• ସମବାୟ କ୍ଷେତ୍ରରେ ଓଡ଼ିଶାର ବିବିଧ ସଂସ୍କାରମୂଳକ ପଦକ୍ଷେପ ପ୍ରଦର୍ଶିତ
  • ବିଶ୍ୱର ବୃହତ୍ତମ ଶସ୍ୟ ସଂରକ୍ଷଣ ଯୋଜନା ଅଧୀନରେ ପାକ୍ସରେ ଗୋଦାମ ଗୃହ ନିର୍ମାଣ ନେଇ ଆଲୋଚନା
  • ସମବାୟ କ୍ଷେତ୍ରରେ ଅଧିକରୁ ଅଧିକ ମହିଳାମାନଙ୍କ ଅଂଶଗ୍ରହଣକୁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୧୨।୨ : ଓଡ଼ିଶାରେ ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମବାୟ ମନ୍ତ୍ରଣାଳୟର ସଚିବ ଆଶିଷ କୁମାର ଭୂଟାନୀ, ଯୁଗ୍ମ ସଚିବ ସିଦ୍ଧାର୍ଥ ଜୈନ ଏବଂ ନିର୍ଦ୍ଦେଶକ ମୁକେଶ କୁମାରଙ୍କ ସହ ଓଡ଼ିଶା ଗସ୍ତ କରି ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସମବାୟ ବିକାଶ କମିଟି (ଏସସିଡିସି) ର ଚତୁର୍ଥ ବୈଠକରେ ଯୋଗ ଦେଇଥିଲେ ।

ବୈଠକରେ ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଏବଂ ସମବାୟ ସମିତି ନିବନ୍ଧକ( ଆରସିଏସ) କାର୍ୟ୍ୟାଳୟର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଥିବା ସଂପର୍କରେ ଉପସ୍ଥାପିତ ହୋଇଥିଲା । ରାଜ୍ୟବ୍ୟାପୀ ନୂତନ ପାକ୍ସ, ବହୁମୁଖୀ ସେବା ସମବାୟ ସମିତି(ଲାମ୍ପ୍ସ)ଗୁଡିକର ଶୀଘ୍ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ରାଜ୍ୟରେ ବିଶ୍ୱର ବୃହତ୍ତମ ଶସ୍ୟ ସଂରକ୍ଷଣ ଯୋଜନା ଅଧୀନରେ ପାକ୍ସରେ ଗୋଦାମ ଗୃହ ନିର୍ମାଣ ବ୍ୟବସ୍ଥାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ପାକ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ-ଔଷଧି କେନ୍ଦ୍ର ଏବଂ ସାଧାରଣ ସେବା କେନ୍ଦ୍ର (କମନ ସର୍ଭିସ୍ ସେଣ୍ଟର) ର ପ୍ରତିଷ୍ଠା, ପାକ୍ସ, ଲାମ୍ପଗୁଡ଼ିକୁ ବହୁମୁଖୀ ଓ ଏକକ ସେବା କେନ୍ଦ୍ରରେ ପରିଣତ କରିବା ସଂପର୍କରେ ଆଲୋଚନା ହୋଇଛି ।

ରାଜ୍ୟସ୍ତରରେ ସମବାୟ ବିଭାଗ ପକ୍ଷରୁ ନିଆଯାଇଥିବା ପ୍ରମୁଖ ରୂପାନ୍ତରଣ ପଦକ୍ଷେପ ସଂପର୍କରେ ଉପସ୍ଥାପନ କରାଯାଇଥିଲା । ଭିତ୍ତିଭୂମି ବିକାଶ ପାଇଁ ପାକ୍ସ, ଲାମ୍ପସ୍ ଗୁଡ଼ିକୁ ଅତିକମରେ ଏକ ଏକର ସରକାରୀ ଜମି ପ୍ରଦାନ, ପାକ୍ସ ଓ ଲାମ୍ପ୍ସ ଦ୍ୱାରା କରାଯାଉଥିବା ଧାନ ସଂଗ୍ରହ କେନ୍ଦ୍ର ( ପିପିସି) ର ଭିତ୍ତିଭୂମି ସୁଦୃଢ଼ୀକରଣ, ନୂତନ ଓ ପୁରାତନ ସମବାୟ ସମିତିଗୁଡ଼ିକୁ ସହାୟତା ପାଣ୍ଠି ଓ ଅଂଶଧନ ପ୍ରଦାନ, ସାର ବଣ୍ଟନରେ ସମବାୟ ସମିତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ, ଚଳିତ ବର୍ଷ ଠାରୁ ରାଜ୍ୟରେ ଆବଶ୍ୟକ ହେଉଥିବା ସାର ସମବାୟ ସମିତି ମାଧ୍ୟମରେ ପ୍ରଦାନ ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି । ପାକ୍ସ ମାଧ୍ୟମରେ ‘ନାଫେଡ୍’ ବଜାର ଏବଂ ଓମଫେଟ୍ କିମ୍ବା ‘ଅମୁଲ’ ପାର୍ଲର ପ୍ରତିଷ୍ଠା, ପାକ୍ସ, ଲାମ୍ପସ ଜରିଆରେ ଦୁଗ୍ଧ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ, ସେସବୁରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ପାଇଁ କ୍ୟାଡର ନିୟମ ଓ କେନ୍ଦ୍ରୀୟ ନିଯୁକ୍ତି ପ୍ରକ୍ରିୟା, ସମବାୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ସୁଦୃଢ଼ୀକରଣ, ରାଜ୍ୟର ଅଚଳ ଥିବା କଟକ ଜିଲ୍ଲାର ‘ବଡମ୍ବା ଚିନି କଳ’ ଏବଂ ବଲାଙ୍ଗିର ଜିଲ୍ଲାର ‘ବିଜୟାନନ୍ଦ ସମବାୟ ଚିନି କଳ’ର ପୁନଃ କାର୍ଯ୍ୟକାରିତା ପାଇଁ ପଦକ୍ଷେପ ନିଆଯାଇଛି ।

ଏସଡିସିସି ବୈଠକ ପରେ କେନ୍ଦ୍ର ସଚିବ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ଜିଲ୍ଲାପାଳମାନଙ୍କ ସହ ଅନୁଷ୍ଠିତ ଆଭାସୀ ବୈଠକରେ ଆଲୋଚନା କରି ରାଜ୍ୟରେ ବିଶ୍ୱର ବୃହତ୍ତମ ଶସ୍ୟ ସଂରକ୍ଷଣ ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଏବଂ ନିୟମିତ ଭାବେ ଜିଲ୍ଲା ସମବାୟ ବିକାଶ କମିଟି (ଡିସିଡିସି) ବୈଠକ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସଚିବ ଶ୍ରୀ ଭୂଟାନ, ପାକ୍ସ ଏବଂ ଲାମ୍ପସ କର୍ମଚାରୀଙ୍କ ପାଇଁ ଓଡ଼ିଶା ନଲେଜ୍ କର୍ପୋରେସନ ଲିମିଟେଡ୍ ( ଓକେସିଏଲ) ସହାୟତାରେ ଆୟୋଜିତ ଡିଜିଟାଲ୍ ଓ ଆଇଟି ଦକ୍ଷତା ପ୍ରଶିକ୍ଷଣ କାର୍ୟ୍ୟକ୍ରମର ଉଦଘାଟନ କରିଥିଲେ । ଓମଫେଡ୍ ମୁଖ୍ୟ କାର୍ୟ୍ୟାଳୟ ପରିଦର୍ଶନ ସମୟରେ ସେ ସମବାୟ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ସୁଦୃଢ଼ ସମବାୟ ବ୍ୟବସ୍ଥା ଗଠନ ଉପରେ ଗୁରୁତ୍ୱ ଦେଇଥିଲେ । ଓଡ଼ିଶା ରାଜ୍ୟ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଲକ୍ଷ୍ୟ ପୂରଣ ପାଇଁ ସହଯୋଗ ଲୋଡ଼ିଥିଲେ ।