ଭୁବନେଶ୍ୱର,୦୭/୧୨: କଟକରେ ଆସନ୍ତା ୯ ତାରିଖରେ ହେବାକୁ ଯାଉଛି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍‌କୁ ନେଇ ରହିଛି ପ୍ରତ୍ୟେକଙ୍କ ମନରେ ଉତ୍ସାହ । ତେଣୁ କ୍ରୁଟ୍ ପକ୍ଷରୁ କଟକକୁ ଚଳାଚଳ କରିବ ସ୍ୱତନ୍ତ୍ର ବସ । ଏକାଧିକ ସ୍ଥାନରୁ ଚଳାଚଳ ହେବାକୁ ଥିବା ଏହି ସଟଲ୍ ବସ୍ ସେବା ନିର୍ଦ୍ଦିଷ୍ଟ ସ୍ଥାନରୁ ଆରମ୍ଭ  ହୋଇ କଟକ ବାରବାଟୀ ଷ୍ଟାଡ଼ିୟମ ଯାଏ ଗଡ଼ିବ । କଟକ ରେଳ ଷ୍ଟେସନରୁ ସିଏନ୍ବିଟି ଏବଂ ବାରବାଟୀ ଷ୍ଟାଡିୟମ ଅଞ୍ଚଳରେ ଜନଗହଳିର ବାସ୍ତବ ପରିସ୍ଥିତିକୁ ଆଧାର କରି ବସ୍ ଚଳାଚଳର ବ୍ୟବସ୍ଥା ହେବ । ମ୍ୟାଚ୍ ପୂର୍ବରୁ ଅପରାହ୍ନ ୪ଟାରେ କଟକ ରେଳ ଷ୍ଟେସନରୁ ସଟଲ୍ ବସ୍ ସେବା ଆରମ୍ଭ ହେବ ।

ମ୍ୟାଚ୍ ଶେଷ ପରେ, ଟ୍ରାଫିକ୍ ସମସ୍ୟାକୁ ଧ୍ୟାନରେ ରଖି ବାରବାଟୀ ଷ୍ଟାଡିୟମରୁ ସଟଲ୍ ବସ୍ ସେବା ଜାରି ରହିବ । ବାରବାଟୀ ଷ୍ଟାଡିୟମରୁ କଟକ ରେଳଷ୍ଟେସନ୍‌କୁ ଯିବା ପାଇଁ ପ୍ରାଥମିକ ସଟଲ୍ , ଚହଟା ଘାଟ, ସତୀଚୌରା, ଜୁଡିସିଆଲ୍ ଏକାଡେମୀ, ସିଏନ୍ବିଟି, ବାଦାମବାଡି, ଲିଙ୍କ ରୋଡ୍ ଏବଂ ଓଏମପି ଛକ ବାଟ ଦେଇ ଯିବ। ସଟଲ୍ ସେବାର ନିର୍ଦ୍ଧାରିତ ଭଡ଼ା ୨୦ ଟଙ୍କା ରହିବ ।

ଭୁବନେଶ୍ୱରରୁ ଯାତ୍ରା କରୁଥିବା ଦର୍ଶକମାନଙ୍କ ପାଇଁ ମ୍ୟାଚ୍ ଶେଷ ପରେ ଦୁଇଟି ଅସ୍ଥାୟୀ ସ୍ୱତନ୍ତ୍ର ରୁଟ୍ ପରିଚାଳନା ହେବ । ବାରବାଟୀ ଷ୍ଟାଡିୟମରୁ ବିଏସ୍ଏବିଟି, ବରମୁଣ୍ଡାକୁ ଆସିବାକୁ ଥିବା ବସ୍ ଜୁଡିସିଆଲ୍ ଏକାଡେମୀ, ନନ୍ଦନକାନନ ଏବଂ ଜୟଦେବ ବିହାର ଦେଇ ଚଳାଚଳ କରିବ । ଦ୍ୱିତୀୟ ବସ୍ଟି ବାରବାଟୀ ଷ୍ଟାଡିୟମରୁ ଭୁବନେଶ୍ୱର ରେଳଷ୍ଟେସନ୍ ଆସିବ । ଏହା ସିଏନ୍ବିଟି, ଲିଙ୍କ୍ ରୋଡ୍, ଜାତୀୟ ରାଜପଥରେ ଦେଇ ଚଳାଚଳ କରିବ । ଉଭୟ ରୁଟ୍ ପାଇଁ ଏକ ନିର୍ଦ୍ଧାରିତ ଫ୍ଲାଟ୍ ମୂଲ୍ୟ ୪୦ ଟଙ୍କା ରହିବ ଏବଂ ବସ୍ଗୁଡିକ ପ୍ରତି ୨୦ ମିନିଟ୍ ଅନ୍ତରରେ ଚାଲିବ । ଏହି ସ୍ୱତନ୍ତ୍ର ସେବା ବ୍ୟତୀତ, ବର୍ତ୍ତମାନ ପରିଚାଳିତ ଆମ ବସ୍ ରୁଟ୍ଗୁଡିକ ମଧ୍ୟ ଭୁବନେଶ୍ୱର ଓ କଟକ ମଧ୍ୟରେ ପୂର୍ବଭଳି ଚାଲୁ ରହିବ ।