ପଟ୍ଟାମୁଣ୍ଡାଇ,୧୯/୦୫: ଶ୍ଵଶୂର ଘର ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଜ୍ବାଇଁ ଗୁରୁତର। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଆଦର୍ଶଥାନା ଅନ୍ତର୍ଗତ ସେକପୁର ବନ୍ଧସାହି ଗ୍ରାମରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯୁବକ ଜଣକ ଗୁରୁତର ଆହତ ହୋଇ କଟକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି।ଆହତ ଯୁବକ ମହାକାଳପଡ଼ା ଥାନା ଅଳାଇଲେ ଗ୍ରାମର ସୁଦର୍ଶନ ସେଠୀ।

ସୂଚନା ମୁତାବକ ,ସୁଦର୍ଶନ ସେଠୀ ଗତ ୩ ବର୍ଷ ତଳେ ପଟ୍ଟାମୁଣ୍ଡାଇ ବ୍ଲକ ବନ୍ଧସାହି ଗ୍ରାମର ପୁର୍ଣ୍ଣିମା ସେଠୀକୁ ପ୍ରେମ ବିବାହ କରିଥିଲେ। ଆରମ୍ଭ ରୁ ହିଁ ସୁଦର୍ଶନ ଓ ପୁର୍ଣ୍ଣିମାଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ହେଲେ ୪ ଦିନ ତଳେ ସ୍ବାମୀସ୍ତ୍ରୀଙ୍କ ଭିତରେ ଗଣ୍ଡଗୋଳ ହେବାରୁ ପୂର୍ଣ୍ଣିମା ବାପଘରକୁ ଚାଲି ଆସିଥିଲେ । ଏହାପରେ ଗତ ୧୭ ତାରିଖ ଦିନ ସୁଦର୍ଶନ ନିଜ ସ୍ତ୍ରୀଙ୍କୁ ଭେଟିବା ପାଇଁ ଦୁଇଜଣ ଯୁବକଙ୍କ ସହ ସେକପୁର-ବନ୍ଧସାହିକୁ ଆସିଥିଲେ। ଏହି ସମୟରେ ସୁଦର୍ଶନ ଅତ୍ୟଧିକ ମଦ୍ୟପାନ କରି ଶ୍ଵଶୂର ଘରେ ଗଣ୍ଡଗୋଳ କରିଥିବାରୁ ତାଙ୍କୁ ପରିବାର ସଦସ୍ୟ ଓ ପଡ଼ୋଶୀ ବାନ୍ଧି ମାଡ଼ ମାରିଥିଲେ ।

ଆହୁରି ପଢନ୍ତୁ-Love Sex Dhokha: ପୁରୀ ବୁଲାଇବାକୁ ଆଣି ଯୁବତୀଙ୍କୁ ଦୁଷ୍କର୍ମ, ବିବାହ କରିବାକୁ ମନା କରି ଯୁବକ ଗିରଫ

ଏତିକି ବେଳେ ସୁଦର୍ଶନ ମଦ ସହ କନିଅର ମଞ୍ଜି ଖାଇଥିବା କହିବାରୁ ପତ୍ନୀ ପୂର୍ଣ୍ଣିମା ତାଙ୍କୁ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାକୁ ନେଇଯାଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି। ସେପଟେ ହାତ ଗୋଡ଼ ବାନ୍ଧି ସୁଦର୍ଶନକୁ ରଖିବା ଓ ତା ମୁହଁକୁ ପାଣି ଢ଼ାଳିବା ଭଳି ଭିଡିଓ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଥିସହ ସୁଦର୍ଶନଙ୍କୁ ଶାଶୂଘର ଲୋକ ମାଡ଼ ମାରି ଗୁରୁତର ଆହତ କରିଥିବା ନେଇ ତାଙ୍କ ଭଉଣୀ କଣ୍ଢେଇ ସେଠୀ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସୁଦର୍ଶନଙ୍କ ଭଉଣୀ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।