ଫେବୃଆରୀ ୧ ତାରିଖରେ ପ୍ରସ୍ତୁତ କରାଯାଇଥିବା କେନ୍ଦ୍ରୀୟ ବଜେଟ ୨୦୨୬-୨୭ ଆଜିର ଭାରତବର୍ଷକୁ ୨୦୪୭ ମସିହା ସୁଦ୍ଧା ‘ବିକଶିତ ଭାରତ’ କରି ଗଢ଼ି ତୋଳିବାର ସ୍ୱପ୍ନକୁ ସାକାର କରିବା ନିମନ୍ତେ ଏକ ଦୃଢ଼ ଏବଂ ସ୍ପଷ୍ଟ ଦୃଷ୍ଟିକୋଣ ପ୍ରଦାନ କରିପାରିଛି । ଏହି ବଜେଟ ଆର୍ଥିକ ଅଭିବୃଦ୍ଧି, ଅର୍ଥନୈତିକ ସୁଧାର ଏବଂ ଦୀର୍ଘକାଳୀନ ଜାତୀୟ ଉନ୍ନତି ଉପରେ କେନ୍ଦ୍ରିତ । ଏହା ସମସ୍ତଙ୍କ ପାଇଁ ଉନ୍ନତିରେ ବିଶ୍ୱାସ କରେ ଏବଂ ଭାରତର ପ୍ରଗତିରେ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶକୁ ସମ୍ମିଳିତ କରାଇ ବିକାଶ ପଥଗାମୀ ହେବାକୁ ପ୍ରବର୍ତ୍ତାଏ । ଆର୍ଥିକ ଅଭିବୃଦ୍ଧି ନିମିତ୍ତ ସମ୍ପତ୍ତି ସୃଷ୍ଟିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଧାରଭୂତ ସଂରଚନା ଏବଂ ଯୋଗାଯୋଗ ବିକାଶ ପାଇଁ ଏକ ବିଶାଳ ୧୨.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ ବିନିଯୋଗ କରାଯାଇଛି - ଯାହା ଅର୍ଥନୀତିର ମୂଳ ଆଧାରକୁ ସୁଦୃଢ଼ କରିବା ଦିଗରେ ସହାୟକ ହେବ ।
ଅର୍ଥନୈତିକ ସୁଧାର ଉତ୍ପାଦନ ଏବଂ ଉତ୍ପାଦକତାର ବୃଦ୍ଧି କରାଇଥାଏ । ଉତ୍ପାଦନ, ବିନିଯୋଗ ଏବଂ ରୋଜଗାର ସୃଷ୍ଟିକୁ ବଢ଼ାଇବା ପାଇଁ ବିଶେଷ କରି ଅସଂଖ୍ୟ ଯୁବକ ଯୁବତୀ ବର୍ଗଙ୍କ ପାଇଁ ଏହି ବଜେଟରେ ଗୁରୁତ୍ୱପୂର୍ଣ୍ଣ ସୁଧାରଗୁଡ଼ିକ ଅଣାଯିବା ହେଉଛି ସାଧୁବାଦର ପାତ୍ର । ଗ୍ରାମୀଣ ଜୀବନ ଏବଂ ଜୀବିକାକୁ ସୁଦୃଢ଼ ଏବଂ ସହଜ କରିବା ପାଇଁ ବଜେଟ ୨୦୨୬ରେ ବିଶେଷ ସହାୟତା ଦିଆଯାଇଛି, ଯାହା ଦ୍ୱାରା ଆର୍ଥିକ ବିକାଶ ଗ୍ରାମ ଏବଂ କୃଷକମାନଙ୍କ ଦ୍ୱାର ସମୀପରେ ପହଞ୍ଚି ପାରିବ । ସରକାର ପରିବହନ, ଅନ୍ତର୍ଦେଶୀୟ ଜଳମାର୍ଗ ଏବଂ ଅନ୍ୟ ଲଜିଷ୍ଟିକ୍ସରେ ମଧ୍ୟ ବିନିଯୋଗ ବଢ଼ାଇଛନ୍ତି ଯାହା ସାମଗ୍ରୀ ପରିବହନକୁ ଅଧିକ ଦ୍ରୁତ ଏବଂ କାର୍ଯ୍ୟକ୍ଷମ କରାଇବ । ଏହି ଦୃଷ୍ଟିରୁ ବଜେଟ ୨୦୨୬ ସମାବେଶୀ ବୃଦ୍ଧି, ଦୃଢ଼ ଆଧାରଭୂତ ସଂରଚନା ସ୍ଥାପନା ଏବଂ ଆତ୍ମନିର୍ଭର ଭାରତର ଗଠନ ପ୍ରତି ଭାରତ ସରକାରଙ୍କ ପ୍ରତିବଦ୍ଧତାର ପରିପ୍ରକାଶ କରିଛି ।
ରେୟାର ଆର୍ଥ:
ଓଡ଼ିଶାର ଅବସର: ରେୟାର ଆର୍ଥ କରିଡୋରଗୁଡ଼ିକ ଭାରତର ଦୀର୍ଘକାଳୀନ ଆର୍ଥିକ ଅଭିବୃଦ୍ଧି ଏବଂ କୌଶଳଗତ ଆତ୍ମନିର୍ଭରତା ପାଇଁ ଏକ ମୁଖ୍ୟ ସ୍ତମ୍ଭ । ରେୟାର ଆର୍ଥ ତତ୍ତ୍ୱଗୁଡ଼ିକ ଇଲେକ୍ଟ୍ରିକ୍ ଯାନ, ନବୀକରଣଶୀଳ ଶକ୍ତି (ଉର୍ଜା) ପ୍ରଣାଳୀ, ସେମିକଣ୍ଡକ୍ଟର, ପ୍ରତିରକ୍ଷା ସାମଗ୍ରୀ ଏବଂ ଆଧୁନିକ ଇଲେକ୍ଟ୍ରୋନିକ୍ସ ପାଇଁ ଅତ୍ୟନ୍ତ ଆବଶ୍ୟକ ଉପାଦାନ । ଏହି ଖଣିଜଗୁଡ଼ିକ ବିନା ଭବିଷ୍ୟତର ଶିଳ୍ପଗୁଡ଼ିକର ବିକାଶ ସମ୍ଭବପର ନୁହେଁ ।
ବର୍ତ୍ତମାନ ଚୀନ ବିଶ୍ୱବ୍ୟାପୀ ପ୍ରାୟ ୭୦ ପ୍ରତିଶତ ରେୟାର ଆର୍ଥ ଆପୂର୍ତ୍ତିକୁ ନିୟନ୍ତ୍ରଣ କରୁଛି । ଏହା ଭାରତ ପରି ଅନ୍ୟ ବିକାଶଶୀଳ ଅର୍ଥନୀତିଗୁଡ଼ିକ ପାଇଁ ଗମ୍ଭୀର କୌଶଳଗତ ବାଧକତା ସୃଷ୍ଟି କରେ । ଜାତୀୟ ସୁରକ୍ଷା ଏବଂ ଆର୍ଥିକ ସ୍ଥିରତା ନିମନ୍ତେ ଏହି ନିର୍ଭରତା ହ୍ରାସ କରିବା ଅତ୍ୟାବଶ୍ୟକ । ବଜେଟ ୨୦୨୬ ଏହି ଗୁରୁତ୍ୱପୂର୍ଣ୍ଣ ଚାଲେଞ୍ଜକୁ ସ୍ପଷ୍ଟ ଉଦ୍ଦେଶ୍ୟ ଏବଂ କାର୍ଯ୍ୟାନ୍ୱୟନ ଯୋଗ୍ୟ ଦୃଷ୍ଟିକୋଣ ସହିତ ସମ୍ବୋଧନ କରିଛି । ‘ବିକଶିତ ଭାରତ ୨୦୪୭’ର ବିସ୍ତୃତ ଲକ୍ଷ୍ୟ ଅଧୀନରେ ଓଡ଼ିଶା, କେରଳ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡ଼ୁ ପରି ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକରେ ନିର୍ଦ୍ଦିଷ୍ଟ ରେୟାର ଆର୍ଥ କରିଡୋର ବିକାଶ ନିମନ୍ତେ ସରକାର ଲକ୍ଷ୍ୟଭିତ୍ତିକ ସହାୟତା ଘୋଷଣା କରିଛନ୍ତି ।
ବଜେଟ ଏହି କରିଡୋରଗୁଡ଼ିକୁ କେବଳ ଖଣି ଅଞ୍ଚଳ ଭାବରେ ନୁହେଁ, ବରଂ ସମ୍ପୂର୍ଣ୍ଣ ସମାହିତ ପରିବେଶ ଭାବରେ ପରିକଳ୍ପନା କରିଛି । ଏହା ଖଣିକାମକୁ ପ୍ରକ୍ରିୟାକରଣ, ରିଫାଇନିଂ ଏବଂ ଉତ୍ପାଦନ ସହିତ ସଂଯୋଗ କରିବ । ତଦୁପରି, ବନ୍ଦର, ରେଳ ନେଟୱାର୍କ, ବିଦ୍ୟୁତ ଯୋଗାଣ, ଜଳ ପ୍ରଣାଳୀ ଏବଂ ଶିଳ୍ପ ଅବସଂରଚନା ମାଧ୍ୟମରେ ଶକ୍ତିଶାଳୀ ଲଜିଷ୍ଟିକ୍ସ ସମର୍ଥନ ଏହି କରିଡୋର ସମ୍ବନ୍ଧରେ ସୁଚାରୁ ଏବଂ କାର୍ଯ୍ୟକ୍ଷମ ପରିଚାଳନାକୁ ସୁନିଶ୍ଚିତ କରିବ । ଏହା କଞ୍ଚାମାଲ ରପ୍ତାନୀରୁ ମୂଲ୍ୟ ସୃଷ୍ଟି (ଭେଲ୍ୟୁ ଏଡ଼ିସନ) ଦିଗରେ ଏକ ନିଷ୍ପତ୍ତିମୂଳକ ପରିବର୍ତ୍ତନକୁ ସୂଚିତ କରେ ।
ରେୟାର ଆର୍ଥ କରିଡୋର ପାଇଁ ଓଡ଼ିଶା ଏକ ଆଦର୍ଶ କ୍ଷେତ୍ର ଭାବରେ ପରିଚିତ ହୁଏ । ଏହି ରାଜ୍ୟରେ ସମୁଦ୍ରତଟୀୟ ଖଣିଜ, କ୍ରୋମାଇଟ ଏବଂ ନିକେଲ ପ୍ରଚୁର ପରିମାଣରେ ଉପଲବ୍ଧ ଅଛି, ଯାହା ରେୟାର ଆର୍ଥ ପ୍ରକ୍ରିୟାକରଣ ପାଇଁ ଆଧାର ପ୍ରସ୍ତୁତ କରେ । ଏହା ସହିତ ସବିକଶିତ ବନ୍ଦର, ରେଳ କରିଡୋର, ଅନ୍ତର୍ଦେଶୀୟ ଜଳମାର୍ଗ ଏବଂ ଶିଳ୍ପଗୁଚ୍ଛଗୁଡ଼ିକ ମଧ୍ୟ ଆର୍ଥିକ ଅଭିବୃଦ୍ଧିରେ ଅଶେଷ ସହାୟକ ହେବ । ଅତିରିକ୍ତ ବିଦ୍ୟୁତ ଉପଲବ୍ଧତା ଏବଂ ଦୃଢ଼ ଧାତୁ ଓ ଉତ୍ପାଦନ ପରିବେଶ ଥିବାରୁ ଓଡ଼ିଶା କ୍ଷମତାଶୀଳ ଏବଂ ପ୍ରତିସ୍ପର୍ଦ୍ଧାତ୍ମକ ଭାବରେ ରେୟାର ଆର୍ଥ ପ୍ରକ୍ରିୟାକରଣ କରିପାରିବ । ଏହା ରୋଜଗାର ସୃଷ୍ଟି କରିବା ସହିତ ଜାତୀୟ ଉତ୍ପାଦନକୁ ବୃଦ୍ଧି କରିବ ଏବଂ ସ୍ଥାନୀୟ ଶିଳ୍ପଗୁଡ଼ିକୁ ସୁଦୃଢ଼ କରିବ । ଏହା ସହ ବସ୍ତୁ ଏବଂ ସେବା କର (ଜି.ଏସ.ଟି.), ରୟାଲଟି ପ୍ରାପ୍ତି ଏବଂ ରପ୍ତାନୀ ମାଧ୍ୟମରେ ସରକାରୀ ଆୟ ମଧ୍ୟ ବୃଦ୍ଧି କରାଇବ ।
ସଂଯୋଗରେ ସଶକ୍ତ ଓଡ଼ିଶା:
ନୂତନ ଫ୍ରେଟ୍ କରିଡୋର ଏବଂ ଜାତୀୟ ଜଳମାର୍ଗ ବିସ୍ତାର ପରିବହନକୁ ଦ୍ରୁତ, ଶସ୍ତା ଏବଂ ପରିବେଶ ମିତ୍ର ଭାବରେ ଗଢ଼ି ତୋଳିବ । ଏହା ଫଳରେ ସଡ଼କ ମାର୍ଗରେ ଅତ୍ୟଧିକ ଚାପ ହ୍ରାସ ପାଇବ, ଇନ୍ଧନ ବ୍ୟୟ କମିବ ଏବଂ କାର୍ବନ ନିର୍ଗମନ କମ୍ ହେବ । ସମୟ ସହିତ ଓଡ଼ିଶା ତାଳ ଦେଇ ଏକ ମୁଖ୍ୟ ଲଜିଷ୍ଟିକ୍ସ ଏବଂ ଶିଳ୍ପ କେନ୍ଦ୍ର ଭାବରେ ଗଢ଼ି ଉଠିପାରିବ ।
ବଜେଟ ୨୦୨୬ ଯୁବବର୍ଗଙ୍କ ପାଇଁ ଦକ୍ଷତା ବିକାଶକୁ ବିଶେଷ ଗୁରୁତ୍ୱ ଦେଇଛି । ଅପ୍ଗ୍ରେଡ୍ ଟ୍ରେନିଂ ସେଣ୍ଟରଗୁଡ଼ିକୁ ଯୁବମାନଙ୍କୁ ଆଧୁନିକ ଉତ୍ପାଦନ, ଲଜିଷ୍ଟିକ୍ସ, ଏବଂ ସେବା କ୍ଷେତ୍ର ପାଇଁ ପ୍ରାୟୋଜିତ ଦକ୍ଷତାରେ ପ୍ରଶିକ୍ଷିତ କରିବ । ଏହା ପ୍ରତ୍ୟକ୍ଷ ଭାବରେ ନିଯୁକ୍ତି ଯୋଗ୍ୟତାକୁ ସୁଧାରିବ ଏବଂ ରାଜ୍ୟ ମଧ୍ୟରେ ଉତ୍ତମ ରୋଜଗାର ସୃଷ୍ଟି କରିବ ।
ପର୍ଯ୍ୟଟନ ବିକାଶ ଏବଂ ପୂର୍ବୋଦୟ:
ଏହା ସହିତ ବଜେଟ ପରିବେଶ ମିତ୍ର ପର୍ଯ୍ୟଟନକୁ ଏକ ସ୍ଥିର ଜୀବିକା ବିକଳ୍ପ ଭାବରେ ପ୍ରୋତ୍ସାହନ ଦେଇଛି । ଓଡ଼ିଶାର ସମୁଦ୍ରତଟରେ ଥିବା ‘ଟର୍ଟଲ ଟ୍ରେଲ୍ସ’ ପରି ପ୍ରକଳ୍ପଗୁଡ଼ିକ ପରିବେଶକୁ ସୁରକ୍ଷିତ ରଖି ଯାତ୍ରୀମାନଙ୍କୁ ଆକର୍ଷିତ କରିବ । ସ୍ଥାନୀୟ ସମୁଦାୟମାନଙ୍କୁ ଉପାର୍ଜନର ନୂଆ ନୂଆ ସୁଯୋଗ ମିଳିବ, ଯାହା ପଶୁପକ୍ଷୀ, ପ୍ରାଣୀ ଏବଂ ପରିବେଶକୁ କ୍ଷତି ନକରି ପ୍ରାପ୍ତି ହୋଇପାରିବ ।
ବଜେଟ ୨୦୨୬ ପୂର୍ବାଞ୍ଚଳୀୟ ରାଜ୍ୟମାନଙ୍କ ସଂସ୍କୃତି, ପ୍ରତିଭା ଏବଂ ପ୍ରାକୃତିକ ସମ୍ପଦକୁ ସ୍ୱୀକାର କରି ସେମାନଙ୍କର ଗୁରୁତ୍ୱକୁ ସ୍ପଷ୍ଟ ଭାବରେ ଉଜାଗର କରିଛି । ଇଷ୍ଟ କୋଷ୍ଟ ଇଣ୍ଡଷ୍ଟ୍ରିଆଲ କରିଡୋର ପୂର୍ବୋଦୟ ପର୍ଯ୍ୟଟନ ସ୍ଥଳୀ ଏବଂ ୪,୦୦୦ ଇ-ବସ୍ ବ୍ୟବସ୍ଥା ପରି ପ୍ରମୁଖ ପ୍ରକଳ୍ପଗୁଡ଼ିକ ଓଡ଼ିଶାର ସଂଯୋଗ, ଅବସଂରଚନା ଏବଂ ରୋଜଗାର ସୃଷ୍ଟିକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ସୁଧାରିବ ।
ଦୀର୍ଘକାଳୀନ ଏବଂ ଭବିଷ୍ୟତ ପ୍ରସ୍ତୁତିର ଦୃଷ୍ଟିକୋଣ ସହିତ ବଜେଟ ୨୦୨୬ ସମାବେଶୀ, ସସ୍ଥିର ଏବଂ ପ୍ରଯୁକ୍ତି ଚାଳିତ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଦୃଢ଼ ଭିତ୍ତି ପ୍ରସ୍ତୁତ କରେ । ବର୍ତ୍ତମାନର ଆବଶ୍ୟକତା ହେଉଛି ସଠିକ୍ ଉନ୍ନତି ମନୋଭାବ, କଠିନ ପରିଶ୍ରମ ଏବଂ ସମସ୍ତ ହିତଧାରକଙ୍କର ସାମୂହିକ ଅଂଶଗ୍ରହଣ । ତେଣୁ ଡବଲ ଇଞ୍ଜିନର ସହାୟତାର ସଫଳ ରୂପାୟନ କରିବାକୁ ହେଲେ ତଥା ସମସ୍ତ ପୂର୍ବାଞ୍ଚଳବାସୀ ସମତୁଳିତ ଭାବରେ ଜାତୀୟ ଉନ୍ନତି ଦିଗରେ ପ୍ରତିବଦ୍ଧତାକୁ ସୁନିଶ୍ଚିତ କରାଇବାକୁ ପଡ଼ିବ ଏବଂ ସାମୂହିକ ଭାବରେ ରାଜ୍ୟରେ ଆର୍ଥିକ ସ୍ଥିତିର ସୁଧାର, ରୋଜଗାର ଅବସର ସୃଷ୍ଟି ଏବଂ ପରିବେଶ ସୁରକ୍ଷା ସହଯୋଗାତ୍ମକ ଭାବରେ ସୁନିଶ୍ଚିତ କରାଇବାକୁ ପଡ଼ିବ ।