ଯୋଗୁ ରବିବାର ଦେଶରେ ୧୦,୮୦୦ରୁ ଅଧିକ ଉଡାଣ ରଦ୍ଦ ହୋଇଥିଲା । ସେହିପରି ସୋମବାର ୮୦୦୦ରୁ ଅଧିକ ବିମାନର ଉଡ଼ାଣ ରଦ୍ଦ ହୋଇଥିଲା । ବିମାନ ବାତିଲ ଏବଂ ଉଡା଼ଣରେ ବିଳମ୍ବ ସମସ୍ୟା ଆହୁରି କିଛି ଦିନ ଧରି ଲାଗି ରହିପାରେ ବୋଲି ଆଶଙ୍କା କରାଯାଉଛି । ଏମର୍ଜେନ୍ସି ଘୋଷିତ ହୋଇଥିବା ରାଜ୍ୟରେ ନ୍ୟାସନାଲ୍ ଗାର୍ଡ ଏବଂ ଉଦ୍ଧାରକାରୀ ଟିମ୍କୁ ମୁତୟନ କରାଯାଇଛି । ନ୍ୟୁୟର୍କର ଗଭର୍ନର କାଥି ହୋଚୁଲ୍ ବରଫ ହଟାଇବା ଲାଗି ପୂରା ରାଜ୍ୟରେ ୧୬୦୦ରୁ ଅଧିକ ମେସିନ୍, ୧ ଲକ୍ଷ ୧୪ ହଜାର ଟନ୍ ଲୁଣ ପ୍ରସ୍ତୁତ ରଖାଯାଇଥିବା କହିଛନ୍ତି ।