ଦୁବାଇ,୨୨/୦୮: ଆଗାମୀ ଆଇସିସି ଦିନିକିଆ ବିଶ୍ୱକପ୍‌ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଯାଇଛି । ୨୦୨୭ ସଂସ୍କରଣକୁ  ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିୟା ମିଳିତ ଭାବେ ଆୟୋଜନ କରିବେ । ଇତି ମଧ୍ୟରେ ଆୟୋଜକ ଦେଶମାନଙ୍କ ମଧ୍ୟରେ ମ୍ୟାଚ୍‌ ଭାଗ କରାଯାଇଛି । ଦକ୍ଷିଣ ଆଫ୍ରିକା ମୋଟ୍‌ ୪୪ଟି  ମ୍ୟାଚ, ଜିମ୍ବାୱେ ଓ ନାମିବିୟା ବାକି ୧୦ଟି  ମ୍ୟାଚ୍‌ ଆୟୋଜନ କରିବେ । ଆଇସିସି ପକ୍ଷରୁ ମ୍ୟାଚ୍‌ ଓ ଭେନ୍ୟୁ ବିଷୟରେ କୌଣସି ଘୋଷଣା  କରାଯାଇ ନାହିଁ । ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ପକ୍ଷରୁ ଏକ ଘରୋଇ ଆୟୋଜନ କମିଟି  ଗଠନ କରାଯାଇ ମ୍ୟାଚ୍‌ ଭେନ୍ୟୁ ବିଷୟରେ ଘୋଷଣା କରାଯାଇଛି । ଦକ୍ଷିଣ ଆଫ୍ରିକାର ପୂର୍ବତନ ଅର୍ଥମନ୍ତ୍ରୀ ଟ୍ରେଭର ମାନୁଏଲଙ୍କୁ ଉକ୍ତ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । 

ସୂଚନାଯୋଗ୍ୟ, ଆଗାମୀ ଦିନିକିଆ  ବିଶ୍ୱକପ୍‌ରେ ୧୪ଟି ଦେଶ ଭାଗ ନେବେ ଓ  ମୋଟ୍‌ ୫୪ଟି ମ୍ୟାଚ୍‌ ଖେଳାଯିବ । ଦକ୍ଷିଣ  ଆଫ୍ରିକା ଆୟୋଜନ କରୁଥିବା ୪୪ଟି ମ୍ୟାଚ୍‌ ପାଇଁ  ମୋଟ୍‌ ୮ଟି ଭେନ୍ୟୁ ଯଥା: ଜୋହାନେସବର୍ଗ,  ପ୍ରିଟୋରିୟା, କେପ ଟାଉନ, ଡର୍ବାନ, ବ୍ଲୋଏମ୍ଫଟନ, ଇଷ୍ଟ ଲଣ୍ଡନ, ପାର୍ଲ ଓ ଗେବର୍ହା  ଚୂଡ଼ାନ୍ତ କରାଯାଇଛି । ଦକ୍ଷିଣ ଆଫ୍ରିକା ପୂର୍ବରୁ  ଜିମ୍ବାୱେ ଓ କେନିଆ ସହ ମିଶି ୨୦୦୩ ଦିନିକିଆ  ବିଶ୍ୱକପ୍‌ ଆୟୋଜନ କରିଥିଲା । ଏଥିସହ  ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌, ୨୦୦୯ରେ  ଚାମ୍ପିଅନ୍ସ ଟ୍ରଫି, ୨୦୦୫ରେ ମହିଳା ଦିନିକିଆ  ବିଶ୍ୱକପ ଓ ୨୦୨୩ରେ ମହିଳା ଟି-ଟ୍ୱେଣ୍ଟି  ବିଶ୍ୱକପ୍‌କୁ ଏକକ ଭାବେ ଆୟୋଜନ କରିଥିଲା ।