ଗକେବରହା (ସାଉଥ ଆଫ୍ରିକା ) : ଭାରତୀୟ ଟିମ୍‌ ଓ ସାଉଥ୍‌ ଆଫ୍ରିକା ମଧ୍ୟରେ ୪ର୍ଥ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ୨ୟ ମୁକାବିଲା ରବିବାର ( ୧୦ ନଭେମ୍ୱର) ଗକେବରହାରେ ଖେଳା ଯାଇଛି। ମ୍ୟାଚ୍‌ ଖୁବ୍‌ ରୋମାଞ୍ଚକର ରହିଥିଲା ,ଯେଉଁଥିରେ ସାଉଥ୍‌ ଆଫ୍ରିକା ୩ ୱିକେଟରେ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ୫ ୱିକେଟ୍‌ ନେଇଛନ୍ତି। ଏହା ସତ୍ତ୍ୱେ ଭାରତୀୟ ଟିମ୍‌ ବିଜୟୀ ହୋଇ ପାରି ନାହିଁ। ଏବେ ସିରିଜ ୧-୧ରେ ବରାବରକୁ ଆସି ଯାଇଛି। 

ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍‌ ୧୨୫ ରନ୍‌ର ଏକ ସହଜ ଟାର୍ଗେଟ୍‌ ସେଟ୍‌ କରିଥିଲା। ଜବାବରେ ସାଉଥ୍‌ ଆଫ୍ରିକା ୭ ୱିକେଟ୍‌ ହରାଇ ୧୯ ଓଭରରେ ୧୨୮ ରନ୍‌ କରି ଏହି ମୁକାବିଲା ଜିତି ନେଇଛି। ଟିମ୍ ପାଇଁ ଟ୍ରିଷ୍ଟନ ଷ୍ଟବ୍ସ ୪୧ଟି ବଲ୍‌ରେ ସବୁଠୁ ଅଧିକ ଅପରାଜେୟ ୪୭ ରନ୍‌ର ଇଂନିସ ଖେଳିଛନ୍ତି। ଶେଷରେ ଅଲରାଉଣ୍ଡର ଗୋରାଲ୍ଡ କୋଏତଜି ୯ବଲରେ ୧୯ ରନ୍‌ କରି ଅପରାଜେୟ ଥିଲେ। ଭାରତୀୟ ଟିମ୍‌ ପାଇଁ ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀ ୧୭ ରନ୍‌ ଦେଇ ସବୁଠୁ ଅଧିକ ୫ ୱିକେଟ୍‌ ନେଇଛନ୍ତି। ହେଲେ ଭାରତୀୟ ଟିମ୍‌ ଏହାର ଫାଇଦା ଉଠାଇ ପାରି ନାହିଁ। ଅର୍ଶଦୀପ ସିଂହ ଓ ରବି ବିଷ୍ଣୋଇଙ୍କୁ ୧-୧ ସଫଳତା ମିଳିଛି।