ମୁମ୍ୱାଇ,୨୦/୧୧ : ପୁଣି ଥରେ ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ସୋନମ କପୁର । ଦ୍ୱିତୀୟ ଗର୍ଭବତୀ ହେବାର ଘୋଷଣା କରିଛନ୍ତି ଅଭିନେତ୍ରୀ । ସୋନମ ତାଙ୍କ ଇନଷ୍ଟାଗ୍ରାମରେ ବେବି ବମ୍ପ ଲୁକ୍ ଫଟୋ ସେୟାର କରି ଖୁସି ଖବର ଦେଇଛନ୍ତି । ଯାହା ପରେ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କୁ ଶୁଭକାମନା ଜଣାଉଛନ୍ତି ।

ଅଭିନେତ୍ରୀ ସୋନମ ଇନଷ୍ଟାଗ୍ରାମରେ ନିଜର କିଛି ଫଟୋ ସେୟାର କରି ଦ୍ୱିତୀୟ ଗର୍ଭବତୀ ଘୋଷଣା କରିଛନ୍ତି । ସେୟାର ହୋଇଥିବା ଫଟୋଗୁଡିକରେ ତାଙ୍କୁ ଗୋଲାପୀ ଫର୍ମାଲ୍ ଡ୍ରେସ୍ ପିନ୍ଧିଥିବାର ଦେଖିବାକୁ ମିଳୁଛି ।ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ, ଅଭିନେତ୍ରୀ ପୋଷ୍ଟଟିକୁ ପୁନଃ ସେୟାର କରି ୨୦୨୬ରେ ତାଙ୍କର ପ୍ରସବ ତାରିଖକୁ ନିଶ୍ଚିତ କରିଛନ୍ତି। ଏନେଇ ଅନେକ ସେଲିବ୍ରିଟି ସୋନମଙ୍କ ପୋଷ୍ଟକୁ ଲାଇକ୍ ଏବଂ କମେଣ୍ଟ କରିଛନ୍ତି । ଅଭିନେତ୍ରୀ ପରିଣୀତି ଚୋପ୍ରା ସୋନମ କପୁରଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି, "ଅଭିନନ୍ଦନ।" ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି, "ଶୁଭେଚ୍ଛା ।" ସୋନମ କପୁରଙ୍କ ସ୍ୱାମୀ ଆନନ୍ଦ ଆହୁଜା କମେଣ୍ଟ କରିଛନ୍ତି, "ଡବଲ କଷ୍ଟ ।" କରୀନା କପୁର ଲେଖିଛନ୍ତି, "ସୋନା ଏବଂ ଆନନ୍ଦ ।"

ପ୍ରକାଶ ଥାଉକି, ସୋନମ ଆନନ୍ଦଙ୍କୁ ୨୦୧୮ ମସିହା ମେ ୮ ତାରିଖରେ ପାରମ୍ପରିକ ସମାରୋହରେ ବିବାହ କରିଥିଲେ । ଯାହାପରେ ସେମାନେ ୨୦୨୨ ଅଗଷ୍ଟରେ ସେମାନଙ୍କର ପ୍ରଥମ ସନ୍ତାନର ପିତାମାତା ହୋଇଥିଲେ । ସୋନମଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ସେ 'ନୀରଜା', 'ରାଞ୍ଝାନା', 'ବୀରେ ଦ ୱେଡିଂ' ଏବଂ 'ଦିଲ୍ଲୀ ୬' ଭଳି ଫିଲ୍ମ ମାଧ୍ୟମରେ ହୃଦୟ ଜିତିଛନ୍ତି । ପୁଅ ଜନ୍ମ ହେବା ପରେ, ସେ ତାଙ୍କ ପରିବାର ସହ ସମୟ ବିତାଇବା ପାଇଁ ଚଳଚ୍ଚିତ୍ରରୁ ବିରତି ନେଇଥିଲେ । ତାଙ୍କୁ ଶେଷ ଥର ପାଇଁ ୨୦୨୩ ରେ କ୍ରାଇମ୍ ଥ୍ରୀଲର୍ 'ବ୍ଲାଇଣ୍ଡ'ରେ ଦେଖିବାକୁ ମିଳିଥିଲା ।