ନୂଆଦିଲ୍ଲୀ,୧୯/୧୧: ନଭେମ୍ବର ୨୨ରୁ ପର୍ଥରେ ସମ୍ମାନଜନକ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେବ । ଏହା ପୂର୍ବରୁ କିଙ୍ଗ୍ କୋହଲିଙ୍କୁ ନେଇ କିଛି ପୂର୍ବାନୁମାନ କରିଛନ୍ତି ପୂର୍ବତନ କ୍ରିକେଟର । କୋହଲିଙ୍କ ଫର୍ମକୁ ନେଇ ଭବିଷ୍ୟବାଣୀ କରି ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର କହିଛନ୍ତି କିଛି ଦିନ ହେବ କୋହଲିଙ୍କ ବ୍ୟାଟରୁ ରନ ହୋଇନାହିଁ । ତେଣୁ ସେ ବହୁତ ବହୁତ ଭୋକିଲା ଅଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ରନ କରି ନାହାନ୍ତି ତେଣୁ ସେ ରନ ଭୋକିଲା ଥିବେ ।
ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟରେ ବିରାଟ କୋହଲିଙ୍କ ଫର୍ମକୁ ନେଇ ସୁନୀଲ ଗାଭାସ୍କର ଭବିଷ୍ୟବାଣୀ କରି କହିଛନ୍ତି, ଆଡିଲେଡ ଟେଷ୍ଟ ଦ୍ବିତୀୟ ପାଳିରେ ଭାରତ ମାତ୍ର ୩୬ ରନରେ ଅଲଆଉଟ ହୋଇଥିଲା । ଯଦି ମୋର ଅନୁମାନ ଠିକ ହୁଏ ତେବେ କୋହିଲ ଆଡିଲେଡ ଟେଷ୍ଟ ପ୍ରଥମ ପାଳିରେ ୭୦ ରନ କରିଥିଲେ । ଆଡିଲେଡରେ ତାଙ୍କ ପ୍ରଦର୍ଶନ ସ୍ଥିର ରହିଛି । ପର୍ଥ ଓ ବ୍ରିସବେନର ମଧ୍ୟ ସ୍ଥିର ପଦର୍ଶନ ଦେଇ ଆସିଛନ୍ତି । ୨୦୧୮-୧୯ରେ ସେ ଭଲ ଖେଳିଥିଲେ । ଏଥର ଯଦି ଭଗବାନ ସାଥ ଦିଅନ୍ତି ତେବେ ତାଙ୍କ ବ୍ୟାଟରୁ ବଡ ସ୍କୋର ହେବ । ସେ ରନ ଭୋକିଲା ଅଛନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୦-୩ରେ ପରାସ୍ତ ହୋଇଥିଲା । ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଅଛି । ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଞ୍ଚଟି ଟେଷ୍ଟ ମ୍ୟାଚ ଖେଳିବ । ବିଶ୍ବ ଟେଷ୍ଟ ଚମ୍ପିଅନସିପ ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତ ପାଇଁ ଏହି ଟେଷ୍ଟ ସିରିଜ ଗୁରୁତ୍ବପୂର୍ଣ୍ଣ । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କୋହଲିଙ୍କ ପ୍ରଦର୍ଶନ ଭଲ ନଥିଲା ।