ସୁନ୍ଦରଗଡ଼, ୦୧/୦୮:ମିଲେଟ୍‌ ଜାତୀୟ  ଶସ୍ୟରୁ ପ୍ରସ୍ତୁତ ହେବ ଗୁଣାତ୍ମକ ମାନର କୁକିଜ୍‌ ।  ପାଉଁରୁଟି, କେକ୍‌, କ୍ରିମ୍‌ ଭଳି ସୁସ୍ୱାଦୁ ଖାଦ୍ୟ ତିଆରି  କରାଯିବ । ସ୍ଥାନୀୟ ବଜାରରେ ଅତି ଶସ୍ତାରେ  ଉପଲବ୍ଧ ହେବ ଏସବୁ ସାମଗ୍ରୀ । ସୁନ୍ଦରଗଡ଼କୁ  ମିଲେଟ୍‌ ଖାଦ୍ୟର ହବ୍‌ କରିବାକୁ ଜିଲ୍ଲା କୃଷି ବିଭାଗ  ପକ୍ଷରୁ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଶ୍ରୀ  ଅନ୍ନ ଅଭିଯାନ (ଏସ୍‌ଏଏ) ଅନ୍ତର୍ଗତ ୧୨ ବ୍ଲକରେ  ବେକେରି ୟୁନିଟ୍‌ ଖୋଲିବାକୁ ପ୍ରାରମ୍ଭିକ ପ୍ରକ୍ରିୟା  ଆରମ୍ଭ ହୋଇଛି । ଏହା ଦ୍ୱାରା କେବଳ ମିଲେଟ୍‌  ପ୍ରସ୍ତୁତ ଖାଦ୍ୟଶସ୍ୟକୁ ପ୍ରୋତ୍ସାହନ ମିଳିବ ନାହିଁ³  ଉତ୍ପାଦକ ଗୋଷ୍ଠୀ ବି ଲାଭବାନ ହେବେ । 

ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (ସିଡିଏଓ) ଏଲ୍‌. ବି. ମଲ୍ଲିକ କହିଛନ୍ତି, ହେମଗିର, ଲେଫ୍ରିପଡ଼ା,  ଟାଙ୍ଗରାପାଲି, ବାଲିଶଙ୍କରା, ନୂଆଗାଁ, କୁଆଁରମୁଣ୍ଡା,  କୁତ୍ରା, ରାଜଗାଙ୍ଗପୁର, ଲାଠିକଟା, ବଣାଇଁ,  ଲହୁଣିପଡ଼ା ଏବଂ ଗୁରୁଣ୍ଡିଆ ବ୍ଲକରେ ବେକେରି  ମ୍ୟାନୁଫାକ୍‌ଚରିଂ ୟୁନିଟ୍‌ ସ୍ଥାପନ ହେବ ।  ସମ୍ପୃକ୍ତ ବ୍ଲକକୁ ବୈଷୟିକ ଉପକରଣ ପଠାଯିବା  ପ୍ରକ୍ରିୟା ଆରମ୍ଭ ହୋଇଛି । ତନ୍ମଧ୍ୟରେ ଗ୍ୟାସ୍‌ ଓଭନ,  ମିକ୍‌ଚର ମେସିନ, କୁକିଜ କଟିଂ ମେସିନ ଆଦି ୫ରୁ  ୬ ଲକ୍ଷ ଟଙ୍କାର ଉପକରଣ ରହିଛି । ବ୍ଲକ କୃଷି  କାର୍ଯ୍ୟାଳୟରୁ ଇଚ୍ଛୁକ ଚାଷୀ ସଙ୍ଗଠନର ସିଇଓ,  ସଭାପତି, ସମ୍ପାଦକ ଆବଶ୍ୟକ କାଗଜପତ୍ର ଦେଇ  ଏହାକୁ ଗ୍ରହଣ କରିବେ । 

ୟୁନିଟ୍‌ଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ କୃଷି  ବିଭାଗ ପକ୍ଷରୁ ନିୟମିତ ବ୍ୟବଧାନରେ ନିରୀକ୍ଷଣ  କରାଯିବ । ମିଲେଟ୍‌ ପ୍ରସ୍ତୁତ ସାମଗ୍ରୀକୁ ଆଞ୍ଚଳିକ  ବଜାରରେ ବିକ୍ରି କରାଯିବ । ଏହାବାଦ୍‌ ମେଳା,  ମହୋତ୍ସବ, ଯାନିଯାତ୍ରା, ପ୍ରଦର୍ଶନୀରେ ବିକ୍ରିବଟା  ବ୍ୟବସ୍ଥା କରାଯିବ । ଏହା ଉତ୍ପାଦକ ଗୋଷ୍ଠୀର  ଆୟକୁ ବହୁଗୁଣିତ କରିବ ବୋଲି ସିଇଓମାନେ ଆଶା  ରଖିଛନ୍ତି । ସୁନ୍ଦରଗଡ଼ରେ ଏହା ଯେପରି ସଫଳତା  ହାସଲ କରିବ ସେ ନେଇ କୃଷି ବିଭାଗ ସବୁପ୍ରକାର  ଉଦ୍ୟମ କରିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । 

ସୂଚନାଯୋଗ୍ୟ, ଜିଲ୍ଲାର ୧୭ଟି ବ୍ଲକ ମଧ୍ୟରୁ  ୧୫ଟିରେ ମାଣ୍ଡିଆ ଜାତୀୟ ଶସ୍ୟ ଚାଷ ହେଉଛି ।  ତନ୍ମଧ୍ୟରୁ ୭ଟି ବ୍ଲକରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଶ୍ରୀ ଅନ୍ନ ଅଭିଯାନ ଜାରି ରହଛି ।  ଅବଶିଷ୍ଟ ୮ଟି ବ୍ଲକରେ ଜିଲ୍ଲା ଖଣିଜ ପାଣ୍ଠିରୁ ଏହି  କାର୍ଯ୍ୟକ୍ରମ ଜାରି ରହିଛି । ସେହିପରି ଜିଲ୍ଲାବ୍ୟାପୀ  ୬୭ଟି ମିଲେଟ୍‌ ଶକ୍ତି ଟିଫିନ ସେଣ୍ଟର ମହିଳା ସ୍ୱୟଂ  ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି ।  ସେଠାରେ ଜଳଖିଆ, ପିଠାଠାରୁ ଆରମ୍ଭ କରି ମିଲେଟ୍‌  ପ୍ରସ୍ତୁତ ବିଭିନ୍ନ ଖାଦ୍ୟଦ୍ରବ୍ୟ ମିଳୁଛି ।  

ଚଳିତ ଖରିଫ ଋତୁରେ ଜିଲ୍ଲାରେ ପ୍ରାୟ ୧୩  ହଜାର ହେକ୍ଟର ଜମିରେ ମିଲେଟ୍‌ ଜାତୀୟ ଚାଷ  କରାଯାଇଛି । ଉତ୍ପାଦିତ ଶସ୍ୟକୁ ଠିକ୍‌ ଭାବେ  ଉପଯୋଗ କରିବାରେ ବେକେରି ୟୁନିଟ୍‌ଗୁଡ଼ିକ ପ୍ରଭାବୀ  ହୋଇପାରିବେ । ବଜାରରେ ମିଳୁଥିବା ମଇଦା ଜାତୀୟ  ଖାଦ୍ୟ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ।  ଏହାର ସ୍ଥାନ ମିଲେଟ୍‌ ଖାଦ୍ୟ ନେଇପାରିବ । କାରଣ  ଏଥିରେ ଥିବା ପୌଷ୍ଟିକ ତତ୍ତ୍ୱ ପିଲାରୁ ବୟସ୍କଙ୍କ ପାଇଁ  ଉପଯୋଗୀ ବୋଲି ବିଶେଷଜ୍ଞମାନେ କହିଛନ୍ତି ।