ନୂଆଦିଲ୍ଲୀ,୨୫/୦୫: ଭାରତୀୟଙ୍କୁ ଖୁବ୍‌ଶୀଘ୍ର ସାଟେଲାଇଟ୍‌ ଇଣ୍ଟର୍‌ନେଟ୍‌ ସେବା  ମିଳିବ । ଏଲନ୍‌ ମସ୍କଙ୍କ ଷ୍ଟାର୍‌ଲିଙ୍କ୍‌ ସମେତ  କେତେକ ସାଟେଲାଇଟ୍‌ କମ୍ୟୁନିକେଶନ୍‌ କମ୍ପାନି କିଛି ଦିନ ମଧ୍ୟରେ ଭାରତରେ ନିଜ ନିଜର ସେବା ଆରମ୍ଭ କରିପାରନ୍ତି ।  ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି  କମ୍ପାନିଗୁଡ଼ିକ ମାସିକ ୧୦ ଡଲାର ବା ପ୍ରାୟ  ୮୪୦ ଟଙ୍କାରେ ସୁଲଭ ପ୍ରମୋସନାଲ  ଅସୀମିତ ଡାଟା ପ୍ଲାନ୍‌ ଜାରି କରିବେ । 

ତେବେ ଭାରତରେ ସେବା ଆରମ୍ଭ  କରିବା ପାଇଁ ଷ୍ଟାର୍‌ଲିଙ୍କ୍‌ ଇନ୍‌-ସ୍ପେସ୍‌ରୁ  ମଞ୍ଜୁରି ଅପେକ୍ଷାରେ ଅଛି । ଷ୍ଟାର୍‌ଲିଙ୍କ୍‌  ସମେତ ସାଟେଲାଇଟ୍‌ କମ୍ୟୁନିକେଶନ୍‌  କମ୍ପାନିଗୁଡ଼ିକର ଟାର୍ଗେଟ୍‌ ହେଉଛି ନିଜ  ୟୁଜର ସଂଖ୍ୟା ଦ୍ରୁତ ବେଗରେ ବଢ଼ାଇବା ।  ଏହା ଦୀର୍ଘମିଆଦୀ ଭାବେ ୧ କୋଟି  ଗ୍ରାହକ ପର୍ଯ୍ୟନ୍ତ ପହଞ୍ଚିପାରେ । ଏହା  କମ୍ପାନିଗୁଡ଼ିକୁ ବୃହତ୍‌ ପରିମାଣର ସ୍ପେକ୍ଟ୍ରମ  ବାବଦ ରାଶିର ଭରଣାରେ ସହାୟକ ହେବ । ଭାରତୀୟ ଟେଲିକମ୍‌ ନିୟାମକ  ଟ୍ରାଇ ସାଟେଲାଇଟ୍‌ କମ୍ୟୁନିକେଶନ  କମ୍ପାନିଗୁଡ଼ିକୁ ସହରୀ ୟୁଜରମାନଙ୍କ  ପାଇଁ ମାସିକ ଦେୟ ୫୦୦ ଟଙ୍କା ରଖିବା  ପାଇଁ ସୁପାରିସ କରିଛି । ବିଶେଷଜ୍ଞଙ୍କ  କହିବାନୁସାରେ, ପ୍ରିମିୟମ ପ୍ରାଇସିଂ  ମଧ୍ୟରେ ଷ୍ଟାର୍‌ଲିଙ୍କ୍‌ ଭଳି ବିତ୍ତୀୟ ମଜଭୂତ କମ୍ପାନିଗୁଡ଼ିକୁ ଭାରତର ସହରୀ ବଜାରରେ  ଅନ୍ୟ କମ୍ପାନିଗୁଡ଼ିକ ସହ ପ୍ରତିଯୋଗିତା  କରିବାରେ କୌଣସି ସମସ୍ୟା ହେବ ନାହିଁ ।