ଭୁବନେଶ୍ୱର/କଟକ,୦୧/୦୮: ଟୁଇନସିଟିରେ କ୍ରାଇମ୍‌ ବ୍ରାଞ୍ଚାର ଏସଟିଏଫ୍‌ର ମାରାଥନ୍ ଚଢ଼ାଉ । କଟକ ପରେ ଭୁବନେଶ୍ବରରେ ରାତି ଅଧିଆ ରେଡ୍ ହୋଇଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣ ଘାତକ କଫ ସିରଫ ଜବତ  ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି। 

ସୂଚନା ଅନୁଯାୟୀ,  ଗଳି କନ୍ଦିରେ  ବିକ୍ରି ହୋଇଥିଲା କଫ୍‌ ସିରପ୍‌ । ନିଶାଡି  ମାନେ ମନଇଚ୍ଛା ବ୍ୟବହାର କରୁଥିଲେ ।  ଖବର ପାଇ କ୍ରାଇମ୍‌ ବ୍ରାଞ୍ଚାର ଏସ୍‌ଟିଏଫ୍‌  ଚଢ଼ଉ କରି ୧ କୋଟି ଟଙ୍କାର କଫ୍‌ ସିରପ୍‌  ଜବତ କରିଛି । ଜବତ ହୋଇଥିବା ଏହି  କଫ୍‌ ସିରପକୁ ବିକ୍ରି ପାଇଁ ସରକାର ଗତ କିଛି ମାସ ତଳେ ବ୍ୟାନ୍‌ କରିଥିଲେ । ଏହି ଘଟଣାରେ ୬ ଜଣ ବ୍ୟବସାୟୀଙ୍କୁ ଏସ୍‌ଟିଏଫ୍‌  ଧରି ପଚରାଉଚରା କରୁଛି । ଏମାନଙ୍କ  ମଧ୍ୟରୁ ଦୁଇ ଜଣ ଔଷଧ ବ୍ୟବସାୟୀ ଥିବା  ଏସ୍‌ଟିଏଫ୍‌ କହିଛି । 

ନିଶା ମାଫିଆମାନେ  କିଛି ଦିନ ତଳେ ରାଜ୍ୟ ବାହାରୁ ଏକାଧିକ  ଟ୍ରକ୍‌ରେ କଫ୍‌ ସିରପ୍‌ ଆଣି କଟକ ଓ  ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଗଚ୍ଛିତ ରଖି  ବେପାର କରୁଥିଲେ । ନିଶା ମାଫିଆମାନଙ୍କୁ  ଖୁଚୁରା ଆକାରରେ ବିକ୍ରି କରୁଥିଲେ । ଏ  ବିଷୟରେ ଖବର ପାଇଥିଲା ଏସ୍‌ଟିଏଫ୍‌ । ସେମାନଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ ଆରମ୍ଭ  କରିଥିଲା ତନାଘତନା । ତଦନ୍ତ ସମୟରେ ଜଣାପଡ଼ିଥିଲା ଭୁବନେଶ୍ୱର ଠାରୁ ଅଧିକ ପରିମାଣରେ କଫ୍‌ ସିରପ୍‌ କଟକରେ ଗଚ୍ଛିତ  ରହିଛି । ପରେ ରାଜ୍ୟ ବାହାରୁ ଆସୁଥିବା ଏକ ପାର୍ସଲ୍‌କୁ ଏସ୍‌ଟିଏଫ୍‌ ଟିମ୍‌ ଟ୍ରାକ୍‌  କରିଥିଲା । ପାର୍ସଲଗୁଡ଼ିକ ନିଉ ଏଲ୍‌ଆଇସି କଲୋନୀରେ ଥିବା ଉକ୍ତ କୋରିଅର୍‌ ସଂସ୍ଥାର କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏସ୍‌ଟିଏଫ୍‌ ଟିମ୍‌, କଟକ ଜିଲ୍ଲା ପ୍ରଶାସନ, ବାଦାମବାଡ଼ି ଥାନା ପୁଲିସ  ଓ ଡ୍ରଗସ୍‌ କଣ୍ଟ୍ରୋଲରଙ୍କ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଥିଲା।   ଗୁରୁବାର ଅପରାହ୍ଣ ୧ ଟାରୁ  ରାତି ୯ଟା ପର୍ଯ୍ୟନ୍ତ ରେଡ୍  ଚାଲିଥିଲା । ୯ଟି ସ୍ଥାନରେ ଚଢ଼ଉ କରିବା  ସମୟରେ ୨୮ ହଜାର ବୋଲତ ଅର୍ଥାତ ୨୭  ଶହ ଲିଟର କଫ୍‌ ସିରପ ଜବତ କରାଯାଇଛି ।  ଯାହାର ବଜାର ମୂଲ୍ୟ ୧ କୋଟି ଟଙ୍କାରୁ  ଅଧିକ ହେବ ବୋଲି ଏସ୍‌ଟିଏଫ୍‌ ଏସ୍‌ପି  ଆର. ଶତପଥୀ ସୂଚନା ଦେଇଛନ୍ତି ।