ଭୁବନେଶ୍ୱର ୨୮/୧୨: ଘରେ ରହୁଥିବା ପୋଷା ପ୍ରାଣୀଙ୍କ ଉପଯୁକ୍ତ ଯତ୍ନ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନସେସ୍ ଆଣ୍ଡ ଆନିମଲ ହଜବ୍ୟାଣ୍ଡ୍ରୀ (ଆଇଭିଏସଏଏଚ୍) ରେ ଖୋଲିଛି ସ୍ପା ଓ ଗ୍ରୁମିଂ ସେଣ୍ଟର । ପ୍ରାଣୀ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୁଶଳୀ ଓ ପ୍ରଶିକ୍ଷତ ଗ୍ରୁମର ଏହି ସେଣ୍ଟରରେ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ଅନୁଷ୍ଠାନର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ ।
ପ୍ରାଣୀ ଚିକିତ୍ସକମାନେ ହିଁ ପଶୁପକ୍ଷୀଙ୍କ ସମସ୍ୟା ଏବଂ କଷ୍ଟକୁ ବୁଝି ପାରନ୍ତି ବୋଲି କହିଛନ୍ତି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ । ଏହି ସେଣ୍ଟରର ସବୁ ୟୁନିଟ୍ ଶୀତତାପ ନିୟନ୍ତ୍ରିତ ହୋଇଛି ଏବଂ ଏଠାରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସେବା ଓ ଚିକିତ୍ସା ପ୍ରଦାନ କରାଯିବ । ଆମ ଜଳବାୟୁରେ ବାରମ୍ବାର ପରିବର୍ତ୍ତନ ଯୋଗୁଁ ପୋକ, ଉକୁଣି ଏବଂ ମଶା ଭଳି ବାହ୍ୟ ପରଜୀବୀ ପ୍ରାଣୀଙ୍କ ଦେହରୁ ରକ୍ତ ଶୋଷିବା ସହ ଚର୍ମକୁ ନଷ୍ଟ କରିଥାନ୍ତି । ଫଳରେ ଶରୀରରେ ଆଲର୍ଜି ହେବା ସହ ବେବସିୟୋସିସ, ଆନାପ୍ଲାଜମୋସିଷ୍ଟ ଏବଂ ଏରଲିକିଓସିସ ଭଳି ବ୍ୟାଧି ଦ୍ୱାରା ସଂକ୍ରମିତ କରିଥାନ୍ତି । ଏଥିପାଇଁ ନିୟମିତ ଚିକିତ୍ସା ଏବଂ ଯତ୍ନର ଆବଶ୍ୟକତା ରହିଥିବା ଆଇଭିଏସଏଏଚର ଚିଫ୍ ମେଡିକାଲ୍ ଅଫିସର ପ୍ରଫେସର ନିରଞ୍ଜନ ସାହୁ କହିଛନ୍ତି ।
ଏହି ସ୍ପା ଓ ଗ୍ରୁମିଂ ସେଣ୍ଟରରେ ଗୃହପାଳିତ ପ୍ରାଣୀଙ୍କ ଚର୍ମ, କାନ ଓ ନଖର ଯତ୍ନ ସହ ସ୍ୱାସ୍ଥ୍ୟ ସେବା ଏଠାରେ ଉପଲବ୍ଧ । ଏହି ସ୍ପା ସେଣ୍ଟରରେ ଡେଡ୍ ସ୍କିନ୍ ଓ ଶରୀରରେ ଜମିଥିବା ଅପରିଷ୍କାର ବସ୍ତୁକୁ ବାହାର କରାଯିବା ସହ ରକ୍ତ ସଞ୍ଚାଳନକୁ ତ୍ୱରାନ୍ୱିତ କରିଥାଏ । ଏଥି ସହିତ ଚର୍ମରେ କୌଣସି ପ୍ରକାର ସମସ୍ୟା ଏବଂ ଗଣ୍ଠି, ଭାତୁଡ଼ି, ପୋକ ଆଦି ହୋଇଥିଲେ ତାହାର ମଧ୍ୟ ଚିକିତ୍ସା କରାଯାଏ ବୋଲି ପ୍ରଫେସର ସାହୁ କହିଛନ୍ତି । ପ୍ରାଣୀଙ୍କ ପାଇଁ ଏହି ସେବା ସପ୍ତାହର ପ୍ରତ୍ୟେକ ଦିନ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଉପଲବ୍ଧ । ଗୃହପାଳିତ ପ୍ରାଣୀମାନଙ୍କର ତତ୍ତ୍ୱାବଧାରକମାନେ କୌଣସି ପ୍ରକାର ସେବା ପାଇଁ ଆଇଭିଏସଏଏଚ୍, କ୍ୟାମ୍ପସ-୪ ସୋଆ ବିଶ୍ୱବିଦ୍ୟାଳୟକୁ ଆସିପାରିବେ । ଏଥି ସହିତ ମୋବାଇଲ ନମ୍ବର ୭୬୦୮୯୨୧୭୭୭ରେ ମଧ୍ୟ ଯୋଗାଯୋଗ କରିପାରିବେ ବୋଲି ପ୍ରଫେସର ସାହୁ ସୂଚନା ଦେଇଛନ୍ତି ।