ନୂଆଦିଲ୍ଲୀ,୨୨/୪ : ନେପାଳରେ ସରକାର ଗଠନ କରିବାର ମାତ୍ର ୨୬ଦିନ ପରେ ଗୃହମନ୍ତ୍ରୀ ସୁଡାନ ଗୁରୁଂଗ ଇସ୍ତଫା ଦେଇଛନ୍ତି । ଏହାକୁ ବାଲେନ ଶାହ ସରକାରଙ୍କ ପାଇଁ ଏକ ବଡ଼ ଧକ୍କା ବୋଲି କୁହାଯାଉଛି । ଗୁରୁଂଗ ତାଙ୍କ ଇସ୍ତଫା ଘୋଷଣା କରି ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେଥିରେ ସେ ଲେଖିଛନ୍ତି, ଜନହିତକର ସ୍ବାର୍ଥ ପାଇଁ ମୁଁ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ତଦନ୍ତ ପରେ ମୁଁ ମୋର ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବି। ସୁଡାନଙ୍କୁ ବାଲେନ ଶାହଙ୍କ ନିକଟତର ବୋଲି ବିବେଚନା କରାଯାଏ। ସେପ୍ଟେମ୍ବର ୨୦୨୫ରେ କେପି ଓଲି ସରକାରଙ୍କ ବିରୋଧରେ ହୋଇଥିବା ପ୍ରତିବାଦରେ ଗୁରୁଂଗ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ନେପାଳର ଖବରକାଗଜ ଇ-କାନ୍ତିପୁର ଅନୁସାରେ, ଗୁରୁଂଗଙ୍କ ନାମ ବିବାଦୀୟ ନେପାଳୀ ବ୍ୟବସାୟୀ ଦୀପକ ଭଟ୍ଟଙ୍କ ସହ ଯୋଡ଼ା ଯାଇଥିଲା । ଫଳରେ ତାଙ୍କ ସମ୍ପୃକ୍ତି ଉପରେ ପ୍ରଶ୍ନ ଉଠିଥିଲା । ଭଟ୍ଟଙ୍କ ବିରୁଦ୍ଧରେ ବର୍ତ୍ତମାନ ମନି ଲଣ୍ଡରିଂ ଯାଞ୍ଚ ଚାଲୁଛି । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସୁଡାନ ଗୁରୁଂଗ ହାମି ନେପାଳ ନାମକ ଏକ ସାମାଜିକ ସଂଗଠନର ନେତୃତ୍ୱ ନେଇଥିଲେ । କାନ୍ତିପୁର ଅନୁସାରେ, ଏହି ସଂଗଠନ ଫେବୃଆରୀ ୨୦୨୫ରେ ଦୀପକ ଭଟ୍ଟଙ୍କ ସହ ଜଡ଼ିତ କମ୍ପାନୀର ଖାତାକୁ ୫କୋଟି ଟଙ୍କା ମିଳିଥିଲା । ଭଟ୍ଟଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ଯାଞ୍ଚ ଚାଲିଛି । ଏହି ଘଟଣା ପରେ ନେପାଳର ରାଜନୈତିକ ମାହୋଲରେ ହଇଚଇ ସୃଷ୍ଟି କରିଥିଲା।

ଦଳ ଭିତରେ ଗୁରୁଂଗଙ୍କ ଉପରେ ଇସ୍ତଫା ଦେବା ନେଇ ଚାପ ବଢୁଥିଲା । କାରଣ ଗୁରୁଂଗଙ୍କ ପାର୍ଟି ନେପାଳରେ ପରିବର୍ତ୍ତନ ନାମରେ ହିଁ କ୍ଷମତାକୁ ଆସିଛି । ଦୁଇ ଦିନର ଆଭ୍ୟନ୍ତରୀଣ ଅଶାନ୍ତି ପରେ, ଗୁରୁଂଗ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତଦନ୍ତ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ସେ କୌଣସି ପଦବୀରେ ରହିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗୃହମନ୍ତ୍ରୀ ପଦ ଗ୍ରହଣ କରିବା ପରେ, ଗୁରୁଂଗ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ଗିରଫ କରିଥିଲେ। ଉଭୟଙ୍କ ବିରୁଦ୍ଧରେ ସେପ୍ଟେମ୍ବର ୨୦୨୫ରେ ଛାତ୍ର ଆନ୍ଦୋଳନକୁ ଦମନ କରିବାର ଅଭିଯୋଗ ଆସିଥିଲା। ନେପାଳର ରାଜନୈତିକ ଦୃଶ୍ୟପଟରେ ସେମାନଙ୍କ ଗିରଫଦାରୀକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥିଲା।