ଭୁବନେଶ୍ୱର, ୨୨/୦୭ : ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲା ବିଜୁ ଜନତା ଦଳ। ଦିଲ୍ଲୀ ଗସ୍ତରେ ଥିବା ନବୀନ ଏ ପ୍ରସଙ୍ଗ ନେଇ ବିଜେଡି ସାଂସଦମାନଙ୍କ ସହ ବୈଠକ କରିଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି, ଦିଲ୍ଲୀରେ ଆନ୍ଦୋଳନ କରୁଥିବାବେଳେ ଛାତ୍ରମାନଙ୍କୁ ଅମାନୁଷିକ ଭାବେ ଦମନ କରାଯାଇଛି । ଏଥିରେ ବହୁ ଆନ୍ଦୋଳନକାରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଯାଇ ବିଜେଡି ସାଂସଦମାନେ ଭେଟିଛନ୍ତି। ଦିଲ୍ଲୀରେ ଯାହା ଘଟିଲା, ତାହା ଅତ୍ୟନ୍ତ ଗମ୍ଭୀର ଓ ଚିନ୍ତାର ବିଷୟ । ସେପଟେ ଆନ୍ଦୋଳନ ସମୟରେ ଆହତ ହୋଇଥିବା ଛାତ୍ରମାନଙ୍କୁ ବିଜେଡି ସାଂସଦମାନେ ହସ୍ପିଟାଲରେ ଯାଇ ସାକ୍ଷାତ କରିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି।
ସେହିପରି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଆରେ ଗୋଟିଏ କଥା ଅଛି, ଗୋଦରୀ ଲୋ ନିଜ ଗୋଡ଼କୁ ଅନା । ନବୀନଙ୍କ ଶାସନରେ ବହୁ କେଳେଙ୍କାରୀ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶ ପାଇଁ କାମ କରୁଛନ୍ତି । କିନ୍ତୁ ନବୀନ ନିମ୍ନସ୍ତରର ରାଜନୀତି କରୁଛନ୍ତି । ନବୀନଙ୍କୁ ଜବାବ ଦେଇ ଏଭଳି କଡା ଭାଷାରେ ସମାଲୋଚନା କରିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଏ ପ୍ରସଙ୍ଗରେ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, ନବୀନଙ୍କ ଏଭଳି ବକ୍ତବ୍ୟ ସୈତାନର ବେଦପାଠ ସହ ସମାନ । ଯିଏ ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ, ତାଙ୍କ ଶାସନ କାଳରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ହୋଇଥିଲା । କନେଷ୍ଟବଳ ନିଯୁକ୍ତି ପରୀକ୍ଷାଠୁ ମାଟ୍ରିକ ପ୍ରଶ୍ନପତ୍ର, ଓଟିଇଟି ପ୍ରଶ୍ନପତ୍ର ଲିକ୍ ହେବା ଭଳି ଅନେକ ଘଟଣା ଘଟିଥିଲା । ଅନ୍ୟକୁ ସମାଲୋଚନା ଆଗରୁ ସେ ନିଜ କେଳେଙ୍କାରୀ କଥା ମନେ ପକାନ୍ତୁ ବୋଲି କହିଛନ୍ତି ।
ସେପଟେ ବିଜେଡି ସାଂସଦମାନେ ଦିଲ୍ଲୀର ବିଜୟ ଚୌକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କୁ ପୁଲିସର ଆକ୍ରମଣକୁ ନିନ୍ଦା କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦମାନେ ଛାତ୍ର ଆନ୍ଦୋଳନକୁ ନିଃସର୍ତ୍ତ ସମର୍ଥନ ଘୋଷଣା କରିବା ସହ ସଂସଦରେ ଏ ନେଇ ସ୍ୱତନ୍ତ୍ର ଆଲୋଚନା ଦାବି କରିଥିଲେ। ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଏ ପ୍ରସଙ୍ଗରେ କହିଛନ୍ତି, ନିରୀହ ପ୍ରତିବାଦକାରୀଙ୍କୁ ନିର୍ମମ ଲାଠି ମାଡ଼ କରାଯାଇଛି । ଇତିହାସ ଏହାକୁ ଭୁଲିବନି । ଭବିଷ୍ୟତ ପିଢ଼ି ଏ ନେଇ କଠୋର ଜବାବ ଦେବେ।
ଆହୁରି ପଢନ୍ତୁ- Rain Alert : ଅବିଶ୍ରାନ୍ତ ବର୍ଷାରେ ସ୍ମାର୍ଟ ସିଟି ଉବୁଟୁବୁ, ପଦାରେ ପଡ଼ିଲା ବିଏମସିର ସବୁ ପ୍ରସ୍ତୁତି, ୨୭ ଯାଏଁ ଆହୁରି ଛେଚିବ...
ଓଡ଼ିଶାର ପ୍ରଥମ ମହିଳା ଡନ୍ ‘ଚିତ୍ତେରା’! ନାଁ ଶୁଣିଲେ ଥରୁଥିଲେ ୫ ଖଣ୍ଡ ମୌଜା