ଚନ୍ଦ୍ରଶେଖରପୁର,୦୮/୧୧: ମେଧାବୀ ଛାତ୍ରୀଜଣକ ଯୁକ୍ତ ଦୁଇ (ବିଜ୍ଞାନ)ରେ  ପଢୁଥିଲେ । ତା’ ସହ ନିଟ୍‌ ପାଇଁ କୋଚିଂ  ନେଉଥିଲେ । ହେଲେ କୋଚିଂ ସେଣ୍ଟରର ମାତ୍ରାଧିକ ପାଠପଢ଼ା ଚାପ ସହିପାରିଲେନି । ଶେଷରେ ଚରମ ନିଷ୍ପତ୍ତି ନେଲେ । ହଷ୍ଟେଲ  ରୁମ ଫ୍ୟାନରେ ଝୁଲି ପଡ଼ିଲେ । ପଟିଆର ଏକ  ଘରୋଇ କୋଚିଂ ସେଣ୍ଟର ହଷ୍ଟେଲରେ ଏମିତି  ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ  ହେଲେ ୧୭ ବର୍ଷୀୟ କଲ୍ୟାଣୀ ସାହୁ । ଘର କଟକ  ଜିଲ୍ଲା ଜଗତପୁର ଥାନା ସିଙ୍ଗାମାପୁର ଗାଁରେ । ଚନ୍ଦ୍ରଶେଖରପୁର ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର  କରିଛି । ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର ପ୍ରକୃତ  କାରଣ ଜଣାପଡିବ ବୋଲି ପୁଲିସ କହିଛି । ପାଠପଢ଼ା ଚାପ ସହିନପାରି ଝିଅ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।  

୩ ମାସ ତଳେ ସମାନ କୋଚିଂ ସେଣ୍ଟରର  ଜଣେ ଅଣଓଡି଼ଆ ଛାତ୍ର ଜୀବନ ହାରିଥିଲେ ।  ଚଳିତବର୍ଷ ରାଜଧାନୀରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା  ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି । ପାଖାପାଖି  ଡଜନେରୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କଲେଣି ।  ସେଥିରୁ ଅଧିକାଂଶ ପାଠପଢ଼ା ଚାପ ସହିନପାରି  ଚରମ ନିଷ୍ପତ୍ତି ନେଉଛନ୍ତି । ମୃତକଙ୍କ ବାପା ମହିମା  ମହେଶ ସାହୁ କହିଛନ୍ତି, ଜେଇଇ କୋଚିଂ ପାଇଁ କିଛି  ମାସ ପୂର୍ବରୁ ଝିଅକୁ ଉକ୍ତ କୋଚିଂ ସେଣ୍ଟରରେ ନାମ  ଲେଖାଇଥିଲୁ । ହଷ୍ଟେଲରେ ରହିବା ସହ କୋଚିଂ  ନେଉଥିଲା । ଗତ ପରୀକ୍ଷାରେ ଫିଜିକ୍ସରେ କିଛି  ମାର୍କ କମି ଯାଇଥିବାରୁ ସେ ଚିନ୍ତାରେ ରହୁଥିଲା ।  ଫିଜିକ୍ସ କଷ୍ଟ ଲାଗୁଛି ବୋଲି ଆମକୁ ଜଣାଇଥିଲା ।  ପାଠପଢ଼ାକୁ ନେଇ ଅଧିକ ଚାପ ନ ନେବାକୁ ତାକୁ  ଆମେ ବୁଝାଇଥିଲୁ । ଆଜି କୋଚିଂ ସେଣ୍ଟରରେ  ଫିଜିକ୍ସ ପରୀକ୍ଷା ଥିବା ନେଇ ଗତକାଲି ରାତିରେ  ଆମକୁ ଫୋନ୍‌ରେ କହିଥିଲା । ଭଲ ମାର୍କ ପାଇଁ  କୋଚିଂ ସେଣ୍ଟରରେ ଚାପ ପକାଉଥିବା କହି  କାନ୍ଦିଥିଲା ବି । 

ଗୁରୁବାର ସକାଳୁ ଝିଅ ଦୀର୍ଘ ସମୟ ଯାଏଁ ଫୋନ୍‌ ଉଠାଇଲାନି । ସନ୍ଦେହ ଉପୁଜିବାରୁ  ହଷ୍ଟେଲର ୱାଡେନକୁ ଜଣାଇଥିଲୁ ।  ରୁମ୍‌ ଭିତରେ ଫ୍ୟାନ୍‌ରେ ଝୁଲନ୍ତା ମୃତଦେହ  ଦେଖି ହଷ୍ଟେଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ  ଜଣାଇଥିଲେ । କଲ୍ୟାଣୀଙ୍କ ସମ୍ପର୍କୀୟ ହଷ୍ଟେଲରେ  ପହଞ୍ଚିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଝିଅକୁ ନିର୍ଯାତନା ଦିଆଯାଇଥିବା  ସେମାନେ ଅଭିଯୋଗ ଆଣିଥିଲେ । ବ୍ୟବଚ୍ଛେଦ  ପରେ ପରିବାର ଲୋକ କଲ୍ୟାଣୀଙ୍କ ଚକ୍ଷୁଦାନ  କରିଛନ୍ତି । ସେ ଜଣେ ମେଧାବୀ ଛାତ୍ରୀ ଥିଲେ ।  ତାଙ୍କ ଆଖି ଅନ୍ୟ କାହା ଜୀବନକୁ ଆଲୋକିତ  କରୁ ବୋଲି ପରିବାର ଲୋକ କହିଛନ୍ତି ।  

ଉକ୍ତ କୋଚିଂ ସେଣ୍ଟର ହଷ୍ଟେଲରେ ଗତ  ଅଗଷ୍ଟ ୩୦ରେ ଆଉ ଏକ ଅଘଟଣ ଘଟିଥିଲା ।  ହଷ୍ଟେଲ ରୁମ୍‌ରୁ ଝାଡ଼ଖଣ୍ଡ ଛାତ୍ର ଅର୍ଣ୍ଣବ କୃଷ୍ଣଙ୍କ  ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା ।  ପରିବାର ଲୋକ ଅର୍ଣ୍ଣବର ହତ୍ୟା ଅଭିଯୋଗ  ଆଣି କହିଥିଲେ, ଅର୍ଣ୍ଣବ ଅଣଓଡି଼ଆ ବୋଲି ତାକୁ  ସବୁବେଳେ ହଇରାଣ କରାଯାଉଥିଲା । ପାଠପଢ଼ା  ଚାପ ଅସହ୍ୟ ହେଉଥିଲା । ଏମିତିକି ମଝିରେ  ମଝିରେ ଅର୍ଣ୍ଣବକୁ ହଷ୍ଟେଲରେ ଖାଇବାକୁ  ଦିଆଯାଉନଥିଲା । ହଷ୍ଟେଲ କର୍ତ୍ତୃପକ୍ଷ ୨ ଦିନ  ଧରି ଘଟଣାକୁ ଚାପି ଅର୍ଣ୍ଣବର ଅଙ୍ଗପ୍ରତ୍ୟଙ୍ଗ  ଚାଲାଣ ଷଡ଼ଯନ୍ତ୍ରରେ ଲାଗିଥିଲେ ବୋଲି ମୃତକଙ୍କ  ଭଉଣୀ ଦିବ୍ୟାକ୍ରିଷ୍ଣା କହିଥିଲେ । ସେହିପରି  ଜଟଣୀ ଆଇଆଇଟିରେ ପଢ଼ୁଥିବା ଦିଲ୍ଲୀର କିର୍ତ୍ତୀକା  ରାଜ୍‌ ସେପ୍ଟେମ୍ବର ୪ ତାରିଖରେ ଶିକ୍ଷାନୁଷ୍ଠାନର  ପଞ୍ଚମ ମହଲାରୁ ଡେଇଁ ପ୍ରାଣ ହରାଇଥିଲେ।