ଭୁବନେଶ୍ୱର/କଟକ,୦୧/୦୮: ଟୁଇନସିଟିରେ କ୍ରାଇମ୍ ବ୍ରାଞ୍ଚାର ଏସଟିଏଫ୍ର ମାରାଥନ୍ ଚଢ଼ାଉ । କଟକ ପରେ ଭୁବନେଶ୍ବରରେ ରାତି ଅଧିଆ ରେଡ୍ ହୋଇଥିଲା । ଚଢ଼ାଉ ବେଳେ ବିପୁଳ ପରିମାଣ ଘାତକ କଫ ସିରଫ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ଗଳି କନ୍ଦିରେ ବିକ୍ରି ହୋଇଥିଲା କଫ୍ ସିରପ୍ । ନିଶାଡି ମାନେ ମନଇଚ୍ଛା ବ୍ୟବହାର କରୁଥିଲେ । ଖବର ପାଇ କ୍ରାଇମ୍ ବ୍ରାଞ୍ଚାର ଏସ୍ଟିଏଫ୍ ଚଢ଼ଉ କରି ୧ କୋଟି ଟଙ୍କାର କଫ୍ ସିରପ୍ ଜବତ କରିଛି । ଜବତ ହୋଇଥିବା ଏହି କଫ୍ ସିରପକୁ ବିକ୍ରି ପାଇଁ ସରକାର ଗତ କିଛି ମାସ ତଳେ ବ୍ୟାନ୍ କରିଥିଲେ । ଏହି ଘଟଣାରେ ୬ ଜଣ ବ୍ୟବସାୟୀଙ୍କୁ ଏସ୍ଟିଏଫ୍ ଧରି ପଚରାଉଚରା କରୁଛି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଔଷଧ ବ୍ୟବସାୟୀ ଥିବା ଏସ୍ଟିଏଫ୍ କହିଛି ।
ନିଶା ମାଫିଆମାନେ କିଛି ଦିନ ତଳେ ରାଜ୍ୟ ବାହାରୁ ଏକାଧିକ ଟ୍ରକ୍ରେ କଫ୍ ସିରପ୍ ଆଣି କଟକ ଓ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଗଚ୍ଛିତ ରଖି ବେପାର କରୁଥିଲେ । ନିଶା ମାଫିଆମାନଙ୍କୁ ଖୁଚୁରା ଆକାରରେ ବିକ୍ରି କରୁଥିଲେ । ଏ ବିଷୟରେ ଖବର ପାଇଥିଲା ଏସ୍ଟିଏଫ୍ । ସେମାନଙ୍କୁ ଧରିବା ପାଇଁ ଏସ୍ଟିଏଫ୍ ଆରମ୍ଭ କରିଥିଲା ତନାଘତନା । ତଦନ୍ତ ସମୟରେ ଜଣାପଡ଼ିଥିଲା ଭୁବନେଶ୍ୱର ଠାରୁ ଅଧିକ ପରିମାଣରେ କଫ୍ ସିରପ୍ କଟକରେ ଗଚ୍ଛିତ ରହିଛି । ପରେ ରାଜ୍ୟ ବାହାରୁ ଆସୁଥିବା ଏକ ପାର୍ସଲ୍କୁ ଏସ୍ଟିଏଫ୍ ଟିମ୍ ଟ୍ରାକ୍ କରିଥିଲା । ପାର୍ସଲଗୁଡ଼ିକ ନିଉ ଏଲ୍ଆଇସି କଲୋନୀରେ ଥିବା ଉକ୍ତ କୋରିଅର୍ ସଂସ୍ଥାର କାର୍ଯ୍ୟାଳୟରେ ପହଞ୍ଚିବା ପରେ ଏସ୍ଟିଏଫ୍ ଟିମ୍, କଟକ ଜିଲ୍ଲା ପ୍ରଶାସନ, ବାଦାମବାଡ଼ି ଥାନା ପୁଲିସ ଓ ଡ୍ରଗସ୍ କଣ୍ଟ୍ରୋଲରଙ୍କ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଥିଲା। ଗୁରୁବାର ଅପରାହ୍ଣ ୧ ଟାରୁ ରାତି ୯ଟା ପର୍ଯ୍ୟନ୍ତ ରେଡ୍ ଚାଲିଥିଲା । ୯ଟି ସ୍ଥାନରେ ଚଢ଼ଉ କରିବା ସମୟରେ ୨୮ ହଜାର ବୋଲତ ଅର୍ଥାତ ୨୭ ଶହ ଲିଟର କଫ୍ ସିରପ ଜବତ କରାଯାଇଛି । ଯାହାର ବଜାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଏସ୍ଟିଏଫ୍ ଏସ୍ପି ଆର. ଶତପଥୀ ସୂଚନା ଦେଇଛନ୍ତି ।