ନୂଆଦିଲ୍ଲୀ,୨୮।୯:  ସୋନମ ୱାଙ୍ଗଚୁକଙ୍କ ବିରୋଧରେ ପାକିସ୍ତାନ ଲିଙ୍କ୍ ଏବଂ ଆର୍ଥିକ ଅନିୟମିତତାର ଅଭିଯୋଗକୁ ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ସହ ୱାଙ୍ଗଚୁକଙ୍କ ହିଂସାକୁ ଉସକାଇଥିବା ଅଭିଯୋଗକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି। ଗୀତାଞ୍ଜଳି କହିଛନ୍ତି,  ସେ ସର୍ବଦା ଗାନ୍ଧୀବାଦୀ ଢଙ୍ଗରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିଆସିଛନ୍ତି ଏବଂ ସେପ୍ଟେମ୍ବର ୨୪ ତାରିଖରେ ହୋଇଥିବା ହିଂସା CRPF କାର୍ଯ୍ୟାନୁଷ୍ଠାନ ଦ୍ୱାରା ଆରମ୍ଭ ହୋଇଥିଲା।ସୋନମ ୱାଙ୍ଗଚୁକଙ୍କୁ ସେପ୍ଟେମ୍ବର ୪ ତାରିଖରେ ଲଦାଖରେ ଷଷ୍ଠ ଅନୁସୂଚୀ ଏବଂ ରାଜ୍ୟ ମାନ୍ୟତା ଦାବିରେ  ପ୍ରତିବାଦ ପରେ NSA ଅଧୀନରେ ଗିରଫ କରାଯାଇଥିଲା। ଏହି ବିରୋଧ ପ୍ରଦର୍ଶନ ବେଳେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୯୦ ରୁ ଅଧିକ ଲୋକ ଆହତ ହୋଇଥିଲେ। ୱାଙ୍ଗଚୁକ ଏବେ ରାଜସ୍ଥାନର ଯୋଧପୁର ଜେଲରେ ଅଛନ୍ତି।

ଗୀତାଞ୍ଜଳି ଫୋନ୍‌ରେ PTI ସହ କଥା ହୋଇ କହିଛନ୍ତି, ସୋନମ ଓ୍ବାଙ୍ଗଚୁକ୍‌ଙ୍କ ଗିରଫଦାରୀ ପରଠାରୁ ସେ ତାଙ୍କୁ ଦେଖା କରିନାହାନ୍ତି। ଏହା ସହ କହିଛନ୍ତି ୱାଙ୍ଗଚୁକ୍‌ଙ୍କ ପାକିସ୍ତାନ ଗସ୍ତ ବୃତ୍ତିଗତ ଏବଂ ଜଳବାୟୁ ପରିବର୍ତ୍ତନ ସହିତ ଜଡିତ ଥିଲା, କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ପାଇଁ ନୁହେଁ। ୱାଙ୍ଗଚୁକ୍ ଏବଂ ସେ ଉଭୟେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ସମେତ ଅନେକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ସେ ପାକିସ୍ତାନରେ ଅନୁଷ୍ଠିତ 'ବ୍ରୀଥ ପାକିସ୍ତାନ' ସମ୍ମିଳନୀର    ଏବଂ ICIMOD ଭଳି ସଂଗଠନ ସହିତ ସହଯୋଗକୁ ଖରାପ ଢଙ୍ଗରେ ଉପସ୍ଥାପିତ କରାଯାଉଥିବାକୁ ନେଇ ଆପତ୍ତି ପ୍ରକାଶ କରିଛନ୍ତି। ଗୀତଞ୍ଜଳି କହିଛନ୍ତି, ଏନ୍‌ଏସ୍‌ଏ ଅନ୍ତର୍ଗତ ତାଙ୍କ ସ୍ବାମୀଙ୍କୁ ଗିରଫ କରିବା ଭୁଲ। ତାଙ୍କ ସ୍ବାମୀ ଶାନ୍ତି ଓ ଅହିଂସା ମାର୍ଗ ଗ୍ରହଣ କରି ସରକାରଙ୍କୁ ଲଦାଖକୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ମନେପକାଇଥିଲେ।

sonam2​​​​​​​

ୱାଙ୍ଗଚୁକଙ୍କ କଥିତ ଅପମାନଜନକ ଭାଷଣର ଅଭିଯୋଗକୁ ମଧ୍ୟ ଅସ୍ୱୀକାର କରିଛନ୍ତି ଗୀତାଞ୍ଜଳି। ସେ କହିଛନ୍ତି, ତାଙ୍କ କଥାକୁ ଭୁଲ ଭାବରେ ଉପସ୍ଥାପନ କରାଯାଇଛି। ସେ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି , ଭାରତୀୟ ସେନା ପାଇଁ ଆଶ୍ରୟସ୍ଥଳ ନିର୍ମାଣ ଏବଂ ଚୀନ୍ ସାମଗ୍ରୀ ବର୍ଜନ ପାଇଁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ କିପରି ଦେଶଦ୍ରୋହୀ ବୋଲି ଆଖ୍ୟା ଦିଆଯାଇପାରିବ। ଆର୍ଥିକ ଅନିୟମିତତାର ଅଭିଯୋଗ ସମ୍ପର୍କରେ, ଗୀତାଞ୍ଜଳି ତାଙ୍କ ପ୍ରତିଷ୍ଠାନ, ‘ହିମାଳୟ ଇନଷ୍ଟିଚ୍ୟୁଟ୍  ଅଫ୍ ଅଲ୍ଟରନେଟିଭ୍ ଲର୍ଣ୍ଣିଂ ’କୁ ମିଳୁଥିବା ବିଦେଶୀ ପାଣ୍ଠି ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଏହା ଦାନ ନୁହେଁ ବରଂ ବୈଷୟିକ ସେବା ପାଇଁ ଦେୟ।   ପ୍ରତିଷ୍ଠାନ ଛାତ୍ରମାନଙ୍କଠାରୁ କୌଣସି ଫି ଆଦାୟ କରେ ନାହିଁ ।