ଭୁବନେଶ୍ୱର, ୨୨/୦୭ : ରାଜ୍ୟର ଅନେକ ସ୍ଥାନରେ ବୁଧବାର ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଆକଳନ କରିଛି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ଏହାବାଦ୍ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା ମଧ୍ୟ ରହିଛି । ୨୩ ଓ ୨୪ ତାରିଖରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ ୨୫ରେ ଅଧିକ ବର୍ଷା ହୋଇପାରେ । ୨୫ ଓ ୨୬ରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।

ଆହୁରି ପଢନ୍ତୁ- ମୁହଁ ମାଡ଼ି ପଡ଼ିଛି ଏକାମ୍ର ପ୍ରକଳ୍ପ, ୯ଟିରୁ ବନ୍ଦ କରିଦେଲେ ୫ଟି ପ୍ରକଳ୍ପ, ବିନ୍ଦୁସାଗର ପରିକ୍ରମା ଓ ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ହେବନି

ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାବେଳେ ପୁରୀ ଓ ଭୁବନେଶ୍ୱରରେ ଅଧିକ ବର୍ଷା ହୋଇଥିଲା । ଅପରାହ୍ଣରୁ ଆରମ୍ଭ ହୋଇଥିବା ଅବିଶ୍ରାନ୍ତ ବର୍ଷା ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଇଥିଲା। ସହରର ପ୍ରମୁଖ ତଳି ଅଞ୍ଚଳରେ ପାଣି ଲହଡ଼ି ମାରିଥିଲା । ଅନେକ ଲୋକ ଘରୁକୁ ଫେରିବା ଲାଗି ନାକେଦମ ହୋଇଛନ୍ତି । ଇସ୍କନ ଆଗରେ ପୁଣି ରାଜପଥ ଜଳବନ୍ଦୀ ହୋଇଛି । ଜନପଥ ଏବଂ ସଚିବାଳୟ ମାର୍ଗରେ ପାଣି ଉବୁଟୁବୁ ହୋଇଛି । ଏହି ବର୍ଷା ବିଏମ୍ସିର ବର୍ଷା ପ୍ରସ୍ତୁତିକୁ ପଦାରେ ପକାଇ ଦେଇଛି । ରାତି ୮ଟା ୩୦ ସୁଦ୍ଧା ୨୨ ମିମି ବର୍ଷା ରେର୍କଡ କରାଯାଇଥିଲା । କଟକ ରୋଡ୍ ବମିଖାଲ ନିକଟରେ ଡ୍ରେନ୍ କାମ ଚାଲିଥିବାରୁ ସେଠାରେ ବର୍ଷାଜଳ ନିଷ୍କାସନ ସମସ୍ୟା ଯୋଗୁ ରାସ୍ତାରେ ପାଣି ଲହଡି ଖେଳିଥିଲା । ଫଳରେ ଅପରାହ୍ଣରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରବଳ ଟ୍ରାଫିକ୍ ଭିଡ଼ ଦେଖିବାକୁ ମିଳିଥିଲା । ଘଣ୍ଟା ଘଣ୍ଟା ଧରି ଲୋକେ ଜାମ୍ରେ ଫଶି ରହିଥିଲେ । ଇସ୍କନ ଆଗରେ କାର୍ ଓ ବସ୍ ପାଣିରେ ବୁଡ଼ିଥିଲା । କିଛି ସମୟ ପରେ ପାଣି ନୂଆପଲ୍ଲୀ ବେହେରା ସାହି ଦମୟନ୍ତୀ ଆପାର୍ଟମେଣ୍ଟ ଅଞ୍ଚଳରେ ପାଣି ଜମିଥିଲା । ୨ ଘଣ୍ଟା ଧରିସ୍ଥିତି ଅସମ୍ଭାଳ ହୋଇଥିଲା । ଏହା ପରେ ବିଏମ୍ସି ପକ୍ଷରୁ ସେଠାରେ ପାଣି ପାଇପ୍ ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଇଥିଲା ।

ଜୟଦେବ ବିହାର ଆଚର୍ଯ୍ୟବିହାର ଏନ୍ଏଚ୍ ଓଭରବ୍ରଜ୍ ଉପରେ ଆଣ୍ଠୁଏ ପାଣି ଜମିଥିଲା । ଫଳରେ ଏନ୍ଏଚ୍ରେ ନୂଆପଲ୍ଲୀ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ ହୋଇଥିଲା । ଏହା ସହ ଅପରପାର୍ଶ୍ୱ ରାସ୍ତା ତଥା ଏନ୍ଏଚ୍ ଓଭରବ୍ରିଜ୍ ଫାୟାରଷ୍ଟେସନରୁ ବରମୁଣ୍ଡା ଉପରେ ମଧ୍ୟ ପାଣି ଜମିଥିଲା । ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତାରେ ପ୍ରବଳ ପାଣି ଜମିଥିଲା । ରାସ୍ତାରେ ପାଣି ଲହଡ଼ି ଖେଳିଥିଲା । ନହରକଣ୍ଟା ହରିଦାସପୁରରେ ପାଣି ଜମି ରାସ୍ତାରେ ଚାଲିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହା ସହ ଟଙ୍କପାଣି ସାଇମନ୍ଦିର ରାସ୍ତାରେ ପାଣି ନିଷ୍କାସନ ହୋଇନପାରିବାରୁ ଜମିଥିଲା । ଏହା ବ୍ୟତୀତ ସୌଭାଗ୍ୟନଗରରେ, ପଞ୍ଚଶଖାନଗର, କଟକରୋଡ୍ ରେ ପାଣି ଜମିଛି । ପଟିଆ ନନ୍ଦନବିହାର, ଅହଲ୍ୟାନଗରରେ ପାଣି ଜମିଥିଲା । ବିଏମ୍ସି ପକ୍ଷରୁ ୧୭ଟି ତଳିଆ ଅଞ୍ଚଳରେ ଅଗ୍ନିଶମ ବିଭାଗ ସହଯୋଗରେ ପାଣି ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଇଛି ।

ଓଡ଼ିଶାର ପ୍ରଥମ ମହିଳା ଡନ୍ ‘ଚିତ୍ତେରା’! ନାଁ ଶୁଣିଲେ ଥରୁଥିଲେ ୫ ଖଣ୍ଡ ମୌଜା