ଭାରତୀୟ କୃଷି ବ୍ୟବସ୍ଥାରେ ସମୟ କ୍ରମେ ଯଥେଷ୍ଟ ପରିବର୍ତ୍ତନ ସଂଘଟିତ ହୋଇଚାଲିଛି, ଯାହା ରାଷ୍ଟ୍ରର ଖାଦ୍ୟ ବ୍ୟବସ୍ଥାକୁ ଜୀବିକା-ନିର୍ବାହ କୃଷିରୁ ଏକ ଆଧୁନିକ, ଉତ୍ପାଦନ ସକ୍ଷମ, ବ୍ୟାବସାୟିକ କ୍ଷେତ୍ରକୁ ବହୁଳ ଭାବରେ ପରିବର୍ତ୍ତନ କରିଛି । ଅର୍ଥନୀତି ସହିତ ସମନ୍ୱିତ ହୋଇଥିବା ଏହି ପ୍ରକ୍ରିୟା ପ୍ରଯୁକ୍ତିବିଦ୍ୟା, ଯୋଜନା ଏବଂ ନିବେଶ ଦ୍ୱାରା ପରିଚାଳିତ ହୋଇ ଖାଦ୍ୟ ସୁରକ୍ଷାକୁ ସମୃଦ୍ଧ, ଦାରିଦ୍ର୍ୟ ହ୍ରାସ ଏବଂ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଅଗ୍ରସର ହେଉଛି ।

ଉତ୍ପାଦନ ବୃଦ୍ଧିହେବା ସହିତ ଶ୍ରମକ୍ଷେତ୍ରରେ ଏବଂ ଗ୍ରାମୀଣ ଅର୍ଥନୀତି ଓ ଭିତ୍ତିଭୂମିରେ ଜଟିଳ ପରିବର୍ତ୍ତନ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଆଧୁନିକ କୃଷି ଦକ୍ଷତା, ଅମଳ ଏବଂ ନିରନ୍ତରତାର ବୃଦ୍ଧି ନିମନ୍ତେ କୃତ୍ରିମ ବୁଦ୍ଧିମତ୍ତା, ଡ୍ରୋନ, ଆଇଓଟି, ରୋବୋଟିକ୍ସ ଏବଂ ସଠିକ୍ କୃଷି (ଜିପିଏସ୍ର ବ୍ୟବହାର ଇତ୍ୟାଦି) ଭଳି ନୂତନ ଉଦ୍ଭାବିତ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରେ । ଏସବୁ ସତ୍ତେ୍ୱ, ସତୁରି ଦଶକରୁ କ୍ରମେ ବିକଶିତ ହୋଇଥିବା ସବୁଜ ବିପ୍ଳବ ପ୍ରକ୍ରିୟାରେ ରାସାୟନିକ ସାର ଏବଂ କୀଟନାଶକର ମାତ୍ରାଧିକ ପ୍ରୟୋଗ ମୃତ୍ତିକାର ଅବକ୍ଷୟ, ପରିବେଶର ଅବନତି, ଜୈବବିବିଧତାର ହ୍ରାସନ, ଅର୍ଥନୈତିକ ବୈଷମ୍ୟର ବୃଦ୍ଧି ଏବଂ ବିବିଧ ସ୍ୱାସ୍ଥ୍ୟ ସମସ୍ୟାର କାରକ ରୂପେ ଆଜି ଉଭା ହୋଇଛି । ଏ ସମସ୍ତ ଅଗ୍ରଗତିର ଉପ-ଉତ୍ପାଦ ରୂପେ ଏବେ ଆମ ଦେଶରେ କୃଷିକ୍ଷେତ୍ରରେ ଫସଲ ଅମଳ ପରେ ଅବଶିଷ୍ଟାଂଶ ନଡ଼ାକୁ ଜାଳିଦେବା ପ୍ରକ୍ରିୟା ଅନ୍ୟ ଏକ ଗମ୍ଭୀର ସମସ୍ୟା ରୂପେ ମୁଣ୍ଡ ଟେକିଛି, ଯାହାର କୁପ୍ରଭାବ ସୁଦୂରପ୍ରସାରୀ ଅଟେ ।

ଏକ ସାଧାରଣ ଅଭ୍ୟାସ ଭାବରେ ଅମଳ ପରେ, ମୁଖ୍ୟତଃ ଧାନ ଏବଂ ଗହମ କ୍ଷେତରେ, ଫସଲର ବଳକା ଅବଶେଷ ବା ନଡ଼ାରେ ସମ୍ପ୍ରତି ନିଆଁ ଲଗାଇ ପରବର୍ତ୍ତୀ ଫସଲ ପାଇଁ କ୍ଷେତକୁ ଶୀଘ୍ର ସଫା କରାଯାଉଛି । ଏହି ପ୍ରଥା ବିଶେଷତଃ ସଘନ କୃଷି ସମ୍ପାଦିତ ହେଉଥିବା ଉତ୍ତର-ପଶ୍ଚିମ ଭାରତର ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟରେ ଦେଖାଯାଏ, ଯେଉଁଠାରେ ଦୁଇଟି ଫସଲ ଅମଳ ମଧ୍ୟରେ ମାତ୍ର ୧୦-୨୦ ଦିନର ବ୍ୟବଧାନ ରହିଥାଏ । କୃଷକମାନଙ୍କର ନଡ଼ା ଜାଳିବା ପ୍ରକ୍ରିୟା ଅସାବଧାନତାବଶତଃ ନୁହେଁ, ବରଂ ବ୍ୟାବହାରିକ କାରଣରୁ ହୋଇଥାଏ । ପରବର୍ତ୍ତୀ ଫସଲଚକ୍ରରେ ବିଳମ୍ବ ହେବାଦ୍ୱାରା ଉତ୍ପାଦନ ହ୍ରାସପାଇବା ଆଶଙ୍କା କରି ଚାଷୀମାନେ ପୂର୍ବ ଫସଲର ଅବଶିଷ୍ଟାଂଶରେ ତ୍ୱରିତ୍ ନିଆଁ ଲଗାଇ ଦିଅନ୍ତି । ମେସିନ୍ ସାହାଯ୍ୟରେ ଶସ୍ୟ ଅମଳ କାର୍ଯ୍ୟ ହେଉଥିବାରୁ ଜମିରେ ଯଥେଷ୍ଟ ପରିମାଣର ନଡ଼ା ଛାଡ଼ି ହୋଇଯାଏ, ଯାହାକୁ ହାତରେ ସଂଗ୍ରହ କରିବା କଷ୍ଟକର ଏବଂ ମହଙ୍ଗା ସାବ୍ୟସ୍ତ ହୁଏ । ପୁନଶ୍ଚ, ଏବେ ଗ୍ରାମାଞ୍ଚଳରେ ଅଧିକାଂଶ ଘର ପକ୍କା ହୋଇଯିବା ଫଳରେ ଛପର କାର୍ଯ୍ୟରେ ନଡ଼ା-କୁଟାର ବ୍ୟବହାର ଯଥେଷ୍ଟ ହ୍ରାସପାଇଛି । ଟ୍ରାକ୍ଟର ଦ୍ୱାରା ହଳ କାର୍ଯ୍ୟ ହେଉଥିବାରୁ କ୍ରମେ ବଳଦ ସଂଖ୍ୟା ଏବଂ ନଡ଼ାର ଗୋଖାଦ୍ୟ ରୂପେ ବ୍ୟବହାର କମ୍ ହେଉଛି । ଯାନ୍ତ୍ରିକ ଉପାୟରେ ନଡ଼ାର ଅପସାରଣ ଅପେକ୍ଷା ଜାଳିବା ପ୍ରକ୍ରିୟା ଶସ୍ତା, ଶୀଘ୍ର ଏବଂ କମ୍ ଖର୍ଚ୍ଚବିଶିଷ୍ଟ ହୋଇଥାଏ । ନଡ଼ାକଟା ମେସିନ୍ର ଅଭାବ ଏବଂ ଶ୍ରମିକ ମହଙ୍ଗା କିମ୍ବା ପର୍ଯ୍ୟାପ୍ତ ସୁଲଭ ବ୍ୟବସ୍ଥା ଉପଲବ୍ଧ ନହେବା ପରିସ୍ଥିତିରେ ଶ୍ରେଷ୍ଠ ବିକଳ୍ପ ଭାବେ କୃଷକମାନେ ଏହି ପ୍ରଥାକୁ ଗ୍ରହଣ କରନ୍ତି । କ୍ଷୁଦ୍ରଚାଷୀମାନଙ୍କ ନିମନ୍ତେ କୃଷି ଅବଶିଷ୍ଟ୍ୟ ପରିଚାଳନା ଉପକରଣ କ୍ରୟ ମଧ୍ୟ କଷ୍ଟକର ହୋଇଥାଏ ।

ଉତ୍ତର-ପଶ୍ଚିମ ରାଜ୍ୟମାନଙ୍କରେ ପ୍ରଚଳିତ ଏହି ପ୍ରଥା କ୍ରମଶଃ ଭାରତର ଅନ୍ୟ ରାଜ୍ୟମାନଙ୍କୁ ବ୍ୟାପିବାରେ ଲାଗିଛି, ଏପରିକି ଓଡ଼ିଶାର କିଛି ଅଞ୍ଚଳରେ ଚାଷୀମାନେ ଏହାଦ୍ୱାରା ଅନୁପ୍ରାଣିତ ହୋଇ ଜମିର ବଳକା ନଡ଼ାରେ ସମ୍ପ୍ରତି ନିଆଁ ଲଗାଇବା ଆରମ୍ଭ କଲେଣି । ସେମାନେ ଏପରି ଭ୍ରମାତ୍ମକ ଧାରଣାର ବଶବର୍ତ୍ତୀ ହେଉଛନ୍ତି ଯେ, ଏଥିରୁ ଉତ୍ପନ୍ନ ପାଉଁଶ ଜମିକୁ ସାର ରୂପେ ଉର୍ବର କରେ ଏବଂ ଏହା ଏକ ଲାଭଦାୟକ ପ୍ରକ୍ରିୟା ଅଟେ । କୋରାପୁଟ, ସୁନ୍ଦରଗଡ଼ ଠାରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଏହା କ୍ରମଶଃ ଦୃଷ୍ଟିଗୋଚର ହେଲାଣି । ସୂଚନାଯୋଗ୍ୟ ଯେ ଭାରତରେ, ଧାନଚାଷ ମୋଟ୍ ଖାଦ୍ୟଶସ୍ୟ ଉତ୍ପାଦନର ୪୧ ପ୍ରତିଶତ ଅଟେ । ରିହାତି ମୂଲ୍ୟରେ ସାର, ଗ୍ୟାରେଣ୍ଟି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଏବଂ ମାଗଣା ବିଦ୍ୟୁତ୍ ସମେତ ଅନେକ ଅନୁକୂଳ ନୀତି ଯୋଗୁଁ ଧାନଚାଷର ଉତ୍ପାଦନରେ ବୃଦ୍ଧିଘଟିଛି । କିନ୍ତୁ ଏସବୁ ପ୍ରକ୍ରିୟା, ଫସଲ ଅବଶିଷ୍ଟାଂଶ ସମସ୍ୟା ଏବଂ ଭୂତଳ ଜଳର ଅଭାବ ନିମନ୍ତେ ମୁଖ୍ୟତଃ ଦାୟୀ ।

ତେବେ ନଡ଼ା ପୋଡ଼ିବା ଦ୍ୱାରା ଗମ୍ଭୀର ପରିବେଶୀୟ ପରିଣାମ ଉତ୍ପନ୍ନ ହୁଏ । ଏହି ପ୍ରକ୍ରିୟାରେ ପଞ୍ଜାବ, ହରିୟାଣା ଏବଂ ଉତ୍ତର-ପ୍ରଦେଶରେ ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ବେଳକୁ ପ୍ରଚୁର ପରିମାଣରେ କଣିକା ପଦାର୍ଥ ସହ ଧୂଆଁ ନିର୍ଗତ ହୁଏ, ଯାହା ବାୟୁ ମାଧ୍ୟମରେ, ବିଶେଷକରି ଦିଲ୍ଲୀ-ଏନସିଆର୍ ଅଞ୍ଚଳରେ ପହଞ୍ଚି ଗୁରୁତର ପ୍ରଦୂଷଣ ସହ ଘନ କୁହୁଡ଼ି ପରିବେଶ ସୃଷ୍ଟିକରେ । ଏଥିରେ କଣିକା ପଦାର୍ଥ (ପିଏମ୍ ୨.୫), କାର୍ବନ ମନୋକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ ଅନ୍ୟାନ୍ୟ ପ୍ରଦୂଷକ ରହିଥାଏ, ଯାହାର ପ୍ରଭାବରେ ବ୍ୟାପକ ଅଞ୍ଚଳରେ ଧୂହୁଡ଼ି (ସ୍ମଗ୍) ଉତ୍ପନ୍ନ ହୁଏ ଏବଂ ବାୟୁର ଗୁଣବତ୍ତାରେ ଅବନତି ଘଟି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିହୁଏ । ଏଥିରୁ ନିର୍ଗତ ଅଙ୍ଗାରକାମ୍ଳ ମିଥେନ୍ ଏବଂ ‘କଳା ଅଙ୍ଗାରକ’ କଣିକା ଭଳି ସବୁଜଗୃହ ବାଷ୍ପ ସୂର୍ଯ୍ୟକିରଣକୁ ଶୋଷଣ କରି ବିଶ୍ୱ ଉଷ୍ମତା ବୃଦ୍ଧିକରନ୍ତି, ଯାହା ଜଳବାୟୁ ପରିବର୍ତ୍ତନର କାରକ ହୁଏ । ଅନ୍ୟପକ୍ଷରେ, ମାଟି ଉପରେ ଜଳୁଥିବା ନିଆଁ ପ୍ରଭାବରେ ମୃତ୍ତିକାସ୍ଥ ପରିସଂସ୍ଥାରେ ଥିବା ବହୁ ଅଦୃଶ୍ୟ ଉପକାରୀ ଜୀବାଣୁ, ଜିଆ ଓ ଅନ୍ୟ ଜୀବଜନ୍ତୁ ଏବଂ ଜୈବିକ ପଦାର୍ଥ ନଷ୍ଟ ହୋଇ ଜୈବବିବିଧତାରେ ଅବନତି ଘଟେ । ଏହାଦ୍ୱାରା ମୃତ୍ତିକାର ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ପ୍ରକ୍ରିୟା ସବୁ ପ୍ରଭାବିତ ହୁଏ, ଆର୍ଦ୍ରତା ମାତ୍ରା ହ୍ରାସପାଏ ଏବଂ ପୋଷକ ପୁନଃଚକ୍ରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ପ୍ରକ୍ରିୟାର ଦୀର୍ଘକାଳୀନ ପୁନରାବୃତ୍ତି ହେଲେ ସମୟକ୍ରମେ ମାଟିର ଉର୍ବରତା ହ୍ରାସପାଇ ଉତ୍ପାଦନ ପ୍ରଭାବିତ ହୁଏ ଏବଂ ସାର ଉପରେ ନିର୍ଭରଶୀଳତା ବୃଦ୍ଧିପାଏ । କେତେକ କ୍ଷେତ୍ରରେ ଅଣଦେଖା ହୋଇଥିବା ନିଆଁ ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳକୁ ବ୍ୟାପିଯିବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।

ନଡ଼ା ଜଳାଯିବା ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଉପରେ ପଡୁଥିବା ନକାରାତ୍ମକ ପ୍ରଭାବରେ ଆଜ୍ମା, ବ୍ରୋଙ୍କାଇଟିସ୍ ସମେତ ଅନ୍ୟ ଶ୍ୱାସକ୍ରିୟାଜନିତ ସମସ୍ୟାରେ ବୃଦ୍ଧି, ଫୁସ୍ଫୁସ୍ କାର୍ଯ୍ୟକ୍ଷମତାରେ ହ୍ରାସ, ଆଖି ଜ୍ୱଳନ, ଉଚ୍ଚ ରକ୍ତଚାପ, ହୃଦରୋଗ, ସ୍ନାୟୁଗତ ରୋଗ ଏବଂ କର୍କଟ ଇତ୍ୟାଦି ରୋଗର ସୃଷ୍ଟି ଅନ୍ତର୍ଭୁକ୍ତ । ଏହି ବାୟୁ ପ୍ରଦୂଷଣ ବିଶେଷ ରୂପେ ଛୋଟପିଲା, ବୟସ୍କ ବ୍ୟକ୍ତି ଏବଂ ରୋଗାକ୍ରାନ୍ତ ଲୋକଙ୍କ ନିମନ୍ତେ ଅଧିକ କ୍ଷତିକାରକ ସାବ୍ୟସ୍ତ ହୁଏ । ଗମ୍ଭୀର ପରିସ୍ଥିତିରେ, ନଡ଼ା ଜଳିବା ଋତୁରେ ଏପରି ରୋଗୀମାନଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବା ବୃଦ୍ଧିପାଏ । ସେହିପରି ଅର୍ଥନୈତିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ଏଥିରେ କ୍ଷଣସ୍ଥାୟୀ ଲାଭ, ଦୀର୍ଘକାଳୀନ କ୍ଷତି ହିଁ ଘଟିଥାଏ । ଚାଷୀମାନେ ତୁରନ୍ତ ଅର୍ଥ ସଞ୍ଚୟ କରନ୍ତି ସତ, କିନ୍ତୁ ପରବର୍ତ୍ତୀ ସମୟରେ ମାଟିର ଗୁଣବତ୍ତା ଏବଂ ଉତ୍ପାଦକତା ହରାଇ ବସନ୍ତି । ସାର୍ବଜନୀନ ଭାବେ ସ୍ୱାସ୍ଥ୍ୟସେବା ଖର୍ଚ୍ଚ, ଉତ୍ପାଦକତା ହ୍ରାସ ଏବଂ ପ୍ରଦୂଷଣ ପ୍ରଭାବରେ କମ୍ ଦୃଶ୍ୟମାନତା ଯୋଗୁଁ ଟ୍ରାଫିକ୍ ବାଧାପ୍ରାପ୍ତ ହେବା ଜନସାଧାରଣଙ୍କ ନିମନ୍ତେ ଅହିତକର ହୋଇଥାଏ । ନଡ଼ା ପୋଡ଼ାକୁ ନେଇ ଚାଷୀ, ସରକାର ଏବଂ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ସହରାଞ୍ଚଳ ଅଧିବାସୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧିପାଏ ।

ଏପରି କ୍ଷତିକାରକ ପ୍ରଭାବ ପରିପ୍ରେକ୍ଷୀରେ, ଉଚ୍ଚତମ ନ୍ୟାୟାଳୟ ନଡ଼ା ଜାଳି ପ୍ରଦୂଷଣ ସୃଷ୍ଟି ଦ୍ୱାରା ଲୋକମାନଙ୍କୁ ଏକ ସ୍ୱଚ୍ଛ, ପ୍ରଦୂଷଣମୁକ୍ତ ପରିବେଶ ଉପଲବ୍ଧ ହେବାର ମୌଳିକ ଅଧିକାର (ଧାରା ୨୧)ର ଉଲ୍ଲଂଘନ ଭାବରେ ବିବେଚନା କରିଛନ୍ତି । ନଡ଼ା ଜାଳିବା ବିରୁଦ୍ଧରେ ଫୌଜଦାରୀ ମାମଲାର ପୁନଃପ୍ରଚଳନ କାହିଁକି ନହେବ ବୋଲି କୋର୍ଟ ଉତ୍ତର ମାଗିଛନ୍ତି । ଅବଶ୍ୟ, ଦିଲ୍ଲୀର ବାୟୁ ପ୍ରଦୂଷଣର ଏକମାତ୍ର କାରଣ ଭାବରେ ଚାଷୀମାନଙ୍କୁ ଦାୟୀ କରିବା ଉପରେ ନ୍ୟାୟାଳୟ ମଧ୍ୟ ପ୍ରଶ୍ନ ଉତ୍ଥାପନ କରିଛନ୍ତି । ଏ ଦିଗରେ ସଚେତନତା ଅଭିଯାନ ଜାରି ରଖିବା ସହ ସ୍ଥାୟୀ ବିକଳ୍ପ ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ଏକାନ୍ତ ଅପରିହାର୍ଯ୍ୟ । ନଡ଼ାକୁ ନପୋଡ଼ି ଜମିରେ ହ୍ୟାପି ସିଡର୍ ଓ ମଲ୍ଚିଂ ମେସିନ୍ ଦ୍ୱାରା ସିଧା ଗହମ ବୁଣିହେବ, ଯାହା ସେହି ପ୍ରକ୍ରିୟାରେ ନଡ଼ାକୁ ମଲ୍ଚିଂ କରି ମାଟିରେ ମିଶାଏ । ପୋଡ଼ିବାକୁ ରୋକିଥାଏ, ସମୟ ଓ ପାଣି ବଞ୍ଚାଏ ଏବଂ ମୃତ୍ତିକାର ସ୍ୱାସ୍ଥ୍ୟରେ ଉନ୍ନତି ଘଟାଏ । ଫସଲ ଅବଶିଷ୍ଟ୍ୟକୁ ପଶୁ ଖାଦ୍ୟ, ଜୈବଇନ୍ଧନ, କମ୍ପୋଷ୍ଟ ଖତ କିମ୍ବା ପ୍ୟାକେଜିଂ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର କରାଯାଇପାରେ । ଧାନ ନଡ଼ାକୁ ମାଧ୍ୟମ ଭାବରେ ବ୍ୟବହାର କରି ଛତୁଚାଷ ଏବଂ ମଲ୍ଚ ଭାବରେ ବ୍ୟବହାର କରି ଆଳୁଚାଷ କରିବାର ଅବକାଶ ରହିଛି । ନଡ଼ାକୁ ନପୋଡ଼ିବା ନିମନ୍ତେ ଚାଷୀଙ୍କୁ ସିଧାସଳଖ ଅର୍ଥ କିମ୍ବା କାର୍ବନ କ୍ରେଡିଟ୍ ପ୍ରଦାନ ପରି ପ୍ରୋତ୍ସାହନ ବ୍ୟବସ୍ଥା ମଧ୍ୟ ଆବଶ୍ୟକ । ଜମିରେ ଫସଲ ବିବିଧତାକୁ କାର୍ଯ୍ୟକାରୀ କଲେ ନଡ଼ା ଭାର ଏବଂ ଜଳ ବ୍ୟବହାର ଚାପ ହ୍ରାସପାଏ । କୃଷକମାନେ ଗୋଷ୍ଠୀସ୍ତରୀୟ ସମାଧାନ ପନ୍ଥା ଭାବରେ ‘ମିଳିତ ମେସିନାରୀ ବ୍ୟାଙ୍କ' ଏବଂ ‘ସମବାୟ ମଡେଲ'କୁ ଗ୍ରହଣ କରିବା ଉପଯୁକ୍ତ ହେବ । କୃଷି ବର୍ଜ୍ୟବସ୍ତୁକୁ ପୁନଃଉପଯୋଗ କରିବା ଦିଗରେ ସଚେତନତା ଅଭିଯାନ ଏବଂ କୃଷିରେ ଜୈବ-ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ଏବଂ ଅନୁଷ୍ଠାନମାନଙ୍କର ପ୍ରୟାସ ରହିବା ବାଞ୍ଛନୀୟ । ଅପଚୟ ବଦଳରେ ନଡ଼ାକୁ ଏକ ମୂଲ୍ୟବାନ ସମ୍ପଦ ରୂପେ ପରିଗଣିତ କରିବା ନିମନ୍ତେ ପଞ୍ଜାବ ସରକାର ବିଭିନ୍ନ ପ୍ରୋତ୍ସାହନର ବ୍ୟବସ୍ଥା କରୁଛନ୍ତି ।

ଏହା ସ୍ୱୀକାର୍ଯ୍ୟ ଯେ ନଡ଼ା ପୋଡ଼ିବା କେବଳ ଏକ ପରିବେଶୀୟ ସମସ୍ୟା ନୁହେଁ³ ଏହା ଅର୍ଥନୀତି, ଯୋଜନା ଏବଂ ଭିତ୍ତିଭୂମି ସହିତ ଜଡ଼ିତ ଏକ ପଦ୍ଧତିଗତ କୃଷି ସମସ୍ୟା । ଏହା ଗୁରୁତ୍ୱପୂର୍ଣ୍ଣ ଯେ, କେବଳ ଦଣ୍ଡମୂଳକ ପଦକ୍ଷେପ ଅବଲମ୍ବନ ସମସ୍ୟା ସମାଧାନର ପନ୍ଥା ନୁହେଁ । ସ୍ଥାୟୀ ପରିବର୍ତ୍ତନ ନିମନ୍ତେ ସୁଲଭ ବିକଳ୍ପ, ଚାଷୀଙ୍କର ସମର୍ଥନ ଏବଂ ଦୀର୍ଘକାଳୀନ ଯୋଜନାର କାର୍ଯ୍ୟାନ୍ୱୟନ ଏକାନ୍ତ ଅପରିହାର୍ଯ୍ୟ, ଯାହା ଖାଦ୍ୟ ସୁରକ୍ଷାକୁ ପରିବେଶୀୟ ଓ ସାର୍ବଜନୀନ ସ୍ୱାସ୍ଥ୍ୟ ସହିତ ସନ୍ତୁଳିତ ରଖେ । ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ଉପଯୁକ୍ତ ପ୍ରୟୋଗ କୃଷିକ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତିର ସମ୍ଭାବନା ବହନ କରେ ।