ନୂଆଦିଲ୍ଲୀ, ୨୪।୯: ରାଜ୍ୟସଭା ସାଂସଦ ତଥା ଇନଫୋସିସ୍ ଅଧ୍ୟକ୍ଷା ସୁଧା ମୂର୍ତ୍ତୀ ସାଇବର ଠକେଇର ଶିକାର ହୋଇଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ, ଜଣେ ସାଇବର ଠକ ଟେଲିକମ୍ୟୁନିକେସନ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିଲା । ତାଙ୍କ ମୋବାଇଲ୍ ନମ୍ବର ତାଙ୍କ ଆଧାର କାର୍ଡ ସହିତ ଲିଙ୍କ୍ ହୋଇନଥିବା ଦାବି କରିଥିଲା । ଏ ଘଟଣାଟି ସେପ୍ଟେମ୍ୱର ୫ର । ବ୍ୟକ୍ତିଗତ ସୂଚନା ଦେବାକୁ ମନା କରିବା ପରେ ତାଙ୍କୁ ଧମକ ଏବଂ ଦୁର୍ବ୍ୟବହାରର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଫୋନ୍ ନମ୍ବରରୁ ଅଶ୍ଳୀଳ ଭିଡିଓ ପ୍ରସାରିତ ହେଉଥିବା ଦାବି କରି କଲ୍ କରିଥିବା ବ୍ୟକ୍ତି ଜଣକ କିଛି ଘଣ୍ଟା ମଧ୍ୟରେ ତାଙ୍କ ସେବା ବିଚ୍ଛିନ୍ନ କରିବାକୁ ଧମକ ଦେଇଥିଲେ । କଲ୍ କରିଥିବା ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବା ପରେ ରାଜ୍ୟସଭା ସାଂସଦ ଏକ ଦାଖଲ କରିଥିଲେ । ବେଙ୍ଗାଲୁରୁ ସାଇବର କ୍ରାଇମ୍ ପୋଲିସ ଷ୍ଟେସନରେ ଏହି ଅଭିଯୋଗ ଦାଖଲ ହୋଇଛି ଏବଂ ଠକେଇ ଉଦ୍ୟମ ପଛରେ ଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ତଦନ୍ତ ଚାଲିଛି ।

ମୋବାଇଲ୍ ସେବା 'ବନ୍ଦ' କରିବାକୁ ଧମକ

ଅଭିଯୋଗ ଅନୁଯାୟୀ, ଠକ ଜଣକ ମିଥ୍ୟା ଦାବି କରିଥିଲେ ଯେ ତାଙ୍କ ମୋବାଇଲ୍ ନମ୍ବର ତାଙ୍କ ଆଧାର କାର୍ଡ ସହିତ ଲିଙ୍କ୍ ହୋଇନାହିଁ । ଏହାକୁ ଏକ ବାହାନା ଭାବରେ ବ୍ୟବହାର କରି, ଫୋନ୍ କରିଥିବା ବ୍ୟକ୍ତି ତାଙ୍କଠାରୁ ବ୍ୟକ୍ତିଗତ ସୂଚନା ବାହାର କରିବାକୁ ଚେଷ୍ଟା କରିଥିଲେ । ପରିସ୍ଥିତି ଆହୁରି ବିଗିଡ଼ି ଯାଇଥିଲା ଯେତେବେଳେ ଠକ ଜଣକ ଆଉ ଏକ ଧମକ ଦେଇଥିଲେ ଯେ, ତାଙ୍କ ଫୋନ୍ ନମ୍ବରରୁ ଅଶ୍ଳୀଳ ଭିଡିଓ ପ୍ରସାରିତ ହେଉଛି ।

ପରେ ନମ୍ୱରଟିକୁ ସୁଧା ମୂର୍ତ୍ତୀ ଟ୍ରୁ କଲରରେ ଯାଞ୍ଚ କରିଥିଲେ, ଯାହା କଲରଙ୍କ ପରିଚୟକୁ ଟେଲିକମ୍ ବିଭାଗ ସହିତ ଜଡ଼ିତ ବୋଲି ଭୁଲ୍ ସୂଚନା ଦେଇଥିଲା । ଏହା ଏକ ଠକେଇ ମନେକରି, ସେ କୌଣସି ସୂଚନା ଦେବାରୁ ନିବୃତ୍ତ ରହିଲେ ଏବଂ ତୁରନ୍ତ ଘଟଣା ବିଷୟରେ କର୍ତ୍ତୃପକ୍ଷଙ୍କୁ ଜଣାଇଲେ । କହିରଖୁଛୁ ଯେ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଠକେଇ କଲଗୁଡ଼ିକରେ ଏକ ଚିନ୍ତାଜନକ ବୃଦ୍ଧି ଘଟିଛି । ଦେଶରେ ପ୍ରତିଦିନ ପ୍ରାୟ ଏକ ଲକ୍ଷ ଆର୍ଥିକ ଠକେଇ ଘଟୁଛି । ୨୦୨୪ ମସିହାର ତଥ୍ୟ ସୂଚାଇ ଦେଉଛି ଯେ, ଗତ ବର୍ଷ ଏହି ପ୍ରକାରର ଆର୍ଥିକ ଠକେଇ ଯୋଗୁଁ ଭାରତୀୟମାନେ ୨୨ ହଜାର ୮୪୫ କୋଟି ଟଙ୍କା ହରାଇଛନ୍ତି । ଏହି ପରିମାଣ ୨୦୨୩ ମସିହାରେ ୭ ହଜାର ୪୬୫.୧୮ କୋଟି ଟଙ୍କା ହରାଇଥିବା ତୁଳନାରେ ୨୦୬% ଅଧିକ ।