ବ୍ରହ୍ମପୁର, ୨୬/୦୫: ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ପୁଲିସ ସୋମବାର ରାତି ୧୨ ଟାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ସେମାନେ ହେଲେ ହେଲେ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ(୨୭) ଓ ଗୁଜରାଟ ସୁରତ ଜିଲ୍ଲା ମୋଦି ମହଲା ଏକେ ରୋଡ୍ର ସରୋଜ ପଣ୍ଡା(୩୫) ।ବ୍ରହ୍ମପୁର ଏସପି ଡ. ସରବଣା ବିବେକ ଏମ୍ କହିଛନ୍ତି ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଏହି ଦୁଇ ଅଭିଯୁକ୍ତଙ୍କ ପ୍ରମୁଖ ଭୂମିକା ରହିଛି । ସୁଧୀରଙ୍କ ହତ୍ୟା ପରେ ଏହି ଦୁଇ ଜଣ ଦୀର୍ଘଦିନରୁ ଫେରାର ଥିଲେ । ପୁଲିସ ଏମାନଙ୍କୁ ଖୋଜୁଥିଲା ।
ଗତମାସ ୧୫ ତାରିଖରେ ଏମାନେ ପ୍ଲଟ୍ ବ୍ୟବସାୟୀ ସୁଧୀରଙ୍କୁ ଅପହରଣ କରିଥିଲେ । ତାଙ୍କୁ ନେଇ ବୁଗୁଡ଼ା ରାମପାଦ ଜଙ୍ଗଲରେ ହତ୍ୟା କରିଥିଲେ । ସୁଧୀର ପାତ୍ରଙ୍କ ଉପରକୁ ଗୁଳି ଚଳାଇ ସରୋଜ ଓରଫ ବିକି ଡରାଉଥିଲା । ସେହିପରି ରଞ୍ଜନ ସୁଧିରଙ୍କ ପରିବାରକୁ ଫୋନ କରି ଧମକ ଦେଉଥିଲା । ଏହି ମାମଲାରେ ସରୋଜ ଓ ରଞ୍ଜନଙ୍କ ସମେତ ଆଉ ଦୁଇଜଣ ସୁମିତ ସିଂହ ସୁନିଲ ରାଜପୁତ ଓ ମୁକେଶ ସାହୁ ମୋଟ୍ ୪ ଜଣଙ୍କୁ ପୁଲିସର ସ୍ୱତନ୍ତ୍ର ଟିମ୍ ରାଜସ୍ଥାନରୁ କାବୁ କରି ବ୍ରହ୍ମପୁର ଫେରୁଥିଲା । ଆଙ୍କୁଶପୁର ନିକଟରେ ପୁଲିସକୁ ଆକ୍ରମଣ କରି ସରୋଜ ଓ ରଞ୍ଜନ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ପୁଲିସ ଗୁଳିରେ ସରୋଜ ଓ ରଞ୍ଜନ ଆହତ ହୋଇଛନ୍ତି । ରଞ୍ଜନର ଡାହାଣ ଗୋଡରେ ଗୋଟିଏ ଗୁଳି ଓ ବିକିର ବାମ ଗୋଡ଼ରେ ଗୋଟିଏ ଗୁଳି ବାଜିଛି । ସେମାନଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି ।
ଅଧିକ ପଢ଼ନ୍ତୁ :- Police Encounter News: ବିଚ୍ ରାସ୍ତାରେ କଟୁରୀରେ ଯୁବକଙ୍କୁ ହାଣିଥିଲେ, ୫ ଘଣ୍ଟା ଭିତରେ ଅଭିଯୁକ୍ତ ଜଗା ସାହୁକୁ ଏନକାଉଣ୍ଟର
ସୂଚନାଯୋଗ୍ୟ ଦୁଇ ଅଭିଯୁକ୍ତଙ୍କ ପୂର୍ବରୁ ଏହି ମାମଲାରେ ୯ଜଣ ଗିରଫ ହୋଇ ଜେଲରେ ଅଛନ୍ତି । ସୁଧୀର ଅପହରଣ ଓ ହତ୍ୟା ମାମଲାରେ ସରୋଜ ଓ ରଞ୍ଜନଙ୍କ ପ୍ରମୁଖ ଭୂମିକା ଥିଲା।