ପ୍ରୟାଗରାଜ, ୧୬।୧:୧୪୪ ବର୍ଷ ପରେ ୨୦୨୫ରେ ପଡ଼ିଛି ମହାକୁମ୍ଭର ଯୋଗ । ମହାକୁମ୍ଭ ଦେଶବିଦେଶରୁ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଏହି ମହାକୁମ୍ଭରେ ପୂର୍ଣ୍ଣ୍ୟ ଅର୍ଜନ କରିବାକୁ କାହିଁ କେତେ ଆଡ଼ୁ ସାଧୁ, ସନ୍ଥ, ଆଧ୍ୟାତ୍ମିକ ଚେତନାବାଦୀମାନେ ତ୍ରିବେଣୀ ସଙ୍ଗମ କୂଳରେ ନିଜର ଡେରା ପକାଇଛନ୍ତି । ଏଥିରେ ଆପଲର ସହ-ପ୍ରତିଷ୍ଠାତା ସ୍ୱର୍ଗତ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଲରେନ୍ ପାୱେଲ୍ ଜବସ୍ ମଧ୍ୟ ସାଧ୍ୱୀ ଭାବରେ ମହାକୁମ୍ଭରେ ପହଞ୍ଚିଛନ୍ତି । ଏହାରି ଭିତରେ କୁମ୍ଭମେଳାକୁ ନେଇ ୱେଖାଥିବା ୫୦ ବର୍ଷ ପୁରୁଣା ହାତଲେଖା ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ହିନ୍ଦୁଧର୍ମ ଦ୍ୱାରା ଗଭୀର ପ୍ରଭାବିତ ହୋଇଥିଲେ ଏହି କୋଟିପତି ବିଦେଶୀ । ସେହି ଚିଠି ଏବେ ୪ କୋଟି ୩୨ ଲକ୍ଷରେ ନିଲାମ ହୋଇଛି ।

୫୦ ବର୍ଷର ସେ ପୁରୁଣା ଷ୍ଟିଭ୍ ଜବସଙ୍କ ହାତ ଲେଖା ଚିଠି ଆପଲର ସହ-ପ୍ରତିଷ୍ଠାତା ସ୍ୱର୍ଗତ ଷ୍ଟିଭ୍ ଜବସ୍ ୧୯୭୪ ମସିହାରେ, ତାଙ୍କ ୧୯ତମ ଜନ୍ମଦିନର ଠିକ୍ ପୂର୍ବରୁ କୁମ୍ଭ ବିଷୟରେ ଏକ ଚିଠି ଲେଖିଥିଲେ । ଏଥିରେ ସେ ତାଙ୍କର ଭାବନା ଏବଂ ଭାରତରେ କୁମ୍ଭମେଳା ପରିଦର୍ଶନ କରିବାର ଯୋଜନା ବିଷୟରେ ଆଲୋକପାତ କରିଥିଲେ । ରିପୋର୍ଟ ଅନୁସାରେ, ସେ ଏହି ଚିଠିଟି ତାଙ୍କ ପିଲାଦିନର ବନ୍ଧୁ ଟିମ୍ ବ୍ରାଉନଙ୍କୁ ପାଖକୁ ପଠାଇଥିଲେ । ଏହାକୁ କିଣିଥିବା ବ୍ୟକ୍ତି ଜଣକ ଏହି ଚିଠିକୁ ୫୦୦ ହଜାର ୩୧୨ ଡଲାରରେ କିଣିଛନ୍ତି ।

ଏହି ଚିଠିରେ ଷ୍ଟିଭ୍ ଜବସ୍ ଲେଖିଥିଲେ ଯେ, ‘ମୁଁ ଏପ୍ରିଲରେ ଭାରତରେ ଆରମ୍ଭ ହେବାକୁ ଥିବା କୁମ୍ଭମେଳା ପାଇଁ ଭାରତ ଯିବାକୁ ଚାହୁଁଛି, ଏଥିପାଇଁ ମୁଁ ମାର୍ଚ୍ଚ ମାସରେ ଯେକୌଣସି ସମୟରେ ଆସିବି, କିନ୍ତୁ ଏହା ନିଶ୍ଚିତ ହୋଇନାହିଁ । ଏଥିସହିତ ସେ ତାଙ୍କ ଚିଠିର ଶେଷରେ ‘ଶାନ୍ତି’ ବୋଲି ଲେଖିଥିଲେ । ଯାହା ହିନ୍ଦୁ ଧର୍ମ ପ୍ରତି ତାଙ୍କର ଆଧ୍ୟାତ୍ମିକ ଆଗ୍ରହକୁ ପ୍ରତିଫଳିତ କରିଥିଲା । ଏହି ଚିଠିରେ ତାଙ୍କ ଆଧ୍ୟାତ୍ମିକ ଅଭୀପ୍ସାର ଏକ ବିରଳ ଝଲକ ପ୍ରତିଫଳିତ ହେଉଛି । ଏଥିରେ ଜବ୍ସ ‘ଜେନ୍ ବୌଦ୍ଧ ଧର୍ମ’କୁ ପ୍ରତିଫଳିତ କରିଛନ୍ତି ଏବଂ କୁମ୍ଭ ମେଳା ପାଇଁ ଭାରତ ଆସିବା ପାଇଁ ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି । ବ୍ରାଉନଙ୍କ ଏକ ଚିଠିର ଜବାବରେ ଜବ୍ସ ଦୁଃଖରେ ଲେଖିଛନ୍ତି ଯେ ସେ ଅନେକ ଥର କାନ୍ଦିଥିଲେ ।

ପରେ ଷ୍ଟିଭ୍ ତାଙ୍କ ଭାରତ ଗସ୍ତ ବିଷୟରେ ଲେଖିଛନ୍ତି, ସେ ପ୍ରଥମେ ଉତ୍ତରାଖଣ୍ଡରେ ଥିବା ନିମ କରୋଲି ବାବାଙ୍କ ଆଶ୍ରମ ପରିଦର୍ଶନ କରିବାକୁ ଯୋଜନା କରିଥିଲେ । ତେବେ ନୈନିତାଲରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଲେ ଯେ ନିମ କରୋଲି ବାବାଙ୍କର ପୂର୍ବ ବର୍ଷ ମୃତ୍ୟୁ ଘଟିଥିଲା । ନିମ କରୋଲି ବାବାଙ୍କ ଶିକ୍ଷାରୁ ସାନ୍ତ୍ୱନା ପାଇ ଜବ୍ସ ଏକ ଆଶ୍ରମରେ ରହିଥିଲେ । ସେ ସାତ ମାସ ଭାରତରେ ବିତାଇଥିଲେ ଏବଂ ଏହାର ସଂସ୍କୃତି ଓ ଆଧ୍ୟାତ୍ମିକତାରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ହଜାଇ ଦେଇଥିଲେ । ଜବ୍ସ ଯେତେବେଳେ ଆମେରିକା ଫେରିଲେ, ତାଙ୍କର ପରିବର୍ତ୍ତନ ସ୍ପଷ୍ଟ ଭାବରେ ଦେଖାଗଲା । ତାଙ୍କ ପିତାମାତା ତାଙ୍କୁ ଚିହ୍ନି ପାରି ନ ଥିଲେ । ସେ ଲେଖିଛନ୍ତି, ମୋର ମୁଣ୍ଡନ ହୋଇଥିଲା, ମୁଁ ଭାରତୀୟ ସୂତା ପୋଷାକ ପିନ୍ଧିଥିଲି ଏବଂ ମୋ ଚର୍ମ ଚକୋଲେଟ୍ ପରି ବାଦାମୀ-ଲାଲ ହୋଇଯାଇଥିଲା । ଜବ୍ସ ସାଧୁଙ୍କ କମଳା ରଙ୍ଗର ପୋଷାକ ମଧ୍ୟ ଗ୍ରହଣ କରିଥିଲେ, ଯାହା ତାଙ୍କ ଆଧ୍ୟାତ୍ମିକ ଯାତ୍ରାର ଗଭୀର ପ୍ରଭାବକୁ ପ୍ରତିଫଳିତ କରିଥିଲା ।

କହିରଖୁ କି, ସ୍ୱର୍ଗତ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଲରେନ୍ ପାୱେଲ ଜବ୍ସ ବର୍ତ୍ତମାନ ମହାକୁମ୍ଭ ମେଳା ୨୦୨୫ ପାଇଁ ଭାରତରେ ଅଛନ୍ତି, ଯେଉଁଠାରେ ତାଙ୍କୁ ‘କମଳା’ ନାଁ ଦିଆଯାଇଛି । ଏବେ ଷ୍ଟିଭଙ୍କ ପତ୍ନୀ ମହାକୁମ୍ଭ ମେଳା ୨୦୨୫ରେ ଯୋଗ ଦେଇ ନିଜର ଦୀର୍ଘଦିନର ଇଚ୍ଛା ପୂରଣ କରିଛନ୍ତି । ଦ୍ୱିତୀୟ ଦିନରେ ଆଲର୍ଜି ହେବା ସତ୍ତ୍ୱେ ସେ ଗଙ୍ଗାନଦୀରେ ସ୍ନାନ କରିଥିଲେ । ତାଙ୍କ ଗୁରୁ ସ୍ୱାମୀ କୈଳାସାନନ୍ଦ ଗିରିଙ୍କ ଦ୍ୱାରା ହିନ୍ଦୁ ନାମ ‘କମଳା’ ପାଇଥିବା ଲରେନ ୪୦ ଜଣିଆ ଟିମ୍ ସହ ପ୍ରୟାଗରାଜରେ ପହଞ୍ଚିଥିଲେ । ସେ ଧ୍ୟାନ, କ୍ରିୟାଯୋଗ ଓ ପ୍ରାଣାୟାମ ଭଳି ଆଧ୍ୟାତ୍ମିକ ଅଭ୍ୟାସରେ ନିୟୋଜିତ ଅଛନ୍ତି ।