ଜୟପୁର, ୦୯/୦୮: ଖାତାକୁ ଆସିଲା ସୁଭଦ୍ରା ତୃତୀୟ କିସ୍ତି । ରାକ୍ଷୀ ପୂର୍ଣ୍ଣିମା ଅବସରରେ କୋରାପୁଟ ଜିଲ୍ଲା ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ବାଣ୍ଟଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ୧୫ରୁ ଊର୍ଦ୍ଧ୍ୱ ସୁଭଦ୍ରା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟିଛନ୍ତି । ପରେ ସମସ୍ତ ଆକାଉଣ୍ଟକୁ ଟଙ୍କା ଯିବ ।
ଆଜି ଏକକାଳୀନ ୧ କୋଟି ହିତାଧିକାରୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା । ତେବେ ଯେଉଁ ହିତାଧିକାରୀ ଭାବେ ପ୍ରଥମ ଦୁଇଟି କିସ୍ତିରେ ଟଙ୍କା ପାଇନାହାନ୍ତି, ସେମାନଙ୍କୁ ମଧ୍ୟ ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏପର୍ଯ୍ୟନ୍ତ ୨ଲକ୍ଷ ହିତାଧିକାରୀ ବାଦ୍ ପଡ଼ିଛନ୍ତି । ସେମାନଙ୍କୁ ଯୋଡ଼ିବା ପାଇଁ ଆଉ ଥରେ ସର୍ଭେ ହେବ । ୯୩ ହଜାର ହିତାଧିକାରୀ ମହିଳାଙ୍କୁ ୬୦ ବର୍ଷ ପୂରିଥିବାରୁ ବିଭାଗ ସେମାନଙ୍କୁ ଭତ୍ତା ପାଇଁ ଏସଏସଇପିଡିକୁ ପଠାଇଛି ।
ସୂଚନାଥାଉକି, ସୁଭଦ୍ରା ଯୋଜନାରେ ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି । ସେହିପରି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି । ପ୍ରଥମ କିସ୍ତି ଟଙ୍କା ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ପ୍ରଦାନ କରାଯାଇଥିଲା । ଏହା ପରେ ଚଳିତବର୍ଷ ମହିଳା ଦିବସରେ ଦ୍ବିତୀୟ କିସ୍ତି ଦିଆଯାଇଥିଲା । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ସୁଭଦ୍ରା ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେହି ଆଧାରରେ ଆଜି ରାକ୍ଷୀ ପୂର୍ଣ୍ଣିମାରେ ହିତାଧିକାରୀଙ୍କ ଖାତାକୁ ଯାଇଛି ଟଙ୍କା ।