ଭୁବନେଶ୍ୱର, ୧୪/୧ : ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ବୁଧବାର ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଜିର ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ଡଃ ଅମିୟ ପଟ୍ଟନାୟକ ଫକୀର ମୋହନଙ୍କୁ ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ ବୋଲି କହିବା ସହ ସାମାଜିକ ବ୍ୟବସ୍ଥାରେ ନାରୀ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଅଦମ୍ୟ ଚେଷ୍ଟା ତାଙ୍କୁ କାଳଜୟୀ କରିଛି ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଅଧୀନ ସେଣ୍ଟର୍ ଫର୍ ଜୁଡ଼ିଶିଆଲ ଆର୍କାଇଭସର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ଲଲାଟେନ୍ଦୁ ଦାସ ମହାପାତ୍ର, ରାଜ୍ୟସ୍ତରୀୟ ବ୍ୟାସ କବି ଫକୀର ମୋହନ ସ୍ମୃତି ସଂସଦର ସଭାପତି ଜୀବନ କୁମାର ମହାପାତ୍ର, ସମ୍ପାଦକ ଅଜୟ ମହାନ୍ତି, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ଟେକ୍ନିକାଲ) ଗୁରୁବୀର ସିଂ, ଉପନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।

ମୁଖ୍ୟ ଅତିଥି ଡଃ ପଟ୍ଟନାୟକ ଫକୀରମୋହନ ସେନାପତିଙ୍କ ଲେଖନୀକୁ ସମୃଦ୍ଧ ଓଡ଼ିଶାର ଲେଖନୀ ବୋଲି ଅଭିବ୍ୟକ୍ତି ରଖିଛନ୍ତି । ଫକୀରମୋହନଙ୍କ ଅଭିନବ ଗଦ୍ୟଶୈଳୀ, କଥାସାହିତ୍ୟ ଓ କାଳ୍ପନିକ ଚରିତ୍ରଗୁଡ଼ିକ ଥିଲା ଅନନ୍ୟ । ଭାଷା ଆନ୍ଦୋଳନର କର୍ଣ୍ଣଧାର, ଓଡ଼ିଆ ପାଠ୍ୟପୁସ୍ତକର ପ୍ରଣେତା, ସମ୍ବାଦପତ୍ର ପ୍ରକାଶନ, ସଂଗଠନ, ଛାପାଖାନା ପ୍ରତିଷ୍ଠା, ଅନୁବାଦ ଏବଂ ସାମ୍ବାଦିକତା ଆଦି କ୍ଷେତ୍ରରେ ସେ ନିଜର ଅବଦାନ ପ୍ରକଟ କରିଯାଇଛନ୍ତି । ଫକୀର ମୋହନଙ୍କୁ ଓଡ଼ିଆ ଭାଷାସାହିତ୍ୟର ଜନକ, କଥାସମ୍ରାଟ, ବ୍ୟାସକବି ଭାବେ ସମ୍ମାନ ଦିଆଯାଇଛି ବୋଲି ମୁଖ୍ୟ ଅତିଥି ମତପ୍ରକାଶ କରିଛନ୍ତି । ଯୋଗଦେଇଥିବା ଅତିଥି ଗଣ ଓଡ଼ିଆ ଭାଷା ସାହିତ୍ୟର ପରମ ବିନ୍ଧାଣୀ, ଆଧୁନିକ ଓଡ଼ିଆ ସାହିତ୍ୟର ଅଗ୍ରଦୂତ ବ୍ୟାସକବି ଫକୀରମୋହନ ଓଡ଼ିଆ ସାହିତ୍ୟରେ ଏକ ବିରଳ ଦୃଷ୍ଟାନ୍ତ ଥିଲେl । ଓଡ଼ିଆ ମାଟି, ଓଡ଼ିଆ ଜାତି ଓ ମାତୃଭୂମି ପାଇଁ ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପାଇଁ ଆଜି ମାତୃଭାଷାର ଗୁରୁତ୍ୱ ବଢିଛି ବୋଲି ମତ ପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ବିଭାଗର ଉପନିର୍ଦ୍ଦେଶକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ରାଜ୍ୟସ୍ତରୀୟ ବ୍ୟାସ କବି ଫକୀର ମୋହନ ସ୍ମୃତି ସଂସଦର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗର ଲୋକ ସଂପର୍କ ଅଧିକାରୀ ଅଂଶୁମାନ ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜୟଦେବ ଭବନ ଉପ ନିର୍ଦ୍ଦେଶକ ଦିପ୍ତିମୟୀ ମହାପାତ୍ର, ଉପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଭୋଇ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସ୍କୁଲରେ ପଢା ହେଉ ଫକୀରମୋହନ ସାହିତ୍ୟ

ଉତ୍କଳ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ(ଉସାକା) ପକ୍ଷରୁ ବୁଧବାର ଉତ୍କଳ ବିଶ୍ବ ବିଦ୍ୟାଳୟରେ ବ୍ୟାସ କବି ଫକୀରମୋହନଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଉସାକାର ସଭାପତି ସରୋଜ ଦାଶ ଅଧ୍ୟକ୍ଷତା କରିଥିବାବେଳେ ପ୍ରଫେସର ମାନସ ରଞ୍ଜନ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ।

ମୁଖ୍ୟ ଅତିଥି ଭାବେ ଉସାକା ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଯୋଗଦେଇ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଫକୀରମୋହନଙ୍କ ଜୟନ୍ତୀ ଭିନ୍ନ ଭିନ୍ନ ସ୍ଥାନରେ ପାଳନ ନ କରି ଗୋଟିଏ ସ୍ଥାନରେ ଦିବସ ବ୍ୟାପୀ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଲେନିନ ମହାନ୍ତି, ଉସାକାର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ. ପ୍ରକାଶ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ମିହିର ରାୟ, ରାମଜୀବନ ଗୋଛାୟତ, ଅଧ୍ୟାପିକା ଅମୀୟବାଳା ପରିଡା, ଡ. ରୋଜା ଘୋଷ, ପ୍ରଫେସର ଅଦୈତ୍ବ ପାତ୍ର, ନିରଞ୍ଜନ ପଣ୍ଡା, ବେଣୁଧର ବିଶ୍ବାଳପ୍ରମୁଖ ଯୋଗଦେଇ ବ୍ୟାସକବିଙ୍କ ସ୍ମୃତିଚାରଣ କରିଥିଲେ।