ରାଉରକେଲା,୧୨/୦୩: ସରଣ୍ଡା ଜଙ୍ଗଲକୁ ମାଓ ମୁକ୍ତ କରିବା ଲାଗି ପ୍ରସ୍ତୁତ ହୋଇ ସାରିଛି ନୂଆ ରଣନୀତି । ୪ ହଜାରରୁ ଅଧିକ ଯବାନ ସରଣ୍ଡାକୁ ଘେରି ରହିଛନ୍ତି । ବାରମ୍ବାର ଖସି ଯାଉଥିବା ମାଓନେତା ମିଶିର ବେସ୍ରା ଓ ଅସୀମ ମଣ୍ଡଳ ଓରଫ ଆକାଶ ରହିଛନ୍ତି ଯବାନଙ୍କ ଟାର୍ଗେଟ୍‌ରେ । ସେମାନଙ୍କୁ ଠାବ କରିବା ଲାଗି ଡ୍ରୋନ୍‌ର ସହାୟତା ନିଆଯାଉଛି।

ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରି ସାରିଛନ୍ତି । ଏହି ପରିପ୍ରେକ୍ଷୀରେ ସରଣ୍ଡା ଜଙ୍ଗଲର ଜରାଇକେଲା ଠାରୁ ଆରମ୍ଭ କରି ଥଲ୍କୋବାଦ, ରେଢ଼ାରୁ ତିରିଲିପୋଷି ଏପରିକି ଚିଡିଆ, ଗୁଆ ଆଦି ଅଞ୍ଚଳକୁ ସିଆର୍ପିଏଫ୍, କୋବ୍ରା, ଜାଗୁଆର ବାହିନୀ ଓ ଚାଇଁବସା ସ୍ୱତନ୍ତ୍ର ପୁଲିସ୍ ବାହିନୀର ଯବାନମାନେ ସରଣ୍ଡାକୁ ଗତ ୪ ଦିନ ହେବ ଘେରିକି ରହିଛନ୍ତି । ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ମିଶିର ବେସ୍ରା ଓ ଅସୀମ ମଣ୍ଡଳ ଏହି ଜଙ୍ଗଲର କୌଣସି ଏକ ସ୍ଥାନରେ ଆତ୍ମଗୋପନ କରିଛନ୍ତି ବୋଲି ବିଶ୍ୱାସ କରାଯାଉଛି । କାରଣ ଗତ ୧ ତାରିଖରେ ଜରାଇକେଲା ଥାନା ଅନ୍ତର୍ଗତ ଚିଡ଼ିଆରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ ଓ ଗୁଳି ମାଡ଼ରେ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିଲେ ।

ସେହିପରି ୭ ତାରିଖରେ ଏହି ଥାନାର କୋଲବୋଙ୍ଗା ଅଞ୍ଚଳରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଘଟିଥିଲା ଗୁଳି ବିନିମୟ । ତେବେ ଏହି ଦୁଇ ଘଟଣାରେ ଯବାନଙ୍କ କବଳରୁ ଖସି ଯାଇଥିଲେ ମିଶିର ଓ ଅସୀମ । ମିଶିରଙ୍କ ନାମରେ ଓଡ଼ିଶା ସରକାର ୧ କୋଟି ୨୦ ଲକ୍ଷ ଟଙ୍କା ଓ ଅସୀମଙ୍କ ନାଁରେ ସମାନ ଅଙ୍କର ଅର୍ଥ ପୁରସ୍କାର ରାଶି ଘୋଷଣା କରିଛନ୍ତି । ସେପଟେ ଝାଡ଼ଖଣ୍ଡ ସରକାର ଓ ଏନ୍ଆଇଏ ପକ୍ଷରୁ ଏହି ଦୁଇ ମାଓ ନେତାଙ୍କ ନାମରେ ଅର୍ଥ ରାଶି ଘୋଷଣା କରାଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଦମନ କରାଯାଇ ପାରୁନାହିଁ ।

ଜାନୁଆରୀ ୨୨ ତାରିଖରେ ଯବାନଙ୍କ ଏନ୍କାଉଣ୍ଟରରେ ପତିରାମ ମାଁଝୀ, ଅନମୋଲ ଓରଫ ସମରଜୀ, ଅମିତ, ରାପା ମୁଣ୍ଡାଙ୍କ ସମେତ ୧୫ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ମାଓ ସଂଗଠନକୁ ଲାଗିଥିଲା ଶକ୍ତ ଝଟ୍‌କା । ମାତ୍ର ଏବେ ବି ମିଶିର ଓ ଅସୀମ ଜଙ୍ଗଲରେ ରହିଥିବାରୁ ସେମାନଙ୍କୁ ଠାବ କରିବା ପାଇଁ ଦିନରାତି ଯବାନଙ୍କ ପକ୍ଷରୁ ଚାଲିଛି ଲଗାତାର ଅପରେସନ । ମିଶିର ଓ ଅସୀମଙ୍କ ନାମରେ ବହୁ ମାମଲା ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାର ରହିଛି । ସେମାନେ ଜଙ୍ଗଲର ଭିନ୍ନ ଭିନ୍ନ ଜାଗାରେ ରହି ଯାବନଙ୍କୁ ଟାର୍ଗେଟ କରୁଛନ୍ତି । ତେଣୁ ସେମାନଙ୍କୁ ଦମନ କରିବା ଜରୁରି ହୋଇପଡ଼ିଛି । ଅପରେସନ ସମୟରେ ଉଦ୍ଧାର କାର୍ଯ୍ୟ ଲାଗି ଦୁଇଟି ହେଲିକପ୍ଟର ରଖାଯାଇଛି । ୩ଟି ଡ୍ରୋନ୍ ଜଙ୍ଗଲ ଉପରେ ଉଡ଼ୁଛି । ଆଗକୁ ସରଣ୍ଡାରେ ଯବାନଙ୍କ ପକ୍ଷରୁ ବଡ଼ ଧରଣର ଏନ୍କାଉଣ୍ଟର କରାଯିବା ଲାଗି ରଣନୀତି ପ୍ରସ୍ତୁତ ହୋଇ ସାରିଛି ।