ସୋର, ୧୭।୧୦ :  ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଧୀନ ନୟାଖଣ୍ଡି ତୁରାଣୀପଦା ଲକ୍ଷ୍ମୀ ଵସ ଷ୍ଟାଣ୍ଡ ଠାରେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରର ଜୀବନ ଚାଲି ଯାଇଛି। ଛାତ୍ର ଜଣକ ହେଲେ ଉକ୍ତ ପଞ୍ଚାୟତ ଅଧୀନ ହାଟମହୁରୀ ଗ୍ରାମର ମାୟାଧର ସାହୁଙ୍କ ବଡ଼ ପୁଅ ବିଜୟ କୁମାର ସାହୁ (୧୪) । ସେ  ନିଜର ଦୁଇ ସାଙ୍ଗ ସହ ପୂଜା ବୁଲିବାକୁ  ଆସିଥିଲେ।

କେନ୍ଦୁଝର ଜିଲ୍ଲା ଆନ୍ଦପୁର ବ୍ଲକ ଅଧୀନ ଶାଳବଣି ଗ୍ରାମର ପ୍ରଶାନ୍ତ ସାହୁଙ୍କ ପୁଅ ରାହୁଲ କୁମାର ସାହୁ (୧୪) ଓ ଖଇରା ବ୍ଲକ ଅଧୀନ ନନ୍ଦୁରୁ ପଞ୍ଚାୟତ ଦାନ୍ତିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ପୁଅ ସଞ୍ଜୟ କୁମାର ବେହେରା (୧୪)  ଓ ବିଜୟ ସାଙ୍ଗ  ହୋଇ ଲକ୍ଷ୍ମୀ ପୂଜା ଦେଖିବାକୁ ଆସିଥିଲେ। ବିଜୟଙ୍କ ଗ୍ରାମ ନିକଟସ୍ଥ ତଳମହୁରୀ ଗ୍ରାମରେ ଥିବା ମାମୁଁ ଗୌରାଙ୍ଗ ସାହୁଙ୍କ ଘରକୁ ସେମାନେ ବୁଲିବାକୁ ଆସିଥିଲେ। ସେଠାରୁ ୩ ଜଣ ମିଶି ଖଇରା ବଜାରରେ ଚାଲୁଥିବା ପୂଜା ଦେଖିବାକୁ ଯିବାବେଳେ ତୁରାଣୀପଦା ଵସଷ୍ଟାଣ୍ଡ ନିକଟରେ ଅଟକି ଥିଲେ। ମାତ୍ର ସେଠାରେ ଥିବା ୧୧ କେଭି ତାର ସଂସ୍ପର୍ଶରେ ବିଜୟ ଆସି ଯାଇଥିଲେ। ଏହା  ତାର ସାଙ୍ଗମାନେ  ଦେଖି ନିଜର ବନ୍ଧୁ ଘରକୁ ଫୋନ କରିଥିଲେ। ଖବର ପାଇ ସେଠାରେ ସାଙ୍ଗେ ସାଙ୍ଗେ  ଲୋକଙ୍କ ଭିଡ ଜମିଥିଲା। ଘଟଣା ସ୍ଥଳରେ  ବିଦ୍ୟୁତ ବିଭାଗ ସମେତ ଖଇରା ଦମକଳ ବାହିନୀ ପହଞ୍ଚିଥିଲେ।  ପରେ ବିଜୟର ମୃତଦେହ  ଉଦ୍ଧାର କରାଯାଇଥିଲା।