ତେହରାନ, ୧୨।୩: ହୋର୍ମୁଜ ପ୍ରଣାଳୀକୁ କବ୍ଜା କରିଥିବା ଇରାନ ଏବେ ବିଶ୍ୱକୁ ଡରାଇବାରେ ଲାଗିଛି । ତେହରାନ ବିଶ୍ୱବିଦ୍ୟାଳୟର ପ୍ରଫେସର ଫୋଆଦ ଇଜାଦୀ କହିଛନ୍ତି, ଏହି ପ୍ରଣାଳୀ ଅନେକ ମାସ ଧରି ବନ୍ଦ ରହିପାରେ । ଯେ ପର୍ଯ୍ୟନ୍ତ ଯୁଦ୍ଧ ଯୋଗୁ ହୋଇଥିବା ଆର୍ଥିକ କ୍ଷତି ଭରଣା ନ ହୋଇଛି, ସେ ପର୍ଯ୍ୟନ୍ତ ଏହି ଜଳମାର୍ଗ ବନ୍ଦ ରହିପାରେ । ଇଜାଦୀ କହିଛନ୍ତି, ହୋର୍ମୁଜ ପ୍ରଣାଳୀ ବୈଶ୍ୱିକ ଶକ୍ତି ଯୋଗାଣ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ବିଶ୍ୱର ପ୍ରାୟ ୨୦% ତେଲ ପରିବହନ ଏହି ସାମୁଦ୍ରିକ ମାର୍ଗ ଦେଇ ହୋଇଥାଏ । ତାଙ୍କ ମୁତାବକ, ଏହି ଜଳମାର୍ଗକୁ ବନ୍ଦ କରିବା ଯୁଦ୍ଧରେ ଇରାନର ସବୁଠୁ ଶକ୍ତିଶାଳୀ ଅସ୍ତ୍ର ମଧ୍ୟରୁ ଅନ୍ୟତମ ସାବ୍ୟସ୍ତ ହେବ । ଗତ ୧୨ ଦିନରେ ଇରାନକୁ ଲକ୍ଷ ଲକ୍ଷ କୋଟି ଡଲାରର ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି । ଏହାର ମୂଲ୍ୟ ଦେବାକୁ ପଡ଼ିବ । ଯଦି ଏହି କ୍ଷତିର ଭରଣା କରା ନଯାଏ, ତେବେ ହୋର୍ମୁଜ ପ୍ରଣାଳୀକୁ ଅନେକ ମାସ ଧରି ବନ୍ଦ କରାଯିବ ।
ଏହା ବି ପଢ଼ନ୍ତୁ... ଭାରତ ଅର୍ଥନୀତିରେ ଯୁଦ୍ଧ ତାଣ୍ଡବ: ଦୋହଲିଲା ତୈଳ ଓ ଇକ୍ୱିଟି ବଜାର, ସର୍ବକାଳୀନ ନିମ୍ନ ସ୍ତରରେ ଟଙ୍କା
ସେହିଭଳି ତେହରାନର ଖାତମ ଅଲ୍-ଅନବିୟା ସେନା କମାଣ୍ଡ ମୁଖ୍ୟାଳୟର ମୁଖପାତ୍ର ଇବ୍ରାହିମ ଜୋଲଫକାରୀ ବୁଧବାର କହିଛନ୍ତି, ଯୁଦ୍ଧ କାରଣରୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୨୦୦ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ । ଇରାନ ବର୍ତ୍ତମାନ କେବଳ ଜବାବୀ ଆକ୍ରମଣ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ, ବରଂ ବିରୋଧୀଙ୍କ ବିରୋଧରେ ଲଗାତର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଇରାନ ଏବେ ଆମେରିକା, ଇସ୍ରାଏଲ ସମେତ ସେମାନଙ୍କ ସହଯୋଗୀ ଦେଶଗୁଡ଼ିକ ପର୍ଯ୍ୟନ୍ତ ତୈଳ ପଞ୍ଚାଇବାକୁ ଦେବନାହିଁ । ଏଭଳି ଦେଶଗୁଡ଼ିକୁ ଯାଉଥିବା ଯେ କୌଣସି ଜାହାଜ କିମ୍ବା ଟ୍ୟାଙ୍କରକୁ ଟାର୍ଗେଟ୍ କରାଯିବ । ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (ଆଇଇଏ) ଘୋଷଣା କରିଛି କି ଏହାର ୩୨ ସଦସ୍ୟ ରାଷ୍ଟ୍ର ନିଜ ଜରୁରିକାଳୀନ ଭଣ୍ଡାରରୁ ୪୦ କୋଟି ବ୍ୟାରେଲ ଅଶୋଧିତ ତୈଳ ବିଶ୍ୱ ବଜାରକୁ ଛାଡ଼ିବେ । ଇତିହାସରେ ଏହା ସବୁଠୁ ଅଧିକ ମାତ୍ରାର ତୈଳ ବିତରଣ ହେବ । ଆଇଇଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଫାତିହ ବିରୋଲ କହିଛନ୍ତି, ତୈଳ ଯୋଗାଣରେ ଦେଖାଦେଇଥିବା ସମସ୍ୟାକୁ କିଛି ମାତ୍ରାରେ ପ୍ରତିକାର ଲାଗି ଏହି ପଦକ୍ଷେପ ସହାୟକ ହେବ ।