ଭୁବନେଶ୍ୱର,୦୭/୧୧:ସମାଜସେବୀ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ  ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ  ଏୟାରପୋର୍ଟ ଥାନା ପୁଲିସ୍‌ ସଫଳ  ହୋଇଛି । ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ  ଗିରଫ କରିଛି । ସେମାନେ ହେଲେ ମୁଖ୍ୟ  ଅଭିଯୁକ୍ତ ପଳାଶପଲ୍ଳୀ ଲେନ୍‌-୧୧ର ପ୍ରମୋଦ  ମହାପାତ୍ର ଓରଫ ଗଣେଶ, ନୟାଗଡ଼ର  ଦେବାଶିଷ ନାୟକ, ପୁରୀର ସଞ୍ଜୟ  ବାରିକ ଓ କେଦାରପଲ୍ଳୀର ଭିକି ନାୟକ ।  ଏମାନଙ୍କ ଠାରୁ ୨ଟି ଖଣ୍ଡା, ୨ଟି ବାଇକ୍‌  ଓ ୪ଟି ମୋବାଇଲ୍‌ ଜବତ କରାଯାଇଛି ।  ଏହି ଆକ୍ରମଣରେ ସାମିଲ ଅନ୍ୟ ୪ ଜଣ  ଫେରାର ଥିବା ଡିସିପି ପିନାକ ମିଶ୍ର ସାମ୍ବାଦିକ  ସମ୍ମିଳନୀରେ ସୂଚନା ଦେଇଛନ୍ତି ।  

ସୋମବାର ରାତି ପ୍ରାୟ ୧୦ଟା ୧୫ରେ ଶିବ  ସ୍କୁଟିରେ ଘରକୁ ଫେରୁଥିଲେ । ଏହି ସମୟରେ  ଗିରଫ ଅଭିଯୁକ୍ତମାନେ ୨ଟି ବାଇକ୍‌ରେ ଖଣ୍ଡା  ଓ ଭୁଜାଲି ଧରି ତାଙ୍କୁ ପିଛା କରୁଥିଲେ ।  ପଳାଶପଲ୍ଳୀ ଲେନ୍‌-୭ରେ ଶିବଙ୍କ ସ୍କୁଟିର ଗତି  ଧୀର ଥିଲା । ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ  ଅଟକାଇ ଆକ୍ରମଣ କରିଥିଲେ । ଫଳରେ ସେ  ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ  କ୍ୟାପିଟାଲ୍‌ ଓ ପରେ ଏମସ୍‌ ହସ୍ପିଟାଲ୍‌ରେ  ଭର୍ତ୍ତି କରାଯାଇଥିଲା । ତେବେ ଏନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ  ଗୌରହରି ରଣସିଂହ । ପୁଲିସ୍‌ ମାମଲା ରୁଜୁ  କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସହଯୋଗ କରିଥିଲା ସ୍ପେଶାଲ୍‌ ସ୍କ୍ୱାଡ୍‌ । ଘଟଣାର ଘଟିବାର ୪୮ ଘଣ୍ଟା ମଧ୍ୟରେ  ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିଲା । 

ଅଧିକ ତଦନ୍ତ କରି ପୁଲିସ୍‌ ଜାଣିବାକୁ  ପାଇଥିଲା, ଗତ ୨ ତାରିଖରେ ଗିରଫ  ଅଭିଯୁକ୍ତ ଗଣେଶକୁ ବାଲିଅନ୍ତା ଥାନା  ଅଞ୍ଚଳରେ କିଛି ଯୁବକ ମରଣାନ୍ତକ ଆକ୍ରମଣ  କରିଥିଲେ । ଏନେଇ ସେ ବାଲିଅନ୍ତା ଥାନାରେ  ଅଭିଯୋଗ କରିଥିଲେ । ପୁଲିସ୍‌ ମାମଲା ରୁଜୁ  କରି ଅଭିଯୁକ୍ତଙ୍କୁ ଖୋଜାଖୋଜି କରୁଥିଲା ।  ସେବେଠାରୁ ଗଣେଶ ସନ୍ଦେହ କରୁଥିଲା  ଆକ୍ରମଣ ପଛରେ ଶିବଙ୍କ ହାତ ରହିଛି ।  ତେଣୁ ଶିବଙ୍କୁ ପାନେ ଦେବାକୁ ସେ ଯୋଜନା  କରୁଥିଲା । ଗଣେଶ ଓ ତା’ର ୭ ଜଣ  ସହଯୋଗୀ ମିଶି ଶିବକୁ ଆକ୍ରମଣ ପାଇଁ  ଯୋଜନା କରିଥିଲେ । ଗତ ୪ ତାରିଖରେ  ରାତିରେ ସଫଳ ହୋଇଥିଲା । ଏହି ଘଟଣାରେ  ପୁଲିସ୍‌ ବର୍ତ୍ତମାନ ୪ ଜଣଙ୍କୁ ଗିରଫ କରିଛି ।  ଅନ୍ୟ ୪ ଜଣଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ  ବୋଲି ଡିସିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।  ଗିରଫ ଅଭିଯୁକ୍ତମାନଙ୍କ ନାଁରେ ବିଭିନ୍ନ  ଥାନାରେ ଏକାଧିକ ମାମଲା ଥିବା ଜଣାପଡ଼ିଛି ।