ନୂଆଦିଲ୍ଲୀ,୧୧/୦୧: ''ଜୟ ସୋମନାଥ...ଶିବ ଶକ୍ତି..ଅତୁଟ ଭକ୍ତି । ସୋମନାଥ ସ୍ୱାଭିମାନ ପର୍ବ ଲକ୍ଷ ଲକ୍ଷ ଭାରତୀୟଙ୍କ ଅନନ୍ତ ବିଶ୍ୱାସ, ଭକ୍ତି ଏବଂ ଅଟଳ ସଂକଳ୍ପର ଏକ ଜୀବନ୍ତ ପ୍ରତିଫଳନ । ପବିତ୍ର ଶ୍ରୀ ସୋମନାଥ ମନ୍ଦିରରେ ଏହି ମହାନ ଉତ୍ସବର ଅଂଶ ହେବା ମୋ ଜୀବନର ଏକ ଅବିସ୍ମରଣୀୟ ଏବଂ ଅମୂଲ୍ୟ ମୁହୂର୍ତ୍ତ । ୧୦୦୦ ବର୍ଷ ପୂର୍ବେ, ଆକ୍ରମଣକାରୀମାନେ ଭାବୁଥିଲେ ଯେ, ସେମାନେ ଏହି ଭୂମି ଜିତି ନେଇଛନ୍ତି, କିନ୍ତୁ ଆଜି, ୧୦୦୦ ବର୍ଷ ପରେ ମଧ୍ୟ, ସୋମନାଥ ମନ୍ଦିର ଉପରେ ଥିବା 'ଧ୍ୱଜା' ବ୍ରହ୍ମାଣ୍ଡକୁ ଭାରତର ଶକ୍ତି ଏବଂ ସାମର୍ଥ୍ୟ ବିଷୟରେ କହୁଛି ।'' ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୋମନାଥ ମନ୍ଦିର ଉପରେ ବିଦେଶୀ ଆକ୍ରମଣକାରୀ ଓ ସେମାନଙ୍କ ବିରୁଦ୍ଧରେ ଲଢ଼ିଥିବା ବୀରଙ୍କ ବଳିଦାନ ଏବଂ ମନ୍ଦିର ପୁନଃନିର୍ମାଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,'' ଗଜନୀଠାରୁ ଔରଙ୍ଗଜେବ ଯାଏ ସମସ୍ତେ ଇତିହାସ ହୋଇଗଲେ, ହେଲେ ସୋମନାଥ ଆଜି ବି ଛିଡ଼ା ହୋଇଛନ୍ତି । ସ୍ୱାଧୀନତା ପରେ ୧୯୫୧, ୧୧ ମେରେ ଭକ୍ତମାନଙ୍କ ପାଇଁ ବର୍ତ୍ତମାନର ସୋମନାଥ ମନ୍ଦିର ଖୋଲାଯିବାର ୭୫ ବର୍ଷ ସହିତ ୨୦୨୬ ମଧ୍ୟ ମେଳ ଖାଉଛି । ଏହି ଦୁଇଟି ମାଇଲଖୁଣ୍ଟ ଏକାଠି ସୋମନାଥ ସ୍ୱାଭିମାନ ପର୍ବର ମୂଳଦୁଆ ଗଠନ କରିଛି । ଏହି ପର୍ବକୁ ବିଧ୍ୱଂସର ସ୍ମରଣ ଭାବରେ ନୁହେଁ, ବରଂ ସ୍ଥିରତା, ବିଶ୍ୱାସ ଏବଂ ସଭ୍ୟତା ସ୍ୱାଭିମାନର ୧୦୦୦ ବର୍ଷର ସ୍ୱାଭିମାନର ଯାତ୍ରା ଭାବରେ କଳ୍ପନା କରାଯାଇଛି । ଶତାବ୍ଦୀ ଧରି, ସୋମନାଥ ବାରମ୍ବାର ଆକ୍ରମଣକାରୀଙ୍କ ଦ୍ୱାରା ଟାର୍ଗେଟ ହୋଇଥିଲା, ଏବଂ ଭାରତୀୟ ସଭ୍ୟତା ଏବଂ ଅସ୍ତିତ୍ୱ ମଧ୍ୟ ସେହିପରି ଥିଲା । ନା ସୋମନାଥ ଧ୍ୱଂସ ପାଇଥିଲା, ନା ଭାରତ । ସୋନମାଥ ପରି ତୀର୍ଥସ୍ଥାନ ଆମକୁ ଶିଖାଇଛି କି ସୃଜନର ମାର୍ଗ ଲମ୍ବା ହୋଇଥାଏ ହେଲେ ତାହା ସ୍ଥାୟୀ ହୋଇଥାଏ । ଖଣ୍ଡା ଧାରରେ କେବେ ବି ହୃଦୟ ଜିତି ହୁଏନାହିଁ । ଯିଏ ଅନ୍ୟକୁ ହଟାଇ ଆଗକୁ ବଢିବାକୁ ଚାହେଁ ସେ ସମୟ ଅନୁସାରେ ନିଜେ ଶେଷ ହୋଇଯାଏ । ସୋମନାଥ ଇତିହାସ ବିନାଶ ଏବଂ ପରାଜୟର ଇତିହାସ ନୁହେଁ ଏହା ବିଜୟ ଏବଂ ପୁନଃନିର୍ମାଣର ଇତିହାସ ।"