ନୂଆଦିଲ୍ଲୀ,୨୫/୦୫: ଭାରତୀୟଙ୍କୁ ଖୁବ୍ଶୀଘ୍ର ସାଟେଲାଇଟ୍ ଇଣ୍ଟର୍ନେଟ୍ ସେବା ମିଳିବ । ଏଲନ୍ ମସ୍କଙ୍କ ଷ୍ଟାର୍ଲିଙ୍କ୍ ସମେତ କେତେକ ସାଟେଲାଇଟ୍ କମ୍ୟୁନିକେଶନ୍ କମ୍ପାନି କିଛି ଦିନ ମଧ୍ୟରେ ଭାରତରେ ନିଜ ନିଜର ସେବା ଆରମ୍ଭ କରିପାରନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି କମ୍ପାନିଗୁଡ଼ିକ ମାସିକ ୧୦ ଡଲାର ବା ପ୍ରାୟ ୮୪୦ ଟଙ୍କାରେ ସୁଲଭ ପ୍ରମୋସନାଲ ଅସୀମିତ ଡାଟା ପ୍ଲାନ୍ ଜାରି କରିବେ ।
ତେବେ ଭାରତରେ ସେବା ଆରମ୍ଭ କରିବା ପାଇଁ ଷ୍ଟାର୍ଲିଙ୍କ୍ ଇନ୍-ସ୍ପେସ୍ରୁ ମଞ୍ଜୁରି ଅପେକ୍ଷାରେ ଅଛି । ଷ୍ଟାର୍ଲିଙ୍କ୍ ସମେତ ସାଟେଲାଇଟ୍ କମ୍ୟୁନିକେଶନ୍ କମ୍ପାନିଗୁଡ଼ିକର ଟାର୍ଗେଟ୍ ହେଉଛି ନିଜ ୟୁଜର ସଂଖ୍ୟା ଦ୍ରୁତ ବେଗରେ ବଢ଼ାଇବା । ଏହା ଦୀର୍ଘମିଆଦୀ ଭାବେ ୧ କୋଟି ଗ୍ରାହକ ପର୍ଯ୍ୟନ୍ତ ପହଞ୍ଚିପାରେ । ଏହା କମ୍ପାନିଗୁଡ଼ିକୁ ବୃହତ୍ ପରିମାଣର ସ୍ପେକ୍ଟ୍ରମ ବାବଦ ରାଶିର ଭରଣାରେ ସହାୟକ ହେବ । ଭାରତୀୟ ଟେଲିକମ୍ ନିୟାମକ ଟ୍ରାଇ ସାଟେଲାଇଟ୍ କମ୍ୟୁନିକେଶନ କମ୍ପାନିଗୁଡ଼ିକୁ ସହରୀ ୟୁଜରମାନଙ୍କ ପାଇଁ ମାସିକ ଦେୟ ୫୦୦ ଟଙ୍କା ରଖିବା ପାଇଁ ସୁପାରିସ କରିଛି । ବିଶେଷଜ୍ଞଙ୍କ କହିବାନୁସାରେ, ପ୍ରିମିୟମ ପ୍ରାଇସିଂ ମଧ୍ୟରେ ଷ୍ଟାର୍ଲିଙ୍କ୍ ଭଳି ବିତ୍ତୀୟ ମଜଭୂତ କମ୍ପାନିଗୁଡ଼ିକୁ ଭାରତର ସହରୀ ବଜାରରେ ଅନ୍ୟ କମ୍ପାନିଗୁଡ଼ିକ ସହ ପ୍ରତିଯୋଗିତା କରିବାରେ କୌଣସି ସମସ୍ୟା ହେବ ନାହିଁ ।