ଭୁବନେଶ୍ବର, ୧୪।୭ : ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟର ୪୪ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭ ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।
ଜଳ ସମ୍ପଦ ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ସମବାୟ ୧ଟି, କୃଷି ଓ କୃଷକ ସଶକ୍ତି କରଣ ୧, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧, ରାଜସ୍ବ ୧ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ୭ଟି ଏହିପରି ମୋଟ ୭ଟି ବିଭାଗର ମୋଟ ୧୩ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି l ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୭ଟି ପ୍ରସ୍ତାବ ପାରିତ ହୋଇଛି l
ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଆନ୍ତଃରାଜ୍ୟ,ଆନ୍ତଃଜିଲ୍ଲା ଓ ଆନ୍ତଃବ୍ଲକ ମଧ୍ୟରେ ଅସଂଯୋଜିତ ରାସ୍ତାଗୁଡିକୁ ମୁଖ୍ୟ ରାସ୍ତା ସହ ସଂଯୋଗୀକରଣ କରାଯାଉଛି। ଏହି ଯୋଜନା ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏହି ଯୋଜନା କାର୍ଯ୍ୟକାରି କରିବା ପାଇଁ ୧୯୧୭ କୋଟି ଟଙ୍କା ବ୍ୟୟବରାଦରେ ୩୮୫୦ କି.ମି ନୂତନ ରାସ୍ତା ତଥା ସେତୁ ନିର୍ମାଣ ଏବଂ ଚାଲୁ ରହିଥିବା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଅନୁମୋଦିତ ହୋଇଛି।
ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଗ୍ରାମ୍ୟ ଉନ୍ନୟନ ଅଧୀନସ୍ଥ ରାସ୍ତାଗୁଡିକର ଉନ୍ନତିକରଣ ଯୋଜନା ପ୍ରଣୟନ କରିଛନ୍ତି। ଗ୍ରାମାଞ୍ଚଳରେ ଥିବା ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ, ମୁଖ୍ୟ ବଜାର , ପର୍ଯ୍ୟଟନସ୍ଥଳ ପ୍ରମୁଖକୁ ସଡକ ସୁବିଧା ଯୋଗାଇବା ଏହି ଯୋ ଜନାର ମୂଳ ଲକ୍ଷ୍ୟ ରହିଛି। ଏହି ଯୋଜନାରେ ୫ ବର୍ଷ କାର୍ଯ୍ୟକାରୀ କରିବା ପାଇଁ ୫୭୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପ୍ରାୟ ୧୭୫୦୦ କିମି ନୂତନ ରାସ୍ତା ନିର୍ମାଣ କରିବା ପାର୍ଇ ଅନୁମୋଦିତ କରାଯାଇଛି।
ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରୁ ହସ୍ତାନ୍ତରିତ ହୋଇଥିବା ରାସ୍ତାଗୁଡିକର ପ୍ରଶସ୍ତୀକରଣ ଓ ଉନ୍ନତୀକରଣ କାର୍ଯ୍ୟ ମଧ୍ୟ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ଯୋଜନା ଅଧୀନରେ ଚାଲୁ ରହିଥିବା ୧୧୫ କିମି ସଡକ ପ୍ରକଳ୍ପ ସମାପ୍ତ କରିବା ସହିତ ପ୍ରାୟ ୪୬୦୭.୨୧ କିମି ଦୈଘ୍ୟର ନୂତନ ସଡକ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ଯୋଜନାରେ ଆଗାମୀ ୫ ବର୍ଷ ପାଇଁ ୪୦୦୦ କୋଟିର ବ୍ୟୟବରାଦ କରାଯାଇଛି।
ରାଜ୍ୟ ସରକାରଙ୍କ ଦ୍ବାରା ବ୍ରିଜ କମ୍ ଓ୍ବେୟାର ଯୋଜନା ଆରମ୍ଭ କରାଯାଇଛି। ନଦୀଗର୍ଭ ଏବଂ ସେତୁର ଉପର ମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷିତ କରି ଜଳ ଯୋଗାଣ କରାଯିବ। ଏହି ଯୋଜନାର ୫ ବର୍ଷର ଅବଧି ପାଇଁ ମୋଟ ୬୦୦ କୋଟିର ବ୍ୟୟବରାଦ କରାଯାଇଛି। ଏହା ସହ ୫୦୮ଟି ନୂତନ ପ୍ରକଳ୍ପର ନିର୍ମାଣ ଓ ୧୬୨ ଟି ଅଧୁରା ପ୍ରକଳ୍ପ ସମ୍ପୂର୍ଣ କରିବା ପାଇ ଅନୁମୋଦନ କରିଛନ୍ତି।
ସେତୁ ବନ୍ଧନ ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏଥିରେ ବର୍ତ୍ତମାନ ୧୪୧୭ ଚାଲୁ ରହିଥିବା ସେତୁ ସମ୍ପୂର୍ଣ୍ଣ କରିବା ସହିତ ୧୭୫୦ ନୂତନ ସେତୁ ହାତକୁ ନେବା ପାଇଁ ୧୧,୮୦୦ କୋଟି ମଞ୍ଜୁରୀ ଦେଇଛନ୍ତି। ସେହିପରି ମାଓବାଦୀ ପ୍ରଭାବିତ ଅଞ୍ଚଳରେ ସଡକ ସଂଯୋଗୀକରଣ ପାଇଁ ରାଜ୍ୟ ସରକାର ଏମଏମଏସଓ୍ବାଇ ଦୁର୍ଗମ ଅଞ୍ଚଳରେ ଅସଂଯୋଗିତ ଗ୍ରାମଗୁଡିକର ସଂଯୋଗୀକରଣ ଯୋଜନା (CUVDA ) ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୧୩୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ମଞ୍ଜୁରୀ ପ୍ରଦାନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏହାର ଅବଧିକୁ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏଥିପାଇଁ ୨୪୯୬.୪୦ କୋଟି ଟଙ୍କାର ବ୍ୟୟ ବରାଦକୁ ଅନୁମୋଦନ କରାଯାଇଛି। ଏହା ସହ ପାଞ୍ଚ ବର୍ଷରେ ୮୫୦୦ ବାଣିଜ୍ୟିକ କୃଷି ଉଦ୍ୟୋଗ ପ୍ରକଳ୍ପ ନିର୍ମାଣ ହେବ। ନୂତନ କୃଷି ଓ ପଶୁ ସମ୍ପଦ ବିପଣନ ଆଇନ ପ୍ରଣୟନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।