କୋକସରା,୨୪/୦୫: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ 'ଦମନ' କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳ ରେ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆମପାଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବଣ ପାହାଡ଼ ଘେରା ଦୁର୍ଗମ ଆମପାଣି ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ କୁଟୁରୁ ଗାଁରେ ଶନିବାର ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଫଏଲଏ ନବୀନ କୁମାର ସାହୁ, ଏସଏସଏମଟିସି ଶିବଶକ୍ତି ବେହେରା, କୋକସରା ସିଏଚସି ପକ୍ଷରୁ ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, ପୁରୁଷ ସ୍ୱାସ୍ଥ୍ୟ କର୍ମି ବିକାଶ ଦାସ, କୃଷ୍ନା କାଣ୍ଡ, ସରୋଜ ନାଏକ, ଏମଟିଏସ ଦୁଷ୍ମନ୍ତ ରାଉତ, ଯକ୍ଷ୍ମାରୋଗ କୋଡ଼ିନେଟର ଆମୋଦ ଗୋଲାପ, ଫାର୍ମାସିଷ୍ଟ ଶୁଭେନ୍ଦୁ ପଣ୍ଡା, ମହିଳା ସ୍ୱାସ୍ଥ୍ୟ କର୍ମି ବୀଣା ମାଝୀ, ଯୋଜନାଗନ୍ଧା ମହାନ୍ତିଙ୍କ ସମେତ ଆଶା ଅଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ଥିଲେ।
ଏମାନେ ଗାଁରେ ଥିବା ସମସ୍ତ ପୁରୁଷ, ମହିଳାଙ୍କ ରକ୍ତ ନମୁନା ପରୀକ୍ଷା କରିବା ସହ ସମସ୍ତଙ୍କୁ ଶୋଇବା ବେଳେ ମଶାରୀ ବ୍ୟବହାର କରିବା, ଘର ପରିବେଶକୁ ସ୍ୱଚ୍ଛ ରଖିବା ସହିତ ମ୍ୟାଲେରିଆ ନିରାକରଣ ସମ୍ପର୍କରେ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ମୋଟ ୨୧୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ମ୍ୟାଲେରିଆ ସଂକ୍ରମିତ, ପିଏଫ ୭ ଜଣ ଓ ପିଭି ୨ ଜଣଙ୍କ ନିକଟରେ ଥିବା ଜଣାପଡ଼ିଛି। ସଂକ୍ରମିତ ରୋଗୀଙ୍କୁ ଔଷଧ ସେବନ ପାଇଁ ଦିଆଯାଇଛି। ସେହିପରି ୩୧୫ ଔଷଧ ବୋଲା ମଶାରୀ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଣ୍ଟନ କରା ଯାଇଥିବା ନେଇ ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର ସୂଚନା ଦେଇଛନ୍ତି।