ରାଉରକେଲା ୨୮/୦୭: ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ମାଓଗଡ଼ ଭାବେ ପରିଚିତ ସରଣ୍ଡାରେ ମାଓବାଦୀଙ୍କୁ ବଡ଼ ଝଟ୍‌କା ଲାଗିଛି । ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର କିଣିବାକୁ ମାଟି ତଳେ ଲୁଚାଇ ରଖିଥିବା ୩୫ ଲକ୍ଷ ଟଙ୍କା ଜବତ କରିଛନ୍ତି ଯବାନ । ମାଓବାଦୀ ନିପାତ ଅଭିଯାନରେ ସାମିଲ୍‌ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ବଡ଼ଧରଣର ଅଘଟଣ ଘଟାଇବା ପୂର୍ବରୁ ଟଙ୍କା ଜବତ ବଡ଼ ସଫଳତା ବୋଲି କୁହାଯାଉଛି । 

ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ସକ୍ରିୟ ମାଓବାଦୀ ବିଭିନ୍ନ ସ୍ଥାନରୁ ଟଙ୍କା ଆଦାୟ କରୁଥିବା ଯବାନ ସୂଚନା ପାଇଥିଲେ । ହେଲେ କେତେ ଟଙ୍କା ଆଦାୟ ହୋଇଛି ଏବଂ କେଉଁଠାରେ ରଖାଯାଇଛି, ତା’ର କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରୁ ନ ଥିଲା । କରାଇକେଲା ଥାନା ଅନ୍ତର୍ଗତ ପୋଡ଼ାହାଟ ଅଞ୍ଚଳରେ ମାଓବାଦୀ ଟଙ୍କା ଲୁଚାଇ ରଖିଥିବା ସୂଚନା ମିଳିବା ପରେ ଦୁଇ ଦିନ ହେଲା ସିଆର୍‌ପିଏଫ୍‌, କୋବ୍ରା, ଝାଡ଼ଖଣ୍ଡ ଜାଗୁଆର ଓ ଚାଇଁବସା ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା । ଶେଷରେ ପୋଡ଼ାହାଟ ନିକଟ ଜଙ୍ଗଲରେ ମାଟି ତଳେ ଲୁଚାଯାଇଥିବା ଟଙ୍କା ଠାବ କରାଯାଇଥିଲା । ଟଙ୍କାଗୁଡ଼ିକୁ ୪୫ ବଣ୍ଡଲରେ ପଲିଥିନ୍‌ ଗୁଡ଼ାଇ ରଖାଯାଇଥିଲା । ସେଥିମଧ୍ୟରୁ ଅଧିକାଂଶ ୫୦୦ ଟଙ୍କିଆ । ବର୍ଷା ପାଣି ଭେଦି ସେସବୁ ଓଦା ହୋଇଯାଇଥିଲା । ଗଣତି ପରେ ମୋଟ ୩୫ ଲକ୍ଷ ଟଙ୍କା ଥିବା ଜଣାପଡ଼ିଥିଲା । ଜବତ ଟଙ୍କାକୁ ରାଞ୍ଚି ପୁଲିସ ମୁଖ୍ୟାଳୟକୁ ନିଆଯାଇଥିବା ରାଞ୍ଚି ରେଞ୍ଜ୍‌ ଆଇଜି ମନୋଜ କୌଶିକ ସୂଚନା ଦେଇଛନ୍ତି । 

ସରଣ୍ଡା ଜଙ୍ଗଲରେ ପ୍ରାୟ ବର୍ଷେ ହେଲା ଚାଲିଛି ଅପରେସନ ‘ଚକ୍ରବ୍ୟୁହ’ । ଇତିମଧ୍ୟରେ ମାଓବାଦୀ ଆତ୍ମଗୋପନ କରିବା ଲାଗି ତିଆରି କରିଥିବା ଶତାଧିକ ବଙ୍କର, ବିସ୍ଫୋରକ, ଲ୍ୟାଣ୍ଡମାଇନ୍‌, ଅତ୍ୟାଧୁନିକ ବନ୍ଧୁକ ଜବତ ହେଲାଣି । ନିକଟରେ ବାଙ୍କୋ ପଥର ଖାଦାନରୁ ମାଓବାଦୀ ବିସ୍ଫୋରକ ବୋଝେଇ ଟ୍ରକ୍‌ ଲୁଟିଥିଲେ । ସୁରକ୍ଷା ବାହିନୀ ଏବଂ ପୁଲିସ୍‌ର ତ୍ୱରିତ କାର୍ଯ୍ୟାନୁଷ୍ଠାନରୁ ସିଂହଭାଗ ବିସ୍ଫୋରକ ଜବତ ହୋଇଛି । ବାରମ୍ବାର ଯୋଜନା ପଣ୍ଡ ହେଉଥିବାରୁ ଯବାନଙ୍କୁ ଟାର୍ଗେଟ କରିବାକୁ ନକ୍ସଲ ବାହିନୀ ନୂଆ ବାଟ ଖୋଜୁଛନ୍ତି । ବିଭିନ୍ନ ସୂତ୍ରରୁ ଚାନ୍ଦା ଆଦାୟ କରି ଲ୍ୟାଣ୍ଡମାଇନ୍‌ ବିଛାଇବା ଏବଂ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ନୂଆ କୌଶଳ ଆପଣାଉଛନ୍ତି । 

ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି, ସରଣ୍ଡା ଓ କୋହ୍ଲାନ ଜଙ୍ଗଲରେ ଆତ୍ମଗୋପନ କରିଥିବା ମାଓନେତା ମିଶିର ବେସ୍ରା, ଅନମୋଲ ହେମ୍ବ୍ରମ ଓରଫ ସମରଜୀ, ମେଚ୍ଛୁ, ଅନଲ, ଅସୀମ ମଣ୍ଡଳ, ଅଜୟ ମାହାତୋ, ସାଗେନ ଅଙ୍ଗରିଆ, ଅଶ୍ୱିନୀ, ପିଣ୍ଟୁ ଲୋହରା, ଚନ୍ଦନ ଲୋହରା, ଅମିତ ହାଁସଦା, ଜୟକାନ୍ତ, ରାପା ମୁଣ୍ଡାଙ୍କୁ ଧରିବା ଲାଗି ଜୋର୍‌ଦାର ଅପରେସନ ଚାଲିଛି । ଯବାନଙ୍କ ମୁକାବିଲା କରିବାକୁ ମାଓବାଦୀ ସଙ୍ଗଠନ ପାଖରେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ନାହିଁ । ଏହି ଅଭାବ ପୂରଣ କରିବାକୁ ସେମାନେ ଖଣି ଓ ପଥର ଖାଦାନ ମାଲିକଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି । ତେବେ ଟଙ୍କା ଆଦାୟର ସୂତ୍ର ସମ୍ପର୍କରେ ଜାଣିବାକୁ ପୁଲିସ୍‌ ତନାଘନା ଆରମ୍ଭ କରିଛି ।