ନୂଆଦିଲ୍ଲୀ, ୦୬/୦୬ : ଗାଈ ଚରାଳିରୁ ଆଇପିଏସ୍। ଦୃଢ ନିଷ୍ପତ୍ତି ବଦଳାଇଦେଲା ଜୀବନ। କଠିନ ପରିଶ୍ରମ, ଏବଂ ଦୃଢ ଆତ୍ମବିଶ୍ଵାସ ବଳରେ ପାସ୍ କଲେ ୟୁପିଏସସି ପରୀକ୍ଷା। ଗରିବି, ସୀମିତ ସମ୍ବଳ ଏବଂ ସାମାଜର ଟାହିଟାପରାକୁ କର୍ଣ୍ଣପାତ ନକରି ନିଜେ ସାଜିଲେ ନିଜର ଭାଗ୍ୟ ବିଧାତା। କିଛି କାହାଣୀ ଆଗକୁ ବଢିବା ପାଇଁ ପ୍ରେରଣା ଦିଏ। ଏମିତି ଏକ କାହାଣୀ ହେଉଛି ପ୍ରତାପ ଗୋପେନ୍ଦ୍ରଙ୍କର। ଯିଏକି ପିଲାଦିନେ ଗାଈ ଚରାଉଥିଲେ। ହେଲେ ବଡ଼ ଚାକିରି କରିବେ ବୋଲି ସ୍ଵପ୍ନ ଦେଖୁଥିଲେ। ଦିନେ ହଠାତ୍ ଚାକିରି ହେଲେ ଯାଇ ଘରକୁ ଫେରିବେ ବୋଲି ଦୃଢ ପ୍ରତିଜ୍ଞା ନେଇ ଘର ଛାଡ଼ିଥିଲେ। ଶେଷରେ ଅସଫଳତା ତାଙ୍କ ଆଗରେ ନତମସ୍ତକ ହେଲା ଆଉ ସଫଳତା ତାଙ୍କ ଚରଣ ଛୁଇଁଲା।
ନିପଟ ମଫସଲରୁ ବାହାରି ଜଣେ ଆଇପିଏସ୍ ହୋଇଥିବା ପ୍ରତାପ ଗୋପେନ୍ଦ୍ରଙ୍କ କାହାଣୀ ଅସାଧାରଣ। ପ୍ରତିକୂଳ ପରିସ୍ଥିତିରେ ସଙ୍ଘର୍ଷରୁ ତାଙ୍କ ଜୀବନ ଆରମ୍ଭ। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରତାପ ତାଙ୍କ ଜୀବନ କାହାଣୀ କହିଛନ୍ତି। ସେ କହିଛନ୍ତି ଯେ, ଗାଈ-ମଇଁଷି ଚରାଇ ତାଙ୍କ ପିଲାଦିନ କଟିଥିଲା। ତାଙ୍କ ଜୀବନର ନା କୌଣସି ଗତିପଥ ଥିଲା ନା ସେ କୌଣସି ବଡ଼ ସ୍ଵପ୍ନ ଦେଖିଥିଲେ। ହେଲେ କଠିନ ପରିସ୍ଥିତି ତାଙ୍କୁ ବଞ୍ଚିବା ଶିଖାଇଦେଲା। ପ୍ରତିକୂଳ ପରିସ୍ଥିତି ତାଙ୍କୁ ମଜବୁତ କରିଦେଲା। ଧୀରେ ଧୀରେ ତାଙ୍କୁ ଆଗକୁ ବଢିବାକୁ ପ୍ରେରଣା ମିଳିଲା।
ତାଙ୍କ ବାପା ଏକ ଛୋଟ ଡିସପେନସାରୀ ଚଳାଉଥିଲେ। ପରିବାରର ଆୟ ସୀମିତ ଥିଲା, କିନ୍ତୁ ସେମାନେ ଏବେ ବି ଆଗକୁ ବଢ଼ିବାର ସ୍ୱପ୍ନ ଦେଖୁଥିଲେ। ମଧ୍ୟମା ସମାପ୍ତ କରିବା ପରେ ତାଙ୍କର କୌଣସି କ୍ୟାରିଅର ଯୋଜନା ନଥିଲା। ସେ ବାରାଣସୀର ଉଦୟ ପ୍ରତାପ କଲେଜରୁ ବି.ଏସ୍.ସି. ଡିଗ୍ରୀ ହାସଲ କରିଥିଲେ। ସ୍ନାତକ ପରେ, ସେ UPSC ଏବଂ UPPCS ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ନିଷ୍ପତ୍ତି ନେଇଥିଲେ। ୨୦୦୫ ମସିହାରେ, ସେ ଆହ୍ଲାବାଦ ଚାଲିଆସିଥିଲେ। ସେଠାରେ କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପ୍ରଥମେ ଜୁଲୋଜି ଏବଂ ବଟାନୀରୁ ଆରମ୍ଭ କରିଥିଲେ। ହେଲେ ସେହି ବିଷୟରେ ତାଙ୍କର ଆତ୍ମବିଶ୍ଵାସ ନବଢିବାରୁ ସେ ଜଣେ ବନ୍ଧୁଙ୍କ ପରାମର୍ଶ କ୍ରମେ ଇତିହାସ ଏବଂ ଦର୍ଶନ ଶାସ୍ତ୍ରରେ ପରୀକ୍ଷା ଦେବା ପାଇଁ ମନସ୍ଥ କଲେ। ଏହି ନିଷ୍ପତ୍ତି ହିଁ ତାଙ୍କ ଭାଗ୍ୟ ଫିଟାଇଦେଲା।
ଆହୁରି ପଢନ୍ତୁ- ସମୁଦ୍ର ମନ୍ଥନକୁ ବଡ଼ ସଫଳତା, ଆଣ୍ଡାମାନରେ ମିଳିଲା ପ୍ରାକୃତିକ ଗ୍ୟାସର ଭଣ୍ଡାର
ସବଜେକ୍ଟ ବାଛିବା ପରେ ସେ କୋଚିଂ ନେବା ପାଇଁ ଚାହୁଁଥିଲେ। ହେଲେ ଫିସ୍ ଭରିବା ତାଙ୍କ ପାଇଁ ଅସମ୍ଭବ ଥିଲା। ଇତିହାସ କୋଚିଂ ପାଇଁ ୩ ହଜାର ଟଙ୍କା ଫିସ୍ ଥିଲା। ହେଲେ ସେ ନିବେଦନ କରିବାରୁ ୨୫୦୦ ଟଙ୍କା ଫିସ୍ ଧାର୍ଯ୍ୟ ହୋଇଥିଲା। ଏହାକୁ ମଧ୍ୟ ପ୍ରତାପ ଏକାଥରକେ ଜମା କରିପାରି ନଥିଲେ। ୫ଟି କିସ୍ତିରେ ସେ ଏହାକୁ ଜମା କରିଥିଲେ। ବହୁ ଅସଫଳତା ପରେ ସେ ୨୦୦୮ରେ ପ୍ରଥମ ଥର ପାଇଁ ୟୁପିଏସସି ପ୍ରିଲିମ୍ ଏବଂ ମେନ୍ ପାସ୍ କରିଥିଲେ। ହେଲେ ଇନ୍ଟର୍ଭ୍ୟୁରେ ଚୟନ ହୋଇପାରି ନଥିଲେ। ହାର ନମାନି ସେ ଅନ୍ତିମ ପ୍ରୟାସ କରିଥିଲେ। ଶେଷରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ୨୦୧୨ ବ୍ୟାଚର କ୍ୟାଡର ଭାବେ ଆଇପିଏସ୍ ନିଯୁକ୍ତି ପାଇଥିଲେ। ଏବେ ସେ ପୁଲିସ ଉପ-ମହାନିର୍ଦ୍ଦେଶକ ଅଛନ୍ତି। ତାଙ୍କ କାହାଣୀ ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ପ୍ରେରଣା। ଯେଉଁମାନେ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି କରୁଛନ୍ତି।