ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଗାଡ଼ିଗୁଡ଼ିକ ଉପରେ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ଏହି ମାମଲାରେ ସମାଜବାଦୀ ପାର୍ଟି ମୁଖ୍ୟ ଉତ୍ତର ପ୍ରଦେଶର ଶାସକ ଦଳ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ରାଜଧାନୀ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ କହିଛନ୍ତି ଯେ, ସରକାର ଏପରି ଏକ କାର ଦେଇଛନ୍ତି ଯାହାକୁ ଚଲାଇ ହେବ ନାହିଁ। ସାମ୍ବାଦିକ ସମ୍ମିଳନୀ ସମୟରେ କେହି ଜଣେ ତାଙ୍କୁ କହିଥିଲେ, ଆପଣଙ୍କୁ ଆମ୍ବସଡର କାର ମିଳିଛି । ଏହା ଉପରେ ଅଖିଳେଶ କହିଛନ୍ତି, ସମୟ ଆସିଲେ ଆମେ ମଧ୍ୟ ଦେଖିବୁ ଯେ କେଉଁ କାର କାହାକୁ ଦିଆଯିବ

ସାମ୍ବାଦିକ ସମ୍ମିଳନୀ ସମୟ​‌ରେ ଜଣେ ବ୍ୟକ୍ତି ଅଖିଳେଶଙ୍କୁ କହିଥିଲେ ଯେ, ତାଙ୍କ ଗାଡ଼ି ଉପରେ ୨୦ ହଜାର ଟଙ୍କା ଜରିମାନା ଲାଗିଛି । ଏହାକୁ ନେଇ ଅଖିଳେଶ କହିଛନ୍ତି, ତୁମର କମ ଜରିମାନା ଲାଗିଛି । ମୋତେ ଗତକାଲି ଗୋଟିଏ କାଗଜ ମିଳିଛି । ଏଥିରେ ମୋ ଗାଡ଼ି ଉପରେ ଲାଗିଥିବା ଜରିମାନା ସଂପର୍କରେ ଉଲ୍ଲେଖ ରହିଛି । ଏହା ଦେଖିବା ପରେ ମୁଁ ଚିନ୍ତା କଲି ଯେ, ଏହି ଚାଲାଣ ସରକାରଙ୍କ ପକ୍ଷରୁ କଟାଯାଇଛି । ଏହି କାର ମୋର ବୋଲି ତ ସରକାର ଜାଣିଥିବେ । ତାପରେ ବି ମୋ ଗାଡ଼ି ଉପରେ ଜରିମାନା ଲାଗିଛି । ତେଣୁ ମୁଁ କିଛି ନକହି ଜରିମାନା ପୈଠ କରିବାକୁ କହିଛି ।

ସେ ଆହୁରି କହିଛନ୍ତି, ଏହା ପଛର କାହାଣୀ ହେଉଛି ଯିଏ ସିଷ୍ଟମରେ ଥିବ କିମ୍ବା କ୍ୟାମେରା ଦେଖୁଥିବ ସେ ବିଜେପିର ନେତା ହୋଇଥିବ । ସେମାନେ ଜାଣିଶୁଣି ମୋ କାରକେଡ୍‌ର ସବୁ ଗାଡ଼ି ଉପରେ ଫାଇନ ଲଗାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏସପି ମୁଖ୍ୟ କହିଛନ୍ତି ଯେ, ଆମେ ରାଜନୈତିକ ଦଳର ଆକାଉଣ୍ଟରୁ ଚାଲାଣ ଦେବୁ କିନ୍ତୁ ଗରିବ ଲୋକମାନେ ଏତେ ଟଙ୍କା କେଉଁଠୁ ପାଇବେ?