ଭୁବନେଶ୍ୱର,୨୪/୦୬: ରାଜ୍ୟରେ ଗତ  ୮ ବର୍ଷ ହେବ ଛାତ୍ରସଂସଦ ନିର୍ବାଚନ ହୋଇନାହିଁ । ଯାହାକୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନଗୁଡ଼ିକ ମଧ୍ୟରେ ଦୀର୍ଘ ଦିନ ହେବ ଅସନ୍ତୋଷ କୁହୁଳୁଥିଲା । ବିଜେପି  ସରକାର ଗଠନ କଲେ ଛାତ୍ର ସଂସଦ ନିର୍ବାଚନ କରିବ ବୋଲି କହିଥିଲା । ତେଣୁ ଚଳିତବର୍ଷ ଦଶହରା ପୂର୍ବରୁ ଛାତ୍ରସଂସଦ ନିର୍ବାଚନ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ  ସୂରଜ କହିବା ପରେ ଏବେ ଏହାକୁ ନେଇ ଜୋର୍‌  ଧରିଛି ରାଜ୍ୟ ରାଜନୀତି । କ୍ୟାମ୍ପସ୍‌ ଦଖଲ ପାଇଁ ତିନି ପ୍ରମୁଖ ଦଳ ରଣନୀତି କରିବା ଆରମ୍ଭ କରିଛନ୍ତି । 

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟର ସମସ୍ତ କ୍ୟାମ୍ପସ ଚଳଚଞ୍ଚଳ ହୋଇପଡ଼ିଛି । ପୁଣି  ଛାତ୍ରନେତାମାନେ କ୍ୟାମ୍ପସରେ ଆଡ୍ଡା କଲେଣି। ନାମ ଲେଖିବା ପାଇଁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ  ଆବେଦନ କରିବାଠୁ ଆରମ୍ଭ କରି ପ୍ରବେଶିକା ପରୀକ୍ଷା ପର୍ଯ୍ୟନ୍ତ ସବୁଥିରେ ସାହାଯ୍ୟ କରିବାକୁ  ଆଗେଇ ଆସୁଛନ୍ତି ଛାତ୍ରନେତା । ଲକ୍ଷ୍ୟ କେବଳ ଛାତ୍ରସଂସଦ ନିର୍ବାଚନରେ ସମର୍ଥନ ହାସଲ  କରିବା । ଏମିତି କି କିଛି କ୍ୟାମ୍ପସରେ ଛାତ୍ର ସଙ୍ଗଠନଗୁଡ଼ିକ ପକ୍ଷରୁ ହେଲ୍ପଡେସ୍କ କରି ଏବେଠୁ ସାହାଯ୍ୟ ଆଳରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ହେଲେ କ୍ୟାମ୍ପସରେ କେଉଁ ସଙ୍ଗଠନର କାହାର ଦବ୍‌ଦବା ଅଧିକ, ତାହାକୁ ନେଇ ବିଜେପି ଓ  ବିଜେଡି କଡ଼ା ଟକ୍କର ଦେବା ଆରମ୍ଭ କରିଛନ୍ତି । 

ଆସନ୍ତା ୨୫ ତାରିଖରେ ବିଜେପି ପକ୍ଷରୁ ସମ୍ୱିଧାନ ହତ୍ୟା ଦିବସ ପାଳନ କରିବାକୁ ଡାକରା ଦିଆଯାଇଛି । ସେହିଦିନ ବିଜେଡି ରାଜ୍ୟବ୍ୟାପୀ ଛାତ୍ର ଧର୍ମଘଟ କରିବାକୁ ଡାକରା ଦେଇଛି । ଶାସନରୁ ଯିବା ପରେ ବିଜେଡି ବର୍ଷେ ପରେ ପ୍ରଥମ ଥର ସିଧା ଲଢେଇ ପାଇଁ ଆହ୍ୱାନ ଦେଇଛି । ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇ ପଡ଼ିଛି । 

ବିଜେଡିର ଆନ୍ଦୋଳନ ଡାକରା ପ୍ରସଙ୍ଗରେ  ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି,  ବିଜେଡି ଛାତ୍ର, ଯୁବ ଓ ମହିଳାମାନେ ଆନ୍ଦୋଳନ କରୁଛନ୍ତି । ହେଲେ ବିଜେଡି ଦଳ କାହିଁକି କିଛି  କରୁନି । ବିଧାନସଭାରେ ବିଜେଡି କାହିଁକି  ଚୁପ ରହିଲା?  ବିଜେଡି କଂଗ୍ରେସ ମିଶିକି ବିଧାନସଭାରେ ଚର୍ଚ୍ଚା କରିପାରିଥାନ୍ତେ । ବିଜେଡି  ଏହାର ଜବାବ ଦେଉ । ଦୋଷୀ ଭଳି କାହିଁକି ହେଉଛି । ବିଜେଡି ନାରୀ ନିର୍ଯାତନା ପ୍ରସଙ୍ଗରେ  ବିଜେପି ସରକାର ବିରୋଧରେ ଆନ୍ଦୋଳନ କରୁ । କଂଗ୍ରେସ ଆନ୍ଦୋଳନ କରୁଛି, ଆଗକୁ ଆହୁରି ବ୍ୟାପକ ହେବ ବୋଲି ଭକ୍ତ କହିଛନ୍ତି । 

ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରୁ ପୂର୍ବ  ସରକାର ବିଭିନ୍ନ ବାହାନା ଦେଖାଇ ଛାତ୍ର ସଂସଦ  ନିର୍ବାଚନ ବନ୍ଦ କରିଥିଲେ । ବିଜେପି ସରକାରକୁ  ଆସିବା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ନେଇ  ପ୍ରତିଶ୍ରୁତି ଦେଇଥିଲା । ସରକାର ଆସିବା ପରେ  ଗତବର୍ଷ ସମୟ ଅଭାବ ଥିବା ଦର୍ଶାଇ ଛାତ୍ର  ସଂସଦ ନିର୍ବାଚନ କରିନଥିଲେ । ମାତ୍ର ଚଳିତବର୍ଷ  ଛାତ୍ରସଂସଦ ନିର୍ବାଚନ ଦଶହରା ପୂର୍ବରୁ କରିବାକୁ  ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ ଏବେ ସବୁ କ୍ୟାମ୍ପସ୍‌  ପୁଣି ନିର୍ବାଚନ ମୁହାଁ ହୋଇଥିବା ସ୍ପଷ୍ଟ ବାରି ହେଉଛି ।