ପୁରୀ,୨୬/୦୯: ମାଗଣାରେ ସମସ୍ତ ସୁବିଧା ସହ ସରକାରୀ ସୁରକ୍ଷାରେ ଶ୍ରୀକ୍ଷେତ୍ରରେ ପ୍ରାୟ ୨୪୦୦ ହବିଷ୍ୟାଳି ‘କାର୍ତ୍ତିକ ବ୍ରତ’ ପାଳନ କରିବେ । ପ୍ରାୟ ୨୬୪୪ ଜଣ ସରକାରୀ ନିର୍ଦ୍ଧାରିତ ପୋଟାଲରେ ଆବେଦନ କରିଥିବା ବେଳେ ଯାଞ୍ଚ ପ୍ରକ୍ରିୟାରେ ପ୍ରାୟ ୨୦୦ ଜଣ ବାଦ୍ ପଡ଼ିଛନ୍ତି । ସେପଟେ ହବିଷ୍ୟାଳି ଶିବିରରେ ବ୍ରତଧାରୀଙ୍କ ଉତ୍ତମ ଯତ୍ନ ଓ ସୁରକ୍ଷା ପ୍ରଭୃତି କାର୍ଯ୍ୟର ତାଲିମ ନେଇଛନ୍ତି ପ୍ରାଶାସନିକ କର୍ମଚାରୀ । କାର୍ଯ୍ୟରେ ଅବହେଳା କଲେ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରାଶାସନିକ କର୍ମଚାରୀଙ୍କୁ ତାଲିମ୍ ଦେବା ଅବସରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଚେତାବନୀ ଶୁଣାଇଛନ୍ତି ।
ଆସନ୍ତା ମାସ ୭ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୫ରେ ଶେଷ ହେବ କାର୍ତ୍ତିକ ବ୍ରତ ତଥା ‘ରାଈଦାମୋଦର ବ୍ରତ’ । କେଉଁ ଜିଲ୍ଲାରୁ କେବେ ହବିଷ୍ୟାଳି ବ୍ରତ ପାଳନ ନିମନ୍ତେ ଆସିବେ ସେନେଇ ଚୂଡ଼ାନ୍ତ ତାଲିକା ପ୍ରଶାସନ ପ୍ରସ୍ତୁତ କରିଛି । ସେମାନଙ୍କ ନିକଟକୁ ଚୂଡ଼ାନ୍ତ ଚୟନ ନେଇ ବାର୍ତ୍ତା ପଠାଇବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ସମସ୍ତଙ୍କୁ ଉପଯୁକ୍ତ ସେବା ଯୋଗାଇବାକୁ ଟାଉନ୍ ହଲ୍ରେ ଗୁରୁବାର ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳ ସମସ୍ତ ପ୍ରାଶାସନିକ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି । ସମସ୍ତେ ଯେପରି ଏକ ସୁଖଦ ଅନୁଭୂତି ନେଇ ଫେରିବେ ତାହାକୁ ଲକ୍ଷ୍ୟରେ ରଖି ପରସ୍ପର ଭିତରେ ସମନ୍ୱୟ ରଖି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଏଡିଏମ୍ ଶରତ ଚନ୍ଦ୍ର ବେହେରା, ଡ. ଶରତ ଚନ୍ଦ୍ର ମହାପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ଯୋଗଦେଇଥିଲେ ।