ଭୁବନେଶ୍ବର,୨୯।୧ : ଉତ୍କର୍ଷ ଓଡ଼ିଶା - ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀରେ ସୁମା ରିଅଲ ମିଡ଼ିଆର ସ୍ବାସ୍ଥ୍ୟକ୍ଷେତ୍ରରେ ବଡ ନିବେଶ । ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ହଜାର କୋଟି  ଟଙ୍କା ପୁଞ୍ଜି ନିବେଶ  କରିବ ସୁମା ରିଅଲ ମିଡ଼ିଆ ।  ପୁଞ୍ଜି  ନିବେଶ  ପାଇଁ   ସ୍ବାସ୍ଥ୍ୟ ବିଭାଗ ସହ ସୁମା ରିଅଲ ମିଡିଆ ବୁଧବାର ଏମଓୟୁ କରିଛି। ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। 

ଉତ୍କର୍ଷ ଓଡ଼ିଶା - ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ ୨୦୨୫ର  ଦ୍ଵିତୀୟ ଦିନରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାର  ବଡ ସଫଳତା ପାଇଛନ୍ତି । ୯ ଜଣ ପ୍ରମୋଟର ୪୩୪୯ କୋଟି ଟଙ୍କା  ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।  ବିଶେଷ କରି ସୁମା ରିଅଲ ମିଡ଼ିଆ ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ହଜାର କୋଟି ନିବେଶ ଲାଗି ଏମଓୟୁ କରିଛି। ଆଗାମୀ ଦିନରେ ଆୟୁର୍ବେଦ କ୍ଷେତ୍ରରେ ବଡ ସୁଯୋଗ ସୃଷ୍ଟି ହେବ  ବୋଲି  ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। 

ସୂଚନାଯୋଗ୍ୟ ଯେ, ଉତ୍କର୍ଷ ଓଡ଼ିଶା - ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ-୨୦୨୫ର ଦୁଇ ଦିନରେ  ୧୪୫ କମ୍ପାନୀଙ୍କ ସହ ଏମଓୟୁ ରାଜ୍ୟ ସରକାର ସ୍ବାକ୍ଷର କରିଛନ୍ତି । ଯେଉଁଥିରେ ୧୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ  ପ୍ରତିଶ୍ରୁତି ମିଳିଛି । ସବୁଠୁ ଅଧିକ ପୁଞ୍ଜି ନିବେଶ ପ୍ରତିଶ୍ରୁତି ମେଟାଲ ଓ ଷ୍ଟିଲ କ୍ଷେତ୍ରରେ ମିଳିଛି । ସେହିପରି  କେମିକାଲ ଓ ପେଟ୍ରୋ କେମିକାଲ ସୌର ଶକ୍ତି, ଅକ୍ଷୟ ଶକ୍ତି ଓ  ଫାର୍ମା କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବିଭିନ୍ନ କମ୍ପାନୀ ଆଗ୍ରହ ଦେଖାଇ ପୁଞ୍ଜି ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।