ନୂଆଦିଲ୍ଲୀ, ୨।୩ : ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନ ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ ଶିକ୍ଷା କେନ୍ଦ୍ର ଭାବେ ଗଢ଼ିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ବିଶ୍ୱ ଅର୍ଥନୀତିର ବର୍ତ୍ତମାନର ଅସ୍ଥିରତା ମଧ୍ୟରେ ଭାରତ ଏକ 'ଉଜ୍ଜ୍ୱଳ କେନ୍ଦ୍ର' ଭାବେ ଉଭା ହୋଇଛି, ଯାହା ଶିକ୍ଷାଦାନ, ଗବେଷଣା ଏବଂ ନବସୃଜନ ପାଇଁ ସାରା ବିଶ୍ୱକୁ ଏକ ସୁରକ୍ଷିତ ଓ ପ୍ରଗତିଶୀଳ ସ୍ଥାନ ପ୍ରଦାନ କରୁଛି। 'ଷ୍ଟଡି ଇନ୍ ଇଣ୍ଡିଆ' ଏଡୁ-ଡିପ୍ଲୋମାଟିକ କନକ୍ଲେଭରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଏହା କହିଛନ୍ତି।
ଜାତୀୟ ଶିକ୍ଷା ନୀତି ୨୦୨୦ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଏହି ନୀତି ଶିକ୍ଷାକୁ କେବଳ ଡିଗ୍ରୀ ହାସଲ ମଧ୍ୟରେ ସୀମିତ ନ ରଖି ଏହାକୁ କର୍ମନିପୁଣ ଏବଂ ବହୁମୁଖୀ କରିଛି। ଭାରତ ଆଜି ଶିକ୍ଷା କ୍ଷେତ୍ରରେ ଗୁଣବତ୍ତା, ନବସୃଜନ ଏବଂ ସୁଲଭତା ଉପରେ ଧ୍ୟାନ ଦେଉଛି, ଯାହା ବିଶ୍ୱର ଯେକୌଣସି ଶିକ୍ଷାର୍ଥୀ ପାଇଁ ଏକ ଆକର୍ଷଣୀୟ ବିକଳ୍ପ। 'ଷ୍ଟଡି ଇନ୍ ଇଣ୍ଡିଆ' ପଦକ୍ଷେପ ମାଧ୍ୟମରେ ଭାରତ ନିଜର ଶୈକ୍ଷିକ ସୀମାକୁ ବ୍ୟାପକ କରୁଛି। ଆମେ ବିଦେଶୀ ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରୁଛୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଭାରତର ଜ୍ଞାନ ଭଣ୍ଡାର, ଯୁବ ଶକ୍ତି ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେଉଛି ଆମର ସବୁଠାରୁ ବଡ଼ ଶକ୍ତି। ଆମେ ଶିକ୍ଷାର ଆନ୍ତର୍ଜାତୀୟକରଣ ଦିଗରେ ଦ୍ରୁତ ପଦକ୍ଷେପ ନେଉଛୁ, ଯାହା ଦ୍ୱାରା ବିଶ୍ୱର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନଗୁଡ଼ିକ ଭାରତ ସହ ସହଭାଗୀ ହୋଇପାରିବେ। ଏଆଇ, ବାୟୋଟେକ୍, ସେମିକଣ୍ଡକ୍ଟର ଠାରୁ ଆରମ୍ଭ କରି ସ୍ଥାୟୀ ଶକ୍ତି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଭାରତ ଆଜି ଏକ ବିଶ୍ୱସ୍ତ ସହଭାଗୀ ଭାବେ ଉଭା ହୋଇଛି। ଭାରତ ଏକ 'ଗ୍ଲୋବାଲ ସାଉଥ୍' ମଡେଲ ଉପରେ କାର୍ଯ୍ୟ କରୁଛି, ଯାହା ସହଯୋଗ ଓ ଜ୍ଞାନର ଆଦାନପ୍ରଦାନ ଉପରେ ଆଧାରିତ। ଭାରତର ଏହି ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ନବସୃଜନ-ଭିତ୍ତିକ ଶିକ୍ଷା ଯାତ୍ରାରେ ସହଭାଗୀ ହେବାକୁ ଆମନ୍ତ୍ରଣ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଆମେ ଏପରି ଏକ ଶିକ୍ଷା ବ୍ୟବସ୍ଥା ଗଠନ କରିବା, ଯାହା କେବଳ ବ୍ୟକ୍ତିବିଶେଷ ନୁହେଁ ବରଂ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ କାର୍ଯ୍ୟ କରିବ। ସମସ୍ତଙ୍କ ପାଇଁ ଶିକ୍ଷା ଏବଂ ସମସ୍ତଙ୍କ ସହଯୋଗରେ ବିକାଶ ହିଁ ଭାରତର ମୂଳ ମନ୍ତ୍ର। ଏହି କନକ୍ଲେଭ ଭାରତର ଶୈକ୍ଷିକ କୂଟନୀତିକୁ ଏକ ନୂତନ ଦିଶା ପ୍ରଦାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ ବ୍ୟକ୍ତ କରିଛନ୍ତି। ଏହି କ୍ଲନକେଭରେ ବିଶ୍ୱର ୫୦ରୁ ଅଧିକ ଦେଶର ରାଷ୍ଟ୍ରଦୂତ, ହାଇକମିଶନର ଏବଂ କୂଟନୀତିଜ୍ଞ ଯୋଗ ଦେଇଥିଲେ।