ଭୁବନେଶ୍ୱର,୧୯/୦୨: ଟ୍ରାନ୍ସଜେଣ୍ଡରଙ୍କ ସୁରକ୍ଷା, ଅଧିକାର ଓ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ୮ ମାସ ତଳେ ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ଗଠନ ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । କିନ୍ତୁ ଏଯାଏ ବୋର୍ଡ ସଦସ୍ୟ ନିଯୁକ୍ତି କିମ୍ବା କାର୍ଯ୍ୟକାରିତା ନିର୍ଦ୍ଦେଶାବଳୀ ନେଇ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।

ଟ୍ରାନ୍ସଜେଣ୍ଡରଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ତଥା ସେମାନଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷାକୁ ଦେବାକୁ ଟ୍ରାନ୍ସଜେଣ୍ଡର ପଲିସି ଲାଗୁ କରାଯାଇଥିଲା । ନବୀନ ସରକାରଙ୍କ ଅମଳରେ ଓଡ଼ିଶାରେ ୨୦୨୧ରୁ ନୀତି ଲାଗୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କାର୍ଯ୍ୟକାରିତା ଶୂନ୍ୟ ସଦୃଶ । କିନ୍ତୁ ନୂଆ ସରକାର ଆସିବା ପରେ ୨୦୨୫ ମେ ୧୫ରେ ତୃତୀୟଲିଙ୍ଗୀ ସମୁଦାୟର କଲ୍ୟାଣ ପାଇଁ ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ପାଇଁ ଘୋଷଣା କରିଥିଲେ । ଏହା ସମୁଦାୟକୁ ନୂଆ ସ୍ୱପ୍ନ ଦେଖାଇଥିଲା । କିନ୍ତୁ ପ୍ରାୟ ୮ ମାସ ବିତି ଯାଇଥିଲେ ମଧ୍ୟ ବୋର୍ଡର କାର୍ଯ୍ୟକାରିତା ଅସ୍ପଷ୍ଟ ରହିଛି ।

ଏଣୁ ଟ୍ରାନ୍ସଜେଣ୍ଡର ସମୁଦାୟ ପାଇଁ କଲ୍ୟାଣକାରୀ ପଦକ୍ଷେପ, ନୀତି ସମନ୍ୱୟ ଓ ଅଭିଯୋଗ ସମାଧାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଛି । କେବଳ ଘୋଷଣାରେ ଅଟକି ଯାଇଛି ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ । ନିକଟରେ ପିପିଲିରେ ଜଣେ କିନ୍ନରଙ୍କୁ ହତ୍ୟା ଓ କିଛି ମାସ ପୂର୍ବରୁ ଦେବଗଡ଼ରେ ଜଣେ କିନ୍ନରଙ୍କୁ ହତ୍ୟା ଅଭିଯୋଗ ହୋଇଥିଲା । ଗତ ବର୍ଷ ଯାଜପୁର ହସ୍ପିଟାଲରେ ନବଜାତ ତୃତୀୟଲିଙ୍ଗୀ ଜଣାପଡ଼ିବାରୁ ବାପା ମା’ ତାକୁ ଗ୍ରହଣ କରିବାକୁ ମନା କରିଥିଲେ । କିଛି ଦିନ ତଳେ ଦେବଗଡ଼ରେ ଜଣେ କିନ୍ନର ଯୁବକଙ୍କୁ ତାଙ୍କ ମା’ଙ୍କ ଦେହାନ୍ତ ପରେ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ପରିବାର ଲୋକ ମନା କରିଦେଲେ । ନାରୀ, ପୁରୁଷଙ୍କ ଦ୍ୱିଧାରୀ ସମାଜରେ ତୃତୀୟଲିଙ୍ଗୀଙ୍କ ଜୀବନ ସୁରକ୍ଷା, ବିକଳ୍ପ ଜୀବିକା ଏବଂ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ ନେଇ ସବୁବେଳେ ଏକ ପ୍ରଶ୍ନବାଚୀ ରହିଛି । ଏହାକୁ ସୁନିଶ୍ଚିତ ଉକ୍ତ ପଲିସି ଓ ବୋର୍ଡ ସକ୍ରିୟ ହେବା ଜରୁରୀ ।

ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଦ୍ୱାରା କରାଯାଇଥିବା ଘୋଷଣା ଅନୁଯାୟୀ ବିଭାଗୀୟ ମନ୍ତ୍ରୀ ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ରହିବେ । ଯେଉଁଥିରେ ୧୨ ଜଣ ସଦସ୍ୟଙ୍କ ମଧ୍ୟରେ ତୃତୀୟଲିଙ୍ଗୀ ସମୁଦାୟର ୨ ପ୍ରତିନିଧି ଓ ସେମାନଙ୍କ ଅଧିକାର ପାଇଁ କାମ କରୁଥିବା ଅଣସରକାରୀ ସଂସ୍ଥାରୁ ୨ ଜଣ ପ୍ରତିନିଧି ରହିବେ । ଏହି ବୋର୍ଡ ମୁଖ୍ୟତଃ ଟ୍ରାନ୍ସଜେଣ୍ଡରଙ୍କ କଲ୍ୟାଣ ଏବଂ ପୁନର୍ବାସ ଦିଗରେ କାର୍ଯ୍ୟ କରିବ । ଏଥିସହ ଶିକ୍ଷା, ନିଯୁକ୍ତି, ବାସସ୍ଥାନ ଏବଂ ସ୍ୱାସ୍ଥ୍ୟ ଯୋଜନା, ଟିଜି ପଲିସି ଏବଂ ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତାକୁ ବୋର୍ଡ ସୁନିଶ୍ଚିତ କରିବ । ଟ୍ରାନ୍ସଜେଣ୍ଡର ଆଇନ-୨୦୧୯ ଅନୁପାଳନକୁ ଅନୁଧ୍ୟାନ କରିବ । କାର୍ଯ୍ୟସ୍ଥଳ, ଘର, ସର୍ବସାଧାରଣରେ ଟ୍ରାନ୍ସଜେଣ୍ଡରଙ୍କ ପ୍ରତି ଭେଦଭାବ ଓ ପକ୍ଷପାତିତାକୁ ରୋକିବା ଦିଗରେ କାର୍ଯ୍ୟ କରିବ । ସେହିପରି ତୃତୀୟଲିଙ୍ଗୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଏବଂ ନିଯୁକ୍ତି ଲାଗି ମାର୍ଗଦର୍ଶନ ଦେବ ବୋର୍ଡ । ଏହିକ୍ରମରେ ଟାନ୍ସଜେଣ୍ଡର ୱେଲଫେୟାର ବୋର୍ଡ ଗଠନରେ ଓଡ଼ିଶା ଦେଶର ୨୦ତମ ରାଜ୍ୟ ହୋଇଥିଲେ ମଧ୍ୟ କାର୍ଯ୍ୟକାରିତା ଦୃଷ୍ଟିରୁ ପଛରେ ପଡ଼ିଯାଇଛି ।

ଏହାବ୍ୟତୀତ ବୋର୍ଡ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ଟ୍ରାନ୍ସଜେଣ୍ଡର ସାର୍ଟିଫିକେଟ୍ ଏବଂ ଆଇଡି କାର୍ଡ ମିଳିବା ଦିଗରେ ମଧ୍ୟ ଅନୁଧ୍ୟାନ କରିବ । ଆବେଦନର ୩୦ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଟ୍ରାନ୍ସଜେଣ୍ଡର ସାର୍ଟିଫିକେଟ୍ ଏବଂ ଆଇଡି କାର୍ଡ ପ୍ରଦାନ କରିବା ବାଧ୍ୟତାମୂଳକ । ନ୍ୟାସନାଲ ଟ୍ରାନ୍ସଜେଣ୍ଡର ପୋର୍ଟାଲ ତଥ୍ୟ ଅନୁଯାୟୀ, ମୋଟ ୩୬ ହଜାର ୩୬୪ ଟ୍ରାନ୍ସଜେଣ୍ଡର ପଞ୍ଜିକୃତ ହୋଇଛନ୍ତି । ୩୧ ହଜାର ୬୮୦ ଜଣଙ୍କୁ ସାର୍ଟିଫିକେଟ୍ ଏବଂ ୩୧ ହଜାର ୬୫୮ ଜଣଙ୍କୁ ଆଇଡି କାର୍ଡ ମିଳିଛି । ତନ୍ମଧ୍ୟରୁ ଓଡ଼ିଶାରେ ୩ ହଜାର ୪୭ ଜଣଙ୍କୁ ଟ୍ରାନ୍ସଜେଣ୍ଡର ସାର୍ଟିଫିକେଟ୍ ଏବଂ ଆଇଡି କାର୍ଡ ଦିଆଯାଇଛି । ୨୩୯ ଜଣଙ୍କ ଆବେଦନ ଏବେ ବି ବିଚାରଧୀନ ରହିଛି । ୨୦୧୧ ଜନଗଣନା ଅନୁଯାୟୀ, ରାଜ୍ୟରେ ୨୦ ହଜାର ୩୩୨ ଟ୍ରାନ୍ସଜେଣ୍ଡର ଥିଲେ ।

ରାଜ୍ୟର ସମସ୍ତ ଟ୍ରାନ୍ସଜେଣ୍ଡରଙ୍କ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଉ ବୋଲି କହିଛନ୍ତି ଅଲ୍ ଓଡ଼ିଶା ଟ୍ରାନ୍ସଜେଣ୍ଡର ୱେଲଫେୟାର ଟ୍ରଷ୍ଟ ସଭାପତି ମୀରା ପରିଡ଼ା । ଅନ୍ୟପକ୍ଷେ ଟିଜି ୱେଲଫେୟାର ବୋର୍ଡ ଗଠନ ପାଇଁ ସରକାରଙ୍କୁ ଧନ୍ୟବାଦ ଦେବା ସହ ସେ ବୋର୍ଡ ଢାଞ୍ଚାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଟ୍ରାନ୍ସଜେଣ୍ଡର ସମୁଦାୟରୁ ଜଣଙ୍କୁ ଉପାଧ୍ୟକ୍ଷ ଭାବେ ରଖାଯାଉ । ସମୁଦାୟର ଲୋକଙ୍କ ହାତରେ ନିଷ୍ପତ୍ତି ନେବା କ୍ଷମତା ରହିବା ଦରକାର । ଟ୍ରାନ୍ସଜେଣ୍ଡର ଏକ ଅମ୍ବ୍ରେଲା, ଏଥିରେ ଟ୍ରାନ୍ସ ମେଲ୍, ଟ୍ରାନ୍ସ ଫିମେଲ୍, କିନ୍ନର, ଇଣ୍ଟରସେକ୍ସ ପର୍ସନ ସମସ୍ତେ ଅନ୍ତର୍ଭୂକ୍ତ । ଏଣୁ ବୋର୍ଡରେ ଅତିକମ୍ରେ ୫ ଜଣ ଟ୍ରାନ୍ସଜେଣ୍ଡର ସଦସ୍ୟ ରହିବା କଥା । ସମୁଦାୟର ସମସ୍ୟାକୁ ସେମାନଙ୍କ ପ୍ରତିନିଧି ହିଁ ଉପସ୍ଥାପନ କରିପାରିବେ । ଏଣୁ ବୋର୍ଡ ଢାଞ୍ଚାକୁ ନେଇ ଆଉଥରେ ବିଚାର କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।