ନୂଆଦିଲ୍ଲୀ, ୫/୬: ଗୁଇନ୍ଦାଗିରି ପାଇଁ ନୂଆ ନୂଆ ପନ୍ଥା, ମାଧ୍ୟମ ଆପଣାଉଛନ୍ତି ଗୁଇନ୍ଦା ସଂସ୍ଥା ବା ସ୍ପାଏ ଏଜେନ୍ସି । ହନିଟ୍ରାପ୍‌ ଭଳି ମାଧ୍ୟମରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଫସାଇବା, ଟ୍ରାଭେଲର ବା ବ୍ଲଗରଙ୍କୁ ଟଙ୍କା ଦେଇ ଗୁଇନ୍ଦାଗିରି କରାଇବା ଆଦି ପରେ ଏବେ ସ୍ପାଏ ଏଜେନ୍ସି ସ୍କୁଲ ପିଲାଙ୍କୁ ଟାର୍ଗେଟ କରୁଛନ୍ତି । ଏହାର କାରଣ ହେଉଛି ଛୋଟ ପିଲାଙ୍କ ମସ୍ତିଷ୍କ ନିୟନ୍ତ୍ରଣ କରି ଏହି କାମ ଲାଗି ଭର୍ତ୍ତି କରିବା ସହଜ ଏବଂ ସେମାନଙ୍କ ଉପରେ ସନ୍ଦେହ ଉପୁଜିବା ସାଧାରଣତଃ କଷ୍ଟକର । ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ ଦୁଇ ଦେଶ ପରସ୍ପର ଉପରେ ବାରମ୍ବାର ଏହି ଅଭିଯୋଗ ଆଣୁଛନ୍ତି ।

ରୁଷ୍‌ର ଗୁଇନ୍ଦା ଏଜେନ୍ସି ଲିଥୁଆନିଆର ସ୍କୁଲ ପିଲାଙ୍କୁ ଗୁଇନ୍ଦାଗିରି ପାଇଁ ଭର୍ତ୍ତି କରାଇବାକୁ ଉଦ୍ୟମ କରୁଥିବା ନେଇ କିଛି ଦିନ ପୂର୍ବରୁ ଲିଥୁଆନିଆ ସ୍କୁଲଗୁଡ଼ିକୁ ସତର୍କ କରାଯାଇଥିଲା । ରିପୋର୍ଟ ଅନୁସାରେ, ରୁଷ୍‌ ଏହି ଚାଲ୍‌ ପୂର୍ବରୁ ୟୁକ୍ରେନ୍‌ ଓ ଅନ୍ୟ ଦେଶରେ ମଧ୍ୟ ଚଲାଇଛି । ଲିଥୁଆନିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରର ନିର୍ଦ୍ଦେଶକ ଭିଲ୍‌ମାଣ୍ଟାସ୍‌ ଭିତ୍‌କଉକାସ୍‌ କହିଛନ୍ତି, ସୋସିଆଲ ମିଡିଆରେ ସକ୍ରିୟ ଥିବା ପିଲାମାନଙ୍କୁ ପ୍ରଥମେ କିଛି ଟଙ୍କା ରୋଜଗାର କରିବା ଲାଗି ଲୋଭ ଦେଖାଯାଇଥାଏ । ଏ ନେଇ ସେମାନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ମେସେଜ ଆସିଥାଏ । ସେମାନଙ୍କୁ କେତେକ ବିଲ୍ଡିଂର ଫଟୋ କିମ୍ବା ପେଣ୍ଟିଂ ପଠାଇବାକୁ କୁହାଯାଏ । ପରେ ପିଲାମାନଙ୍କୁ ସମ୍ପୃକ୍ତ ଦେଶର ସାମରିକ ଉପକରଣ, ସାମରିକ ଅନୁଷ୍ଠାନ ବାବଦରେ ତଥ୍ୟ ସଂଗ୍ରହ କରିବାକୁ କୁହାଯାଏ । କେତେକ ମିଲିଟାରୀ ଫାସିଲିଟି କିମ୍ବା କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ କିମ୍ବା ନିଆଁ ଲଗାଇଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥାଏ । 

ଏହାପରେ ବ୍ଲାକ୍‌ମେଲିଂ ଜରିଆରେ ପିଲାଙ୍କୁ ଆହୁରି ଧର୍ତ୍ତବ୍ୟ କାର୍ଯ୍ୟରେ ଲଗାଯାଏ । ରିପୋର୍ଟ ଅନୁସାରେ, ରୁଷ୍‌ ଗୁଇନ୍ଦା ଏଜେନ୍ସି ଆତଙ୍କୀ ଆକ୍ରମଣ ଲାଗି ବ୍ୟବହାର କରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ପ୍ରାୟ ୨୨% ହେଉଛନ୍ତି ୟୁକ୍ରେନୀୟ । ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ନାବାଳକ । ୟୁକ୍ରେନ୍‌ ସିକ୍ୟୁରିଟି ସର୍ଭିସ୍‌ ସୂଚନା ଅନୁଯାୟୀ, ଗତ ମାର୍ଚ୍ଚରେ ରୁଷ୍‌ ଗୁଇନ୍ଦା ଏଜେନ୍ସି ଦୁଇ ୟୁକ୍ରେନୀୟ ନାବାଳକଙ୍କୁ ହତ୍ୟା କରିଥିଲା । ସେମାନଙ୍କୁ ରୁଷ୍‌ ୟୁକ୍ରେନ୍‌ର ଇଭାନୋ- ଫ୍ରାଙ୍କିଭ୍‌ସ୍କ ସହରରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ନିଜ ଟିମ୍‌ରେ ଭର୍ତ୍ତି କରିଥିଲା । ରୁଷ୍‌ ସହ ଯୁଦ୍ଧ ଆରମ୍ଭ ପରଠାରୁ ୟୁକ୍ରେନ୍‌ରେ ପ୍ରାୟ ୨୦୦ ସୈନ୍ୟ ବାହନ ଉପରେ ନିଆଁ ଲଗାଯିବା ଘଟଣା ଘଟିଛି । ଅଭିଯୁକ୍ତଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ହେଉଛନ୍ତି ନାବାଳକ । ୨୦୨୪ ଜୁଲାଇ ଶେଷ ସୁଦ୍ଧା କେବଳ ଖାର୍କିଭ୍‌ରେ ୪୦ ସାମରିକ ବାହନରେ ନିଆଁ ଲଗାଯାଇଥିଲା । ଅଭିଯୁକ୍ତଙ୍କ ବୟସ ୧୨ରୁ ୧୮ ବର୍ଷ ଭିତରେ ହେବ । ଓଡ଼େଶାରେ ମଧ୍ୟ ୧୮ରୁ ୨୪ ବର୍ଷ ବୟସର ଅଭିଯୁକ୍ତ ୧୫ ସେନା ଏସ୍‌ୟୁଭିକୁ ଜାଳି ଦେଇଥିଲେ । 

ରୁଷ୍‌ ମଧ୍ୟ ୟୁକ୍ରେନ୍‌ ବିରୋଧରେ ସମାନ ଅଭିଯୋଗ ଆଣୁଛି । ରୁଷ୍‌ର ଫେଡେରାଲ ସିକ୍ୟୁରିଟି ସର୍ଭିସ୍‌ (ଏଫ୍‌ଏସ୍‌ବି) କହିବା ଅନୁସାରେ, ୟୁକ୍ରେନ୍‌ର ମିଲିଟାରୀ ଇଣ୍ଟେଲିଜେନ୍ସ ରୁଷ୍‌ର ସ୍କୁଲ ପିଲାଙ୍କ ବାବଦରେ ତଥ୍ୟ ସଂଗ୍ରହ କରୁଛି । ସେମାନଙ୍କୁ ରୁଷ୍‌ରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲଗାଇବା ଲାଗି ୟୁକ୍ରେନ୍‌ ଉଦ୍ୟମ କରୁଛି । ୟୁକ୍ରେନ୍‌ ପାଶ୍ଚାତ୍ୟ ଦେଶଗୁଡ଼ିକର ନିର୍ଦ୍ଦେଶରେ ଏପରି କରାଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷକ-କର୍ମଚାରୀଙ୍କୁ ଲୋଭାନ୍ୱିତ କରି ୟୁକ୍ରେନ୍‌ ପିଲାମାନଙ୍କ ତଥ୍ୟ ନେଉଛି । ଗତ ବର୍ଷ ସେପ୍ଟେମ୍ବରରେ ଦୁଇ ନାବାଳକ ରୁଷ୍‌ରେ ଏକ ଏମ୍‌ଆଇ-୮ ହେଲିକପ୍ଟରରେ ସିଗାରେଟ୍‌ ଦ୍ୱାରା ନିଆଁ ଲଗାଇ ଦେଇଥିଲେ । ଏହା ବଦଳରେ ସେମାନଙ୍କୁ ପ୍ରାୟ ୫୫ ହଜାର ଡଲାର ମିଳିବ ବୋଲି କୁହାଯାଇଥିଲା ।