ନୂଆଦିଲ୍ଲୀ,୦୭/୧୧: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଉଛି ପ୍ରଦୂଷଣ ମାତ୍ରା। ଆଉ ଏହି ପ୍ରଦୂଷଣ ପାଇଁ ନଡ଼ା ଜାଳିବାକୁ ଦାୟୀ କରାଯାଉଛି ପଡୋଶୀ ରାଜ୍ୟକୁ । ଯାହାକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ କେନ୍ଦ୍ର ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଣିକ ନଡ଼ା ଜାଳିଲେ ଦେବାକୁ ପଡିବ ଡବଲ ପେନାଲ୍ଟି। ଜରିମାନା ଡବଲ କରିଛନ୍ତି କେନ୍ଦ୍ର ସରକାର। ତେବେ କେନ୍ଦ୍ର ସରକାର ନଡ଼ା ଜାଳିବା ଉପରେ ଜରିମାନା ବୃଦ୍ଧି କରିଛନ୍ତି। ବର୍ତ୍ତମାନ ୫ ଏକରରୁ ଅଧିକ ଜମି ଥିବା କୃଷକଙ୍କୁ ୩୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ସେହିପରି ୨ ଏକରରୁ କମ୍ ଜମି ଥିବା କୃଷକଙ୍କୁ ଜରିମାନା ୫ ହଜାର ଟଙ୍କା ସେହିପରି ୨ ରୁ ୫ ଏକର ମଧ୍ୟରେ ଜମି ପାଇଁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକାଶ ଥାଉକି, ଗତ ମାସରେ ସୁପ୍ରିମକୋର୍ଟ ନଡ଼ା ଜାଳିବାକୁ ନେଇ ରାଜ୍ୟ ସରକାରଙ୍କୁ ତାଗିଦ କରିଥିଲେ। ଏହା ପରେ ହିଁ କେନ୍ଦ୍ର ସରକାର ଯେଉଁମାନେ ନଡ଼ା ଜାଳୁଛନ୍ତି ସେମାନଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରି ଜରିମାନା ପରିମାଣ ଦ୍ୱିଗୁଣିତ କରିଛନ୍ତି। ଜାତୀୟ ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ୨୦୨୧ଅନୁଯାୟୀ ଏହି ନିୟମଗୁଡ଼ିକରେ ସଂଶୋଧନ କରାଯାଇଛି। ପ୍ରଦୂଷଣକୁ ନେଇ ଦିଲ୍ଲୀ-ଏନସିଆର ଭଳି ସହରରେ ରହୁଥିବା ଲୋକଙ୍କ ଚିନ୍ତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ବ୍ୟକ୍ତିଗତ ଯାନବାହାନରୁ ଧୂଆଁ ବାହାରିବା ବ୍ୟତୀତ ହରିୟାଣା ଏବଂ ପଞ୍ଜାବର ଚାଷୀଙ୍କ ଦ୍ୱାରା ଜଳାଯାଉଥିବା ନଡ଼ାରୁ ବାହାରୁଥିବା ଧୂଆଁ ପ୍ରଦୂଷଣକୁ ଆହୁରି ଖରାପ କରିଛି। ଏଠାକାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତିକାରକ ପ୍ରଭାବ ପଡିବା ସହ ସେମାନଙ୍କ ଜୀବନକୁ କଷ୍ଟସାଧ୍ୟ ମଧ୍ୟ କରୁଛି। ବାୟୁର ଗୁଣବତ୍ତା ୪୦୦ ପର୍ କରିଥିବା ରେକର୍ଡ ହୋଇଥିବା ସୂଚନା ମିଳିଛି।