ପାଟଣାଗଡ଼, ୧୫/୧ : ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ଲୋକ  ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି । ଉପଜିଲ୍ଲାପାଳ ସୁନିଲ୍ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏସଡିପିଓ ସଦାନନ୍ଦ ପୁଝାରୀ,ବିଇଓ ଶଙ୍କର ପ୍ରସାଦ ମାଝୀ, ତହସିଲଦାର ରୁଦ୍ରମୋହନ ନାୟକ, ବିଡିଓ ସୁମନ ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ ।

 ପ୍ରାରମ୍ଭିକ ସଙ୍ଗୀତ ଗାନପରେ ଏକକ,ଦଲିୟ, ଲୋକ ବାଦ୍ୟ,ଲୋକ ସଙ୍ଗୀତ,ଲୋକ ନୃତ୍ୟ,ଲୋକ ନାଟକ କଳାକାରମାନେ ପରିବେଷଣ କରିଥିଲେ । ଲକ୍ଷ୍ମୀ କାନ୍ତ ମିଶ୍ର,ଭରତ ବାଗ,ଟୁକୁଲୁ ଦାସ,ମନୋଜ କୁମାର ବାଗ, ଦିପ୍ତି ପ୍ରକାଶ ଦାସ, ହୃଷିକେଶ ମେହେର,ଶଙ୍କର ପ୍ରସାଦ ମାଝୀ, ଲମ୍ବୋଦର ନାଏକ, ଜଗନ୍ନାଥ ପ୍ରସାଦ ମିଶ୍ର, ଅରୁଣ ପଟ୍ଟନାୟକ, ଡ଼. ରେଶ୍ମାରାଣୀ ଦାସ, ଆନନ୍ଦ ଦାସ, ଦିଲିପ ବେହେରା, ଅମିତାଫ ଠାକୁର ଓ ନବଦିବ ବେହେରା ବିଚାରକ ଦାୟିତ୍ୱ ତୁଲାଇଥିଲେ ।

​​​​​​​

ଲୋକବାଦ୍ୟ ଦଲିୟରେ ଗଣ୍ଡାବଜା ଦ୍ଵାରା ଡାଲଖାଇ, ରସରକେଲି, ଯାଇଫୁଳ, ରଙ୍ଗବତୀ ବାଦ୍ୟରେ ଦର୍ଶକ ଝୁମିଥିବା ବେଳେ ଏକକ ଲୋକ ବାଦ୍ୟରେ ଖପ୍ରାଖୋଲ ବ୍ଳକ ସାଲେପାଲି ଗାଁର କୁନି କଳାକାର ଚନ୍ଦନ କୁମ୍ଭାରଙ୍କ ମୃଦଙ୍ଗ ବାଦ୍ୟ ଦର୍ଶକଙ୍କ ମନକୁ ଛୁଇଁଥିଲା । ନିପୁଣ କଳା ପ୍ରଦର୍ଶନ ପାଇଁ ଖପ୍ରାଖୋଲ ବ୍ଳକର ସୁବାଷ ପଟେଲ, ବେଲପଡ଼ା ବ୍ଲକର କବି ବରିହା ଓ ପାଟଣାଗଡ଼ ବ୍ଳକର ପଞ୍ଚାନନ ପଟେଲ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବାଣୀଶ୍ରୀ ବେହେରା ଓ ଅମିତାଫ ଠାକୁର ମଞ୍ଚ ପରିଚାଳନା କରିଥିଲେ।

ତେବେ ଲୋକ ମହୋତ୍ସବରେ କଳାକାରଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଥିଲା। ପାଟଣାଗଡ଼, ଖପ୍ରାଖୋଲ ଓ ବେଲପଡା ବ୍ଳକରୁ ମନୋନୀତ ହୋଇ ଏହି ଉତ୍ସବକୁ ଆସିଥିବା କଳାକାରମାନଙ୍କୁ ଉପଖଣ୍ଡ ପ୍ରସାଶନ ପକ୍ଷରୁ ଅଣଦେଖା କରାଯାଇଥିବା ନେଇ କଳାକାର ମାନେ ଅଭିଯୋଗ କରିଛନ୍ତି । କଳାକାର ମାନଙ୍କ ପାଇଁ ସାଜସଜ୍ଜାର ସୁବ୍ୟବସ୍ଥା ନଥିଲା । ଫଲରେ କିଛି ପୁରୁଷ କଳାକାର ଯାତ୍ରା ପଡିଆ ନିକଟରେ ଥିବା ଅଙ୍ଗନବାଡି କୋଠା ବାରଣ୍ଡାରେ ସାଜସଜ୍ଜା ହେଉଥିବା ବେଳେ କେତେକ ମହିଳା କଳାକାର ନିକଟରେ ଥିବା ଏକ ଧର୍ମଶାଳା ପରିସରରେ ସାଜସଜ୍ଜା ହେଉଥିବାର ଦେଖିବାକୁ ମିଳିଥିଲା।ଏହି ଉତ୍ସବରେ ୩ ବ୍ଳକର ଅଧ୍ୟକ୍ଷ,ଅଧ୍ୟକ୍ଷା ସହ ଏନଏସି ଅଧ୍ୟକ୍ଷା ଆସିନ ଥିଲେ। ଯାହାକୁ ନେଇ ଉପସ୍ଥିତ ଦର୍ଶକ ମହଲରେ ଆଲୋଚନା ହୋଇଥିଲା।